ଟାଟା ପାୱାର ର ଉତ୍ତମ ସେବାର ନମୁନା; ପ୍ରଥମ ବର୍ଷରେ ୨୧ଘଣ୍ଟାରୁ ଅଧିକ ବିଦ୍ୟୁତ ବିଭ୍ରାଟ
 
        ଜମନକିରା : ପ୍ରଥମ ବର୍ଷାରେ ବେହାଲ ହେଇଗଲା ବିଦ୍ୟୁତ ସେବା। ପାଖାପାଖି ୨୧ଘଣ୍ଟାରୁ ଅଧିକ ସମୟ ହେବ ବିଦ୍ୟୁତ ସରାବରାହ ବାଧାପ୍ରାପ୍ତ ହୋଇଛି। ଅସହ୍ୟ ଗୁଳୁଗୁଳି ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଛନ୍ତି। ଏଭଳି ସମସ୍ୟା ଭୋଗିଛନ୍ତି ଜମନକିରା ବିଦ୍ୟୁତ ସେକ୍ସନ ଉପରେ ନିର୍ଭର କରୁଥିବା ବିଦ୍ୟୁତ ଉପଭୋକ୍ତା ମାନେ। ଗତକାଲି ଶନିବାର ଅପରାହ୍ନ ପାଖାପାଖି ସାଢେ଼ ୩ ସମୟରୁ ବିଦ୍ୟୁତ ସରବରାହ ବନ୍ଦ ହୋଇଥିବା ବେଳେ ରାତିତମାମ ଯୋଗାଣ ସ୍ଵାଭାବିକ ହୋଇନଥିଲା। ଆଜି ଅପରାହ୍ନ ୧ଟା ୧୫ମିନିଟରେ ଯୋଗାଣ ସ୍ଵାଭାବିକ ହୋଇଛି। ହେଲେ ମଧ୍ୟ ଠିକରେ ରହୁନାହିଁ। ୨ଦିନ ପୂର୍ବରୁ ଅଞ୍ଚଳରେ ତାତି ୪୦ରୁ ଅଧିକ ଡିଗ୍ରୀ ରହିଥିବା ବେଳେ ଅଚାନକ ବର୍ଷା ଯୋଗୁଁ ମାଟିରୁ ଗରମ ବାଷ୍ପ ବାହାରି ଅତ୍ୟଧିକ ଗୁଳୁଗୁଳି ହେଉଛି। ତାସାଙ୍ଗକୁ ବିଦ୍ୟୁତ ବିଭ୍ରାଟ କଟା ଘା ରେ ଚୂନ ଲଗେଇବା ଭଳି ଲୋକଙ୍କୁ କଷ୍ଟ ଅନୁଭବ ହେଉଛି। ଲୋକେ ଭାବୁଥିଲେ ଟାଟା ପାୱାର ଦାୟିତ୍ଵ ନେଲା ପରେ ଉପଭୋକ୍ତା ମାନଙ୍କୁ ଉତ୍ତମ ସେବା ଯୋଗାଇବ  କିନ୍ତୁ ହେଉଛି ଓଲଟା। ସାଧାରଣ ବର୍ଷା ପାଣିରେ ବେହାଲ ହେଉଛି ବିଦ୍ୟୁତ ଯୋଗାଣ ବ୍ୟବସ୍ଥା। ୨୧ ଘଣ୍ଟା ପରେ ମଧ୍ୟ ନିରବଚ୍ଛିନ୍ନ ଭାବେ ଯୋଗାଣ ବ୍ୟାହତ ହେଉଛି। ଆଜି ଏ ସମସ୍ୟା ନେଇ ଜମନକିରା ଗ୍ରିଡ଼କୁ ଯୁବକ ମାନେ ଯାଇ ସମସ୍ୟା ପଚାରିଥିଲେ। କର୍ମଚାରୀ ମାନେ ଅଳ୍ପ ସମୟ ମଧ୍ୟରେ ବିଦ୍ୟୁତ ଯୋଗାଣ ସ୍ଵାଭାବିକ ହେବ ବୋଲି କହିଥିଲେ। ମାତ୍ର ଯଥା ପୂର୍ବମ୍ ତଥା ପରମ୍। ଖବର ଲେଖାଯିବା ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ହୋଇନାହିଁ। ତେବେ ଏଭଳି ଅବସ୍ଥା ଆଗାମୀ ଦିନରେ ହେଲେ ଆନ୍ଦୋଳନ କରାଯିବ ବୋଲି ଯୁବ ଗୋଷ୍ଟି ପ୍ରକାଶ କରିଛନ୍ତି। ଆହୁରି କହିଛନ୍ତି ବିଦ୍ୟୁତ ବିଲ ପାଇଁ କର୍ମଚାରୀ ଓ ଅଧିକାରୀ ମାନେ ମିଶି ଘନ ଘନ ତାଗିଦ କରୁଛନ୍ତି। ଟଙ୍କା ନଦେଲେ ବିଦ୍ୟୁତ ବିଚ୍ଛିନ୍ନ କରିଦେଉଛନ୍ତି। କିଛି କହିଲେ ଧମକ ଚମକ ଦେଇ  ଟଙ୍କା ଅସୁଲ କରୁଛନ୍ତି। ଅନ୍ୟପଟେ ଲାଇନ ବ୍ୟବସ୍ଥା ଠିକ କରୁନାହାନ୍ତି। ଏହାକୁ ତୀବ୍ର ବିରୋଧ କରିଛନ୍ତି ଯୁବକ ମାନେ।
ଏସଂକ୍ରାନ୍ତରେ ବୁର୍ଲା ସର୍ବୋଚ୍ଚ ଯନ୍ତ୍ରୀ ସଞ୍ଜିତ ନାୟକଙ୍କୁ ଯୋଗାଯୋଗ କରି ପଚାରିବାରୁ ପାଟ୍ରୋଲିଂ ଚାଲିଛି ଖୁବ ଶୀଘ୍ର ଯୋଗାଣ ସ୍ଵାଭାବିକ କରାଯିବ ବୋଲି କହିଥିଲେ।

 
                        
 
                                 
                                 
                                 
                                 
                                