Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁରିବାହାଲ ପତ୍ରାପାଲି(ଖ)ରେ ମହୁମାଛି ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ; କ୍ଷତିପୂରଣ ଓ ସହାୟତା ଦାବି ।

ବଲାଙ୍ଗୀର,୨୦।୧୧: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ପତ୍ରାପାଲି(ଖ)ରେ ମହୁମାଛିଙ୍କ ଭୟଙ୍କର ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ କରୁଣ ମୃତ୍ୟୁ ଘଟିଛି। ମୃତକ ଜଣକ ପକ୍ଷୀରାଜ ଘିଭେଲା ବୋଲି ଜଣାପଡ଼ିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକ ଓ ଭୟର ବାତାବରଣ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ପକ୍ଷୀରାଜ ଘିଭେଲା ଗାଁରୁ ବାହାରି ଗାଧୋଇବାକୁ ଯାଇଥିବା ସମୟରେ ଅଧା ରାସ୍ତାରେ ହଠାତ୍ ଦଳ ଦଳ ମହୁମାଛି ତାଙ୍କ ଉପରେ ମାଡ଼ି ଆସିଥିଲେ। ମହୁମାଛିମାନେ ଏପରି ଭୟଙ୍କର ଭାବେ ଆକ୍ରମଣ କରିଥିଲେ ଯେ, ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରିବା ଛଡ଼ା ତାଙ୍କ ପାଖରେ ଅନ୍ୟ କୌଣସି ଉପାୟ ନଥିଲା। ସେ ଘଟଣାସ୍ଥଳରେ ଛଟପଟ ହେଉଥିଲେ ମଧ୍ୟ ମହୁମାଛିଙ୍କ ଭୟରେ କେହି ପାଖକୁ ଯିବାକୁ ସାହସ କରିପାରି ନଥିଲେ।
ମହୁମାଛିଙ୍କ ଆକ୍ରମଣ ଥମିବା ପରେ ଏବଂ ଶେଷରେ ଧୂଆଁର ସାହାଯ୍ୟରେ ଗ୍ରାମବାସୀମାନେ ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ପ୍ରଥମେ ତାଙ୍କୁ ଟିଟିଲାଗଡ଼ ଡାକ୍ତରଖାନା ଏବଂ ପରେ ଉନ୍ନତ ଚିକିତ୍ସା ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଆକ୍ରମଣ ସମୟରେ ମହୁମାଛି ମାନେ ତାଙ୍କ ନାକ, ମୁହଁ ଓ କାନ ଭିତରକୁ ପଶି ଯାଇଥିଲେ ଏବଂ ପରବର୍ତ୍ତୀ ସମୟରେ ତାଙ୍କ ଶରୀରର ଏହି ଅଙ୍ଗଗୁଡ଼ିକରୁ ମହୁମାଛି ବାହାର କରାଯାଇଥିଲା। ଘଟଣା ସମ୍ପର୍କରେ ପରିବାର ଓ ସମ୍ପର୍କୀୟମାନେ ନିଜର ଦୁଃଖ ଓ ପରିସ୍ଥିତି ବଖାଣିବା ସହ ମୃତକଙ୍କ ପରିବାର ପାଇଁ ଆର୍ଥିକ ସହାୟତା ନିମନ୍ତେ ନିବେଦନ କରିଛନ୍ତି।
ଅନ୍ୟପକ୍ଷରେ, ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଭଳି ଅଭାବନୀୟ ଘଟଣାରେ ପ୍ରାଣ ହରାଇଥିବା ପକ୍ଷୀରାଜ କିବେଲାଙ୍କ ଶୋକସନ୍ତପ୍ତ ପରିବାରକୁ ପ୍ରଶାସନ ପକ୍ଷରୁ ଉପଯୁକ୍ତ କ୍ଷତିପୂରଣ ଓ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories