ବଲାଙ୍ଗୀର ଓମେନ୍ସ କଲେଜ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ସିଭିଲ୍ ସର୍ଭିସ୍ ପ୍ରସ୍ତୁତି କରୁଥିବା ଦୁଇ ସାଙ୍ଗ ମୃତ ।
ବଲାଙ୍ଗୀର,୨୬।୧୧ ବଲାଙ୍ଗୀର ସହରର ପ୍ୟାଲେସ୍ ଲାଇନ୍ ତଥା ଓମେନ୍ସ କଲେଜ ଛକରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଅଜଣା ଗାଡ଼ି ଧକ୍କାରେ ବାଇକରେ ଯାଉଥିବା ଦୁଇଜଣ ଯୁବକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତକମାନେ ଦୁଇଜଣ ଘନିଷ୍ଠ ବନ୍ଧୁ ଥିଲେ ଏବଂ ଉଭୟେ ସିଭିଲ୍ ସର୍ଭିସ ପାଇଁ ପ୍ରସ୍ତୁତି କରୁଥିଲେ ବୋଲି ଜଣାପଡିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ମୃତ ଯୁବକମାନଙ୍କ ମଧ୍ୟରୁ ଜଣେ ସଇଁତଳା ନିକଟସ୍ଥ ବିଭିନା ଗାଁର ପ୍ରକାଶ ସିଂହ ଭୋଇ ସେ ସମ୍ବଲପୁରରେ ଏବଂ ଅନ୍ୟଜଣେ ପାଟଣାଗଡ଼ କୁକୁରମୁଣ୍ଡା ଗାଁର ବିଜୟାନନ୍ଦ ମେହେର ବଲାଙ୍ଗୀରରେ ରହୁଥିଲେ ଓ ଦୁହେଁ ନବୋଦୟ ଛାତ୍ର ଥିଲେ ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଦୁଇ ସାଙ୍ଗ ବାଇକରେ ଯାଉଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
ଖବର ପାଇ ବଲାଙ୍ଗୀର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ପୋଷ୍ଟମର୍ଟମ ୱାର୍ଡରେ ରଖିଛି। ବର୍ତ୍ତମାନ ସେଠାରେ ପୋଲିସ ଟିମ୍ ଓ ମୃତକଙ୍କ ସମ୍ପର୍କୀୟମାନେ ଉପସ୍ଥିତ ଅଛନ୍ତି। ଦୁର୍ଘଟଣା ଘଟାଇ ଫେରାର ଥିବା ଗାଡ଼ିକୁ ଠାବ କରିବା ଏବଂ ଘଟଣାର ପ୍ରକୃତ କାରଣ ଖୋଜିବା ପାଇଁ ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରି ରଖିଛି।
ଏହି ଘଟଣା ପରେ ବଲାଙ୍ଗୀର ସହରରେ ବାଇପାସ୍ ରାସ୍ତା ନିର୍ମାଣ ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥାକୁ ନେଇ ପୁଣିଥରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବାଇପାସ୍ ରାସ୍ତା ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲେ ମଧ୍ୟ ଏହାର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି। ଫଳରେ ସହର ଭିତରକୁ ଭାରୀ ଯାନ ପ୍ରବେଶ ଉପରେ ‘ନୋ ଏଣ୍ଟ୍ରି’ କଟକଣା ଲାଗୁ କରାଯାଉଛି ଏବଂ ରାତି ୧୨ଟା ପରେ ଏକକାଳୀନ ସମସ୍ତ ଭାରୀ ଗାଡ଼ିକୁ ଛଡ଼ାଯାଉଛି। ବିଳମ୍ବିତ ରାତିରେ ଭାରୀ ଗାଡ଼ିଗୁଡ଼ିକ ଦ୍ରୁତଗତିରେ ଯିବା ଆସିବା କରୁଥିବାରୁ ସହର ଭିତରେ ବାରମ୍ବାର ସଡ଼କ ଦୁର୍ଘଟଣା ଘଟି ନିରୀହ ଲୋକଙ୍କ ଜୀବନ ଯାଉଥିବା ଅଭିଯୋଗ ହେଉଛି।
ଜିଲ୍ଲାରେ ସଡ଼କ ଦୁର୍ଘଟଣା ଏକ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ମିଳିଥିବା ସୂଚନା ମୁତାବକ, ଗତ ପାଞ୍ଚ ଦିନ ମଧ୍ୟରେ ପାଖାପାଖି ୬ ଜଣଙ୍କର ଜୀବନ ଯାଇସାରିଲାଣି। ଏଥିରେ NH-26 ରେ ୩ ଜଣ, NH-57 ରେ ଜଣେ ଏବଂ ବର୍ତ୍ତମାନ ସହର ଭିତରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ସାମିଲ ରହିଛି। ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ଦେଖୁଥିବା ଦୁଇ ଯୁବକଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

