Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ଡିଗ୍ରୀ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ଓ ଚାପ ସଚେତନତା କର୍ମଶାଳା

ଜମନକିରା : ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ‘ଶକ୍ତିଶ୍ରୀ’ ପକ୍ଷରୁ ଜମନକିରା ଡିଗ୍ରୀ ମହାବିଦ୍ୟାଳୟରେ ‘ମାନସିକ ସ୍ୱାସ୍ଥ୍ୟ ଓ ଚାପ ସଚେତନତା’ ଶୀର୍ଷକ ଏକ ଆଲୋଚନାଚକ୍ର ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାମରା ବ୍ଲକ ଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ଜ୍ୟୋତ୍ସ୍ନା ପଧାନ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ‘ଶକ୍ତିଶ୍ରୀ’ ସଂଯୋଜିକା ଅରୁଣା ମିଶ୍ର ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସେ ଛାତ୍ରୀମାନଙ୍କୁ ସଚେତନ, ସଶକ୍ତ ତଥା ସେମାନଙ୍କ ବ୍ୟକ୍ତିତ୍ୱର ରୂପାନ୍ତରଣ ଦିଗରେ ‘ଶକ୍ତିଶ୍ରୀ’ର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଇଂରାଜୀ ବିଭାଗର ଅଧ୍ୟାପକ ପ୍ରଦୀପ ପଣ୍ଡା ମାନସିକ ଚାପ ଦୂରୀକରଣ ପାଇଁ ଯୋଗାଭ୍ୟାସ ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିବା ବେଳେ ଓଡ଼ିଆ ବିଭାଗ ଅଧ୍ୟାପିକା ଡ.ତୃପ୍ତି ମିଶ୍ର ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ ଶୀର୍ଷକ ଉପରେ ନିଜର ବକ୍ତବ୍ୟ ରଖିଥିଲେ।
ମୁଖ୍ୟବକ୍ତା ଡାକ୍ତର ପଧାନ ଛାତ୍ରୀମାନଙ୍କୁ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ, ମାନସିକ ଅବସାଦର ପ୍ରାଥମିକ ଲକ୍ଷଣ ଏବଂ ଦୈନନ୍ଦିନ ଜୀବନର ଚାପରୁ ମୁକ୍ତ ରହିବାର ବିଭିନ୍ନ ଉପାୟ ସମ୍ପର୍କରେ ବାସ୍ତବଧର୍ମୀ ଉଦାହରଣ ସହ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପିକା କୁଣ୍ଡଳୀ ମହାନନ୍ଦ, ସାଇନା ଭୋଇ, ଚେତନା ଗର୍ତିଆ, ସୁଲକ୍ଷଣା ପଟେଲ, ମୁଶରଦ ଅନସାରୀ ଓ ବର୍ଣ୍ଣାଳୀ ଦେହୁରୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ଡାକ୍ତର ପଧାନ ଓ ଅଧ୍ୟାପିକାମାନେ ଛାତ୍ରୀମାନଙ୍କ ବିଭିନ୍ନ ବ୍ୟକ୍ତିଗତ ଓ ଶୈକ୍ଷିକ ସମସ୍ୟା ଉପରେ ପ୍ରତ୍ୟକ୍ଷ ଆଲୋଚନା କରି ସମାଧାନର ପନ୍ଥା ବତାଇଥିଲେ। ଅଧ୍ୟାପିକା ସୁପର୍ଣ୍ଣା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories