Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାତ୍ୟା ବର୍ଷାରେ ଉଜୁଡ଼ିଲା ପରିଶ୍ରମ: ବଲାଙ୍ଗୀରର ୧୪ ବ୍ଲକରେ ଧାନ ଗଜା, ଚାଷୀଙ୍କ ଆଖିରେ ଲୁହ ।

ବଲାଙ୍ଗୀର,୨୧।୧୧: ଅମଳ ସମୟରେ ସମ୍ଭାବ୍ୟ ବାତ୍ୟା ଅକୱାନ୍ ଜନିତ ଅଦିନିଆ ବର୍ଷା ବଲାଙ୍ଗୀର ଜିଲ୍ଲାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଜିଲ୍ଲାର ସମସ୍ତ ୧୪ ଗୋଟି ବ୍ଲକ୍ ଯଥା ଆଗଲପୁର, ବଲାଙ୍ଗୀର, ବଙ୍ଗୋମୁଣ୍ଡା, ବେଲପଡ଼ା, ଦେଓଗାଁ, ଗୁଡ଼ଭେଲା, ଖପ୍ରାଖୋଲ, ଲୋଇସିଂହା, ମୁରିବାହାଲ, ପାଟଣାଗଡ଼, ପୁଇଁତଳା, ସଇଁନ୍ତଲା, ଟିଟିଲାଗଡ଼ ଏବଂ ତୁରେକେଲାର ବିଭିନ୍ନ ଗାଁରେ କ୍ଷେତରେ କଟା ହୋଇ ପଡ଼ିଥିବା ପାଚିଲା ଧାନ ଫସଲ ବର୍ଷାରେ ଭିଜି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଅନେକ ସ୍ଥାନରେ ଧାନ ଗଜା ବାହାରି ପଡ଼ିଥିବା ବେଳେ, ବର୍ଷା ପାଣିରେ ବୁଡ଼ି ଫସଲ ନଷ୍ଟ ହୋଇ ଯିବାରୁ ଚାଷୀକୂଳ ଚରମ ହତାଶା ଓ ଆର୍ଥିକ ସଙ୍କଟ ଭିତରେ ପଡ଼ିଛନ୍ତି ।
ବର୍ଷ ତମାମ ହାଡ଼ଭଙ୍ଗା ପରିଶ୍ରମ, ଋଣ କରଜ ଓ ମହଙ୍ଗା ବିହନ-ସାର ଲଗାଇ ଚାଷୀ ଧାନ ଫସଲକୁ ଅମଳ ପାଇଁ ପ୍ରସ୍ତୁତ କରିଥିଲା । ଠିକ୍ ଅମଳ ସମୟରେ ବାତ୍ୟା ପ୍ରଭାବରେ ଲାଗି ରହିଥିବା ବର୍ଷା ଚାଷୀଙ୍କ ସ୍ୱପ୍ନକୁ ଧୂଳିସାତ୍ କରିଦେଇଛି । ବିଲରେ ଓ ଖଳାରେ ପଡ଼ିଥିବା ଧାନ ଓଦା ହୋଇଯିବା ଫଳରେ ଧାନରେ ଗଜା ଉଠିବା ଆରମ୍ଭ କରିଛି, ଯାହା ଧାନର ମାନକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଉଛି । ଫଳରେ ବଜାରରେ ଉଚିତ ମୂଲ୍ୟ ମିଳିବା ତ ଦୂରର କଥା, ଖର୍ଚ୍ଚ ଉଠାଇବା ମଧ୍ୟ ଚାଷୀଙ୍କ ପାଇଁ କଷ୍ଟକର ହୋଇପଡ଼ିଛି ।
ଚାଷୀମାନଙ୍କ କହିବା ଅନୁଯାୟୀ, ବର୍ତ୍ତମାନର ପରିସ୍ଥିତିରେ ତୁରନ୍ତ କୃଷି ଓ ରାଜସ୍ୱ ବିଭାଗ ପକ୍ଷରୁ ଗାଁ ଗାଁରେ ପ୍ରକୃତ କ୍ଷୟକ୍ଷତିର ସଠିକ୍ ଆକଳନ କରାଯିବା ଆବଶ୍ୟକ । ବିଶେଷ କରି ଯେଉଁ ଚାଷୀ ମାନେ ଫସଲ ବୀମା (Crop Insurance) କରିଛନ୍ତି, ସେମାନଙ୍କୁ ବିଳମ୍ବ ନକରି କ୍ଷତିପୂରଣ ରାଶି ପ୍ରଦାନ ସହ ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀ ମହଲରେ ଜୋରଦାର ଦାବି ଉଠିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories