ବଲାଙ୍ଗୀର ସଦର ପୋଲିସ୍ର ବଡ଼ ସଫଳତା: ୩ ଲୁଟ୍ ମାମଲାର ପର୍ଦ୍ଦାଫାସ, ଖଣ୍ଡା ଓ ବାଇକ୍ ସହ ୩ ଗିରଫ ।
ବଲାଙ୍ଗୀର,୨୬।୧୧: ବଲାଙ୍ଗୀର ସଦର ଥାନା ପୋଲିସ୍କୁ ମିଳିଛି ବଡ଼ ସଫଳତା । ଜିଲ୍ଲାରେ ନିକଟରେ ରୁଜୁ ହୋଇଥିବା ତିନୋଟି ଲୁଟ୍ (ରବରି) ମାମଲାର ପୋଲିସ୍ ସଫଳ ଡିଟେକ୍ସନ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କଠାରୁ ଡିସ୍ ବ୍ରେକ୍ରେ ନିର୍ମିତ ଦୁଇଟି ଲମ୍ବା ଖଣ୍ଡା, ଦୁଇଟି ଲୁଟ୍ ବାଇକ୍ (ମୋଟରସାଇକେଲ୍) ଏବଂ ଚାରୋଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି ।
ପୋଲିସ୍ ସୂଚନା ଅନୁଯାୟୀ, ବଲାଙ୍ଗୀର ସଦର ଥାନା ଅଞ୍ଚଳରେ ନିକଟରେ ତିନୋଟି ରବରି ମାମଲା ରୁଜୁ ହୋଇଥିଲା । ଏଥିମଧ୍ୟରୁ ଗୋଟିଏ ଘଟଣା ଗତ ୧୬/୧୧ ତାରିଖରେ ଚନ୍ଦନଭାଟି/ଚନ୍ଦନଘାଟି କଲେଜ ନିକଟରେ ଏବଂ ଆଉ ଏକ ଘଟଣା ୧୭/୧୧ ତାରିଖରେ ଖୁଜେନପାଲି ଅଞ୍ଚଳରେ ଘଟିଥିଲା । ଉକ୍ତ ମାମଲାଗୁଡ଼ିକରେ ମୋଟରସାଇକେଲ୍ ଓ ମୋବାଇଲ୍ ସ୍ନାଚିଙ୍ଗ୍ ଭଳି ଘଟଣା ସାମିଲ୍ ଥିଲା ।
ଖବର ପାଇବା ପରେ ପୋଲିସ୍ ପକ୍ଷରୁ ବୈଷୟିକ ସର୍ଭିଲାନ୍ସ, ମୋବାଇଲ୍ ଇଣ୍ଟେଲିଜେନ୍ସ, ସୂଚନା ସଂଗ୍ରହ ଓ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତକୁ ଜୋରଦାର କରାଯାଇଥିଲା । ତଦନ୍ତ ଆଧାରରେ ପୋଲିସ୍ ତିନୋଟି ଯାକ ମାମଲାର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ।
ଏହି ଘଟଣାରେ ଅମିତ୍ ବୁଡ଼େକ୍, ଅମିତ୍ କୁମ୍ଭାର ଏବଂ ଶଙ୍କର ବାଗ୍ଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ କେତେକ ମାଲଗୋଦାମ ପଡ଼ା ଅଞ୍ଚଳର ବୋଲି ସୂଚନା ରହିଛି ।
ଘଟଣାରେ ତିନି ଜଣ ନାବାଳକ (In conflict with law) ସାମିଲ୍ ଥିବା ବେଳେ ଆଉ ଚାରି ଜଣ ଅଭିଯୁକ୍ତ ଫେରାର୍ ଥିବା ପୋଲିସ୍ ସୂତ୍ରରୁ ଜଣାପଡ଼ିଛି ।
ଦନ୍ତ ବେଳେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଜଣେ ଅଭିଯୁକ୍ତ ବାଇକ୍ ନେଇ ଟାଉନ୍ ଏରିଆରେ ଜଣେ ଯୁବକଙ୍କୁ ଦେଇଥିଲା ଏବଂ ଜୁଆ ଖେଳରେ ଟଙ୍କା ହାରିଯାଇଥିଲା । ଘରେ ଗାଳି ଡରରେ ବାଇକ୍ ବନ୍ଧା ପକାଇ ଟଙ୍କା ନେଇଥିବା କଥା ପଚରାଉଚୁରା ଓ ସନ୍ଦେହ ପରେ ସ୍ପଷ୍ଟ ହୋଇଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଏହି ମାମଲାରେ BNSର ୧୧୧ ଦଫା ଅନୁସାରେ ମାମଲା ନଥିବାରୁ ଅଭିଯୁକ୍ତମାନଙ୍କୁ ସାଧାରଣ ରବରି ଓ ଡକାୟତି ଦଫାରେ କୋର୍ଟ ଚାଲାଣ କରାଯିବ ଏବଂ ଖୁବ୍ ଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ ବୋଲି ବଲାଙ୍ଗୀର SDPO ସରୋଜ ଉପାଧ୍ୟାୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

