Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖପ୍ରାଖୋଲ ଓ ଘସିଏନ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩.୭୦ କୋଟିର ମହାଠକେଇ: କିରାଣୀ ଦୀପକ ଗିରଫ, ସମ୍ପର୍କୀୟଙ୍କ ଆକାଉଣ୍ଟ ଓ ବଡ଼ ମୁଣ୍ଡକୁ ନେଇ ବଢ଼ୁଛି ସନ୍ଦେହ ।

ବଲାଙ୍ଗୀର,୨୨।୧୧: ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ଏବଂ ଘସିଏନ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡ଼ାକ୍ତର ଓ କର୍ମଚାରୀଙ୍କ ବିଭିନ୍ନ ପାଉଣା ବାବଦ ପ୍ରାୟ ୩ କୋଟି ୭୦ ଲକ୍ଷ ଟଙ୍କା ଅଭିନବ ଉପାୟରେ ଠକେଇ ହୋଇଥିବା ମାମଲାରେ ନୂଆ ମୋଡ଼ ଆସିଛି। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କିରାଣୀ ଦୀପକ ସାହୁକୁ ଗିରଫ କରିବାରେ ଖପ୍ରାଖୋଲ ପୋଲିସ ସଫଳ ହୋଇଥିଲେ ହେଁ, ତଦନ୍ତର ଦିଗକୁ ନେଇ ଏବେ ସାଧାରଣରେ ଓ ସ୍ୱାସ୍ଥ୍ୟ ମହଲରେ ତୀବ୍ର ସନ୍ଦେହ ପ୍ରକାଶ ପାଇଛି।
ତଥ୍ୟ ଅନୁଯାୟୀ, ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ଓ କର୍ମଚାରୀଙ୍କ ହକର ପାଉଣା ଅର୍ଥକୁ ଅତ୍ୟନ୍ତ ଚତୁରତାର ସହ ଆତ୍ମସାତ କରାଯାଇଥିଲା। ଏହି ଠକେଇ ଟଙ୍କାର ଏକ ବଡ଼ ଅଂଶ ଅଭିଯୁକ୍ତ ଦୀପକର ବାପା, ଶଶୁର ଏବଂ ଅନ୍ୟ ନିକଟ ସମ୍ପର୍କୀୟ ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଥିବା ସ୍ପଷ୍ଟ ହୋଇଥିଲେ ମଧ୍ୟ, ସେମାନଙ୍କ ବିରୋଧରେ ପୋଲିସ ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ପଦକ୍ଷେପ ନେଇନାହିଁ। ଆର୍ଥିକ କାରବାରର ପ୍ରମାଣ ଥାଇ ମଧ୍ୟ ସମ୍ପୃକ୍ତ ସମ୍ପର୍କୀୟ ମାନଙ୍କୁ କାହିଁକି ସୁରକ୍ଷା ଦିଆଯାଉଛି, ତାକୁ ନେଇ ପୋଲିସର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍ୟପକ୍ଷରେ, କେବଳ ଜଣେ କିରାଣୀ ପକ୍ଷରେ ଏତେ ବଡ଼ ପରିମାଣର ଅର୍ଥ ହଡ଼ପ କରିବା ସମ୍ଭବ ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏହି ମହାଘୋଟାଲା ପଛରେ ବିଭାଗୀୟ କିମ୍ବା ବାହ୍ୟ କିଛି ‘ବଡ଼ ମୁଣ୍ଡ’ଙ୍କ ପରୋକ୍ଷ ବା ପ୍ରତ୍ୟକ୍ଷ ସଂପୃକ୍ତି ଥିବା ନେଇ ସନ୍ଦେହ ଘନୀଭୂତ ହେଉଛି। ସ୍ଥାନୀୟ ତଦନ୍ତରେ ସୀମିତ ନରହି, ଯଦି ଏହି ଘଟଣାର ତଦନ୍ତ ଭାର ଆର୍ଥିକ ଅପରାଧ ଶାଖା (EOW) କୁ ହସ୍ତାନ୍ତର କରାଯାଏ, ତେବେ ପ୍ରକୃତ ସତ୍ୟ ପଦାକୁ ଆସିବା ସହ ଆହୁରି ବଡ଼ ଧରଣର ଆର୍ଥିକ ଅନିୟମିତତା ଲୋକଲୋଚନକୁ ଆସିପାରିବ ବୋଲି ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମହଲରେ ଦାବି ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories