Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖତ ହେଇଗଲା ସାଢେ଼ ୩ ଲକ୍ଷ୍ୟ ଟଙ୍କାର ସୋଲାର ପାଣି ଟାଙ୍କି ପ୍ରକଳ୍ପ…ଅସହ୍ୟ ତାତିରେ ପାଣି ପାଇଁ ଡହକ ବିକଳ ଗ୍ରାମବାସୀ

ଜମନକିରା : ବର୍ତ୍ତମାନ ସମୟରେ ସମ୍ବଲପୁର ଜିଲ୍ଲାରେ ୪୫ ଡିଗ୍ରୀ ଉପରେ ତାପମାତ୍ରା ରହୁଥିବା ବେଳେ ଜମନକିରା ବ୍ଲକ ଅନ୍ତର୍ଗତ ଟିକିବା ଗ୍ରାମ ପଞ୍ଚାୟତ ରାଙ୍କିବାହାଲ ଗ୍ରାମରେ ଦେଖାଦେଇଛି ଜଳ ସଙ୍କଟ। ଲୋକେ ପାଣି ଟିକିଏ ପାଇଁ ଡହକ ବିକଳ ହେଉଥିବା ଅଭିଯୋଗ ହେଉଛି। ପଞ୍ଚାୟତ ଅଧିକାରୀ ଏବଂ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବ୍ୟାପକ ଅର୍ଥ ମାରଣା ହୋଇ ଲୋକେ ହନ୍ତସନ୍ତ ହେଉଛନ୍ତି। ପଞ୍ଚାୟତ କର୍ତ୍ତୃପକ୍ଷ ଏବଂ ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ ମାନେ ମିଶି ନିମ୍ନ ଗୁଣବତ୍ତା ଥିବା ସାମଗ୍ରୀ କିଣି ମାଲେମାଳ ହେଉଥିବା ଅଭିଯୋଗ ହେଉଛି। ୩ଲକ୍ଷ ୬୫ ହଜାର ଟଙ୍କାରେ ନିର୍ମିତ ସୋଲାର ପାଣି ଟାଙ୍କି ଗତକାଲି ଭୁଶୁଡ଼ି ପଡ଼ିଛି। ଯଦ୍ୱାରା ରାଙ୍କିବହାଲ ଗ୍ରାମବାସୀ ପାଣି ଟିକକ ପାଇଁ ନଳ କୂଅ କୁ ଯାଇ ଧାଡ଼ି ଲଗେଇ ପାଣି ଆଣୁଛନ୍ତି। ତେବେ ବହୁ ଦିନ ଧରି ବ୍ୟବହାର କରାଯାଉ ନଥିବାରୁ ପାଣି ବ୍ୟବହାର ପାଇଁ ଯୋଗ୍ୟ ନଥିବା ଗ୍ରାମବାସୀ ପ୍ରକାଶ କରୁଛନ୍ତି। ତେବେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ସଠିକ କଥା ଲୋକ ଲୋଚନକୁ ଆସିବ ଆଉ ଏହି ଦୁର୍ନୀତିରେ ସଂପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇ ପାରିବ ବୋଲି ଲୋକେ ଅଭିଯୋଗ ଆଣିଛନ୍ତି।
ସୂଚନା ଯୋଗ୍ୟ ଯେ, ରାଙ୍କିବାହାଲ ଗ୍ରାମରେ ପିଇବା ଯୋଗ୍ୟ ଏକ ମାତ୍ର ନଳକୂପ ଅଛି ଯେଉଁଠାରେ କି ପ୍ରଶାସନ ପକ୍ଷରୁ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ୧୫ ସିଏଫସି ଯୋଜନାରେ ୩ଲକ୍ଷ ୬୫ହଜାର ଟଙ୍କା ବ୍ୟୟ ଅଟକଳରେ ଏକ ସୋଲାର ପ୍ୟାନେଲ ସିଷ୍ଟମରେ ପାଣି ଟାଙ୍କି ବସାଇଥିଲେ। କିନ୍ତୁ ଗତ କାଲି ଦିନ୧୧ ଟା ସମୟରେ ଟାଙ୍କି ଟି ଆପେ ଆପେ ଭୁଷୁଡି ଯାଇଥିଲା। ସୋଲାର ପ୍ୟାନେଲର କାର୍ଯ୍ୟ ଗୋଟିଏ ବର୍ଷରେ ପାଣି ଟାଙ୍କି ଭୁଷୁଡି ପଡିବା ଟା ଗ୍ରାମବାସୀ ସହଜରେ ଗ୍ରହଣ କରି ପାରୁନାହାନ୍ତି। ନିମ୍ନମାନ ଏବଂ ନିମ୍ନଦର ର ଟାଙ୍କି ଦିଆ ଯାଇଥିଲା ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏଭଳି ସମସ୍ୟା ବ୍ଲକର ଅନେକ ସ୍ଥାନରେ ଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ସମୃକ୍ତ କମ୍ପାନୀ ଅଧିକାରୀଙ୍କ ମଧୁଚନ୍ଦ୍ରିକରେ କୋଟି କୋଟି ଟଙ୍କା ଆତ୍ମସାତ ହୋଇଥାଇ ପାରେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ଏସମସ୍ୟା ନେଇ ଲୋକେ ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ ଓ ପରିମଳ ବିଭାଗ ଅଧିକାରୀଙ୍କୁ ପଚାରିଲେ ସେମାନେ ପଞ୍ଚାୟତ ଅଧିକାରୀଙ୍କ ଦ୍ଵାରା ହେଇଥିବା କହୁଥିବା ବେଳେ ପଞ୍ଚାୟତ ଅଧିକାରୀ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଦ୍ଵାରା ନିର୍ମିତ ହୋଇଥିବା କଥା କହୁଛନ୍ତି। ତେବେ ପ୍ରକୃତରେ ଉଚ୍ଚସ୍ତରୀୟ ତଦନ୍ତ ହେଲେ ଏହାର ସତ୍ୟାସତ୍ୟ ବାହାରିବ ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କୁହାଯାଇଛି। ଅତି ଶୀଘ୍ର ନୂଆ ପାଣି ଟାଙ୍କି ଦିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।
ଏ ସଂପର୍କରେ ସ୍ଥାନୀୟ ସରପଞ୍ଚ ମମତା ଭେଙ୍ଗ୍ରା ଏବଂ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ମନୋଜ କୁମାର ସାହୁଙ୍କ ସହ ଯୋଗାଯୋଗ କରି ପଚାରିବାରୁ ସରପଞ୍ଚ ଦାୟିତ୍ୱରେ ରହିବା ଆଗରୁ ଏ ସୋଲାର ପ୍ୟାନେଲ, ଟାଙ୍କି ଏବଂ ସମସ୍ତ ବ୍ୟବହାର୍ଯ୍ୟ ସାମଗ୍ରୀକୁ ପୂର୍ବତନ ସରପଞ୍ଚ ଏବଂ ପୂର୍ବତନ ପିଇଓଙ୍କ ସମୟରେ କିଣା ଯାଇଥିବା ବେଳେ ମୋ ସମୟରେ କେବଳ ଲଗାଯାଇଛି। ପୂର୍ବତନ ପିଇଓ ଶ୍ରୀ ସାହୁ କିନ୍ତୁ ଅଭିଯୋଗକୁ ଖଣ୍ଡନ କରି ତାଙ୍କ ସମୟରେ କିଣା ହୋଇନଥିବା କଥା କହିଥିଲେ। ତେବେ ଖୁବ ଶୀଘ୍ର ନୂତନ ଟାଙ୍କିର ବ୍ୟବସ୍ଥା କରାଯିବ ବୋଲି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଜ୍ଞାନସ୍ୱରୁପା ବାଡ଼ା ପ୍ରତିଶୃତି ଦେଇଛନ୍ତି।