Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଇଁତଲା ରାଇସ୍ ମିଲ୍ ଷ୍ଟାଫ୍ ମୃତ୍ୟୁ ମାମଲା: ଦେଢ଼ ମାସ ପରେ ସନ୍ଦେହ ଘେରରେ ପୁଲିସ ଓ ମିଲ୍ କର୍ତ୍ତୃପକ୍ଷ, ନିଜେ ତଦନ୍ତ ଆରମ୍ଭ କଲେ ବଲାଙ୍ଗୀର ଏସ୍‌ପି ।

ବଲାଙ୍ଗୀର,୨୨।୧୧: ଗତ ଅକ୍ଟୋବର ମାସରେ ଘଟିଥିବା ଏକ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଦେଢ଼ ମାସ ପରେ ନୂଆ ମୋଡ଼ ଆସିଛି। ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ କୁସୁମଖୋଲ ସ୍ଥିତ ଲକ୍ଷ୍ମୀ ରାଇସ୍ ମିଲ୍‌ର କର୍ମଚାରୀ ପ୍ରମୋଦ ଜୈନ୍ ଓରଫ୍ ପିଣ୍ଟୁଙ୍କ ମୃତ୍ୟୁ ପଛରେ ବଡ଼ ରହସ୍ୟ ଲୁଚି ରହିଥିବା ନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ବଲାଙ୍ଗୀର ଏସ୍‌ପି ନିଜେ ଏହି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୧୩ ତାରିଖ ଦିନ ମିଲ୍ ନିକଟସ୍ଥ ବନ୍ଧରୁ ପିଣ୍ଟୁଙ୍କ ମୃତଦେହ ମିଳିଥିଲା। ପ୍ରାଥମିକ ପର୍ଯ୍ୟାୟରେ ସଇଁତଳା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାକୁ ହାଲୁକା ଭାବେ ନେଇଥିବା ଅଭିଯୋଗ ହୋଇଛି। ତେବେ ପ୍ରତିଦିନ ମିଲ୍ ଭିତରେ ଗାଧୋଉଥିବା ପିଣ୍ଟୁ ସେଦିନ କାହିଁକି ବନ୍ଧକୁ ଗାଧୋଇବାକୁ ଗଲେ, ତାହାକୁ ନେଇ ପରିବାର ଓ କୁଟୁମ୍ବ ଲୋକେ ପ୍ରଶ୍ନ ଉଠାଇଛନ୍ତି।
ଏହି ଘଟଣାରେ ମିଲ୍ ମାଲିକଙ୍କ ଭାଇ ଗୋପାଳ ଅଗ୍ରୱାଲଙ୍କ ବୟାନ ଓ ବାସ୍ତବ ସ୍ଥିତି ମଧ୍ୟରେ ତାଳମେଳ ରହୁନଥିବା ଦେଖିବାକୁ ମିଳିଛି। ମିଲ୍ ମାଲିକଙ୍କ କହିବା ମୁତାବକ, ପିଣ୍ଟୁ ସକାଳ ପ୍ରାୟ ୧୦ଟା/୧୦:୩୦ଟା ସମୟରେ ବନ୍ଧକୁ ଗାଧୋଇବାକୁ ଯାଇଥିଲେ ଏବଂ ଏଣ୍ଟ୍ରି ଖାତାରେ ୯:୪୫ରେ ଗେଟ୍ ପାର ହୋଇଥିବା ଉଲ୍ଲେଖ ରହିଛି। ସେଦିନ ମୋଟର ଖରାପ ଥିବାରୁ ପାଣି ସମସ୍ୟା ଥିଲା ବୋଲି ମାଲିକ ସଫେଇ ଦେଇଥିବା ବେଳେ ସିସିଟିଭି ରେକର୍ଡିଂ ମୋଡ୍ ଅନ୍ ନଥିବା ଓ ରାୟପୁରରୁ ଟେକ୍ନିସିଆନ୍ ଆସିନଥିବା କଥା କହିଛନ୍ତି। ଅନ୍ୟପଟେ ମିଲ୍ କର୍ମଚାରୀ ଅମରେଶ ଚନ୍ଦ୍ର ଖମାରୀଙ୍କ କହିବା ଅନୁଯାୟୀ, ବନ୍ଧରେ ବେଶୀ ପାଣି ନଥିଲା ଏବଂ ମୃତଦେହ ଭାସୁଥିବା ଦେଖାଯିବା ପରେ ମାଲିକ ନିଜେ ଗାଡ଼ି ଚଳାଇ ମେଡିକାଲ ନେଇଥିଲେ।
ତେବେ ମୃତ ପିଣ୍ଟୁଙ୍କ ବଡ଼ଭାଇ ସରୋଜ କୁମାର ଜୈନ୍ ଏହି ଘଟଣାକୁ ନେଇ ଗଭୀର ସନ୍ଦେହ ପ୍ରକାଶ କରିବା ସହ ପୁଲିସର କାର୍ଯ୍ୟଶୈଳୀ ଓ ମିଲ୍ କର୍ତ୍ତୃପକ୍ଷଙ୍କ ଭୂମିକା ଉପରେ ଏକାଧିକ ସଙ୍ଗୀନ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ବନ୍ଧରେ ମୃତଦେହ ମିଳିଥିବା ବେଳେ ପୁଲିସକୁ ନ ଜଣାଇ ମାଲିକଙ୍କ ଭାଇ ଗୋପାଳ ଅଗ୍ରୱାଲ କାହିଁକି ସିଧା ହସ୍ପିଟାଲ ନେଇଥିଲେ?
ହସ୍ପିଟାଲରେ ପରିବାର ଲୋକଙ୍କୁ କାହିଁକି କୁହାଯାଇଥିଲା ଯେ “ସବୁ କଥା ସରିଯାଇଛି, ୭–୮ ଲକ୍ଷ ଟଙ୍କା ଦିଆଯିବ”?
ପରିବାର ଲୋକଙ୍କୁ ନ ଡାକି ଓ ବିନା ସହମତିରେ ସଇଁତଳା ପୁଲିସ କାହିଁକି ହଡ଼ବଡ଼େଇ ଯାଇ ମୃତଦେହ ଜବତ କଲା ଏବଂ ସ୍ପଟ୍‌କୁ ନ ଯାଇ ପୋଷ୍ଟମର୍ଟମ୍ ପାଇଁ ପଠାଇଲା ?
ଘଟଣାସ୍ଥଳର ଫଟୋ କେଉଁଠି, କେଉଁ ଅଗ୍ନିଶମ ବାହିନୀ ବା ପୁଲିସ ଟିମ୍ ଉଦ୍ଧାର କଲା ଏବଂ ପିଣ୍ଟୁ ପାଣିରେ ବୁଡ଼ି ମଲେ ବୋଲି ମାଲିକ କେମିତି ଜାଣିଲେ ?
ଦୀର୍ଘ ଦେଢ଼ ମାସ ଧରି ନ୍ୟାୟ ପାଇଁ ଦୌଡ଼ିବା ପରେ ପରିବାର ଲୋକେ ବଲାଙ୍ଗୀର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଗୁରୁତର ସହ ନେଇ ବଲାଙ୍ଗୀର ଏସ୍‌ପି ନିଜେ ଏହି ଘଟଣାର ଯାଞ୍ଚ ଆରମ୍ଭ କରିଥିବାରୁ ଆଗାମୀ ଦିନରେ ମୃତ୍ୟୁର ପ୍ରକୃତ କାରଣ ଓ ତଦନ୍ତରେ ହୋଇଥିବା ତ୍ରୁଟି ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories