ଦୁଇ ଦଫା ଦାବି ପୂରଣ ନେଇ ଜମନକିରା ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ; ଡିସେମ୍ବର ୪ରୁ ବିଧାନସଭା ଘେରାଉ ଚେତାବନୀ
ଜମନକିରା, ୨୭/୧୧ (ଡ. ରବୀନ୍ଦ୍ର ପ୍ରସାଦ ଦାନୀ): ନୂତନ ପେନସନ ଯୋଜନା ପ୍ରାଥମିକ ଶିକ୍ଷକ ମହାସଂଘ, ଭୁବନେଶ୍ୱରର ଆହ୍ୱାନ କ୍ରମେ ଶୁକ୍ରବାର ଜମନକିରା ବ୍ଲକ ସ୍ତରୀୟ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଦୁଇ ଦଫା ଦାବି ପୂରଣ ନେଇ ଦାବିପତ୍ର ପ୍ରଦାନ କରାଯାଇଛି। ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟ ପରିସରରେ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, କମିଶନର ତଥା ଶିକ୍ଷା ସଚିବ ଏବଂ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏହି ସ୍ମାରକପତ୍ର ଦିଆଯାଇଛି। ସଂଘର ଦୁଇ ଦଫା ଦାବି ମଧ୍ୟରେ ପ୍ରଥମତଃ ପ୍ରାଥମିକ ଶିକ୍ଷକଙ୍କ ମୂଳ ପଦବୀକୁ ଅପଗ୍ରେଡ୍ କରି ଲେଭେଲ-୯ ଅନୁଯାୟୀ ୩୫,୪୦୦ ଟଙ୍କା ମୂଳ ବେତନ ପ୍ରଦାନ ଏବଂ ଦ୍ୱିତୀୟତଃ ୨୦୦୧ ମସିହାରୁ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନଙ୍କ ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରିବା ସହ ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ ଅନ୍ତର୍ଭୁକ୍ତ ରହିଛି। ଗତ ବର୍ଷ ଡିସେମ୍ବର ଏବଂ ଚଳିତ ବର୍ଷ ଏପ୍ରିଲ ମାସରେ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଥିଲେ ସୁଦ୍ଧା ସରକାର ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ନେଇ ନଥିବାରୁ ଶିକ୍ଷକ ମହାସଂଘ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛି। ଆସନ୍ତା ନଭେମ୍ବର ମାସ ଶେଷ ସୁଦ୍ଧା ଏହି ନ୍ୟାୟୋଚିତ ଦାବି ପୂରଣ ନହେଲେ, ଡିସେମ୍ବର ୪ ତାରିଖରୁ ବିଧାନସଭା ସମ୍ମୁଖରେ ସଂଗଠିତ ଭାବେ ବିକ୍ଷୋଭ ଓ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ଆଜିର ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସଂଘର ସମ୍ପାଦକ କାର୍ତ୍ତିକ କିଷାନ, କୋଷାଧ୍ୟକ୍ଷ ରାମଚନ୍ଦ୍ର ସିଂହଙ୍କ ସମେତ ଶିକ୍ଷକ ନେତା ପ୍ରଫୁଲ୍ଲ କୁମାର ବିଶ୍ୱାଳ, ସନ୍ତୋଷ କୁମାର ସାହୁ, ଦିଲ୍ଲୀପ କୁମୁରା, ଗୀତାଞ୍ଜଳି ନାୟକ, ସୀତା କିସାନ ଓ ଦୀନବନ୍ଧୁ ଜୟପୁରିଆ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ରରେ ସ୍ୱାକ୍ଷର କରିଥିଲେ।

