ବାଲ୍ୟ ବିବାହ ମୁକ୍ତ ସମାଜ ଗଠନ ପାଇଁ ସାମୂହିକ ସଂକଳ୍ପ; ୩୦୦ରୁ ଊର୍ଦ୍ଧ୍ୱ ଗ୍ରାମରେ ମହମବତୀ ଶୋଭାଯାତ୍ରା ଓ ଶପଥ ପାଠ
ଜମନକିରା : ବାଲ୍ୟ ବିବାହ ଭଳି ସାମାଜିକ କୁସଂସ୍କାରର ମୂଳୋତ୍ପାଟନ ତଥା ଶିଶୁମାନଙ୍କ ସୁରକ୍ଷିତ ଭବିଷ୍ୟତ ଗଠନ ଲକ୍ଷ୍ୟରେ ଜମନକିରା, କୁଚିଣ୍ଡା ଓ ବାମରା ବ୍ଲକର ୩୦୦ରୁ ଊର୍ଦ୍ଧ୍ୱ ଗ୍ରାମରେ ବାଲ୍ୟ ବିବାହ ନିଷିଦ୍ଧ ଦିବସ ଅତ୍ୟନ୍ତ ଉତ୍ସାହ ଓ ସଚେତନତାର ସହ ପାଳିତ ହୋଇଯାଇଛି। ଗତ ତା ୨୫, ୨୬ ଓ ୨୭ ନଭେମ୍ବର ୨୦୨୬ରିଖ ତିନିଦିନ ଧରି ଆୟୋଜିତ ଏହି ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳର ଜନସାଧାରଣ, ମହିଳା ଗୋଷ୍ଠୀ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିପୁଳ ସଂଖ୍ୟାରେ ସାମିଲ ହୋଇଥିଲେ।
ଏହି ଅବସରରେ ସନ୍ଧ୍ୟା ସମୟରେ ଗ୍ରାମର ମହିଳା ଓ କିଶୋରୀମାନେ ହାତରେ ଜଳନ୍ତା ମହମବତୀ ଧରି ଶୋଭାଯାତ୍ରା କରିବା ସହ ସାମୂହିକ ଭାବେ ବାଲ୍ୟ ବିବାହ ବିରୋଧରେ ଶପଥ ଗ୍ରହଣ କରିଥିଲେ। ସେହିପରି ବିଭିନ୍ନ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ଭାବେ ଛିଡ଼ା ହୋଇ ବାଲ୍ୟ ବିବାହ ନ କରିବା ଏବଂ ନ କରାଇ ଦେବା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ।
ପରିବାର, ଗ୍ରାମ ତଥା ସମଗ୍ର ଅଞ୍ଚଳର ସମସ୍ତ ଶିଶୁ ନିୟମିତ ପାଠପଢ଼ି ସମାଜରେ ଜଣେ ଜଣେ ସୁନାଗରିକ ଓ ଭଲ ମଣିଷ ଭାବେ ଗଢ଼ି ଉଠିବାକୁ ଏହି ଅବସରରେ ଶପଥ ନେଇଥିଲେ। ପିଲାମାନଙ୍କର ଏହି ମହତ୍ ଉଦ୍ଦେଶ୍ୟକୁ ସାକାର କରିବା ଏବଂ ସେମାନଙ୍କ ଉଚ୍ଚଶିକ୍ଷା ଓ ସର୍ବାଙ୍ଗୀନ ବିକାଶ ଦିଗରେ ସମସ୍ତ ପ୍ରକାର ସହାୟତା ଓ ସହଯୋଗ ଯୋଗାଇ ଦେବାକୁ ଉପସ୍ଥିତ ପିତାମାତା ଓ ଅଭିଭାବକମାନେ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ।
‘ଜଷ୍ଟ ରାଇଟ୍ସ ଫର୍ ଚିଲଡ୍ରେନ୍’ (Just Rights for Children) ଅନୁଷ୍ଠାନର ସହାୟତାରେ ଆୟୋଜିତ ଏହି ତ୍ରିଦିବସୀୟ ସଚେତନତା ଅଭିଯାନକୁ ‘ସିଡି’ ର ବାଲ୍ୟ ବିବାହ ନିଷେଧ ପ୍ରକଳ୍ପର କର୍ମକର୍ତ୍ତା ଏବଂ ସମସ୍ତ ସିଡି କର୍ମୀମାନେ ସୁଚାରୁରୂପେ ପରିଚାଳନା କରି ସଫଳ କରାଇଥିଲେ। ସ୍ଥାନୀୟ ଅଞ୍ଚଳରେ ବାଲ୍ୟ ବିବାହ ବିରୋଧରେ ଜନଜାଗରଣ ସୃଷ୍ଟି କରିବାରେ ଏହି କାର୍ଯ୍ୟକ୍ରମ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।

