Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟୁଇଟର ଉପରେ ୫୦ ହଜାର ଜରିମାନା ଲଗାଇଲେ କର୍ଣ୍ଣାଟକ ହାଇକୋର୍ଟ, କେନ୍ଦ୍ର ବିରୋଧରେ ଦାୟର ଯାଚିକା ଖାରଜ

ବେଙ୍ଗାଲୁରୁ: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ କର୍ଣ୍ଣାଟକ ହାଇକୋର୍ଟ ବଡ଼ ଝଟକା ଦେଇଛନ୍ତି। ଉଚ୍ଚ ନ୍ୟାୟାଳୟ ଟୁଇଟର ଦ୍ଵାରା ଦାୟର ସେହି ଆବେଦନକୁ ଅଗ୍ରାହ୍ୟ କରିଛନ୍ତି, ଯେଉଁଥିରେ ଟୁଇଟର ସାମଗ୍ରୀ ହଟାଇବା ଏବଂ ବ୍ଲକ ସଂପର୍କିତ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଦୌଗିକି ମନ୍ତ୍ରଣାଳୟର ଆଦେଶକୁ ଚ୍ୟାଲେଞ୍ଜ କରିଥିଲା। ହାଇକୋର୍ଟ କହିଛନ୍ତି, କମ୍ପାନୀର ଯାଚିକାରେ କୌଣସି ଆଧାର ନାହିଁ। ବିଚାରପତି କୃଷ୍ଣ ଏସ ଦୀକ୍ଷିତଙ୍କ ଜଣିକିଆ ପୀଠ ଟୁଇଟର କମ୍ପାନୀ ଉପରେ ୫୦ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି। ଜରିମାନା ରାଶି ୪୫ ଦିନ ଭିତରେ କର୍ଣ୍ଣାଟକ ରାଜ୍ୟ ବିଧିକ ସେବା ପ୍ରାଧିକରଣରେ ଜମା କରିବାକୁ କୋର୍ଟ ଆଦେଶ ଦେଇଛନ୍ତି।

ଅଦାଲତ ନିଷ୍ପତ୍ତିର ମୁଖ୍ୟ ଅଂଶକୁ ପଢି କହିଛନ୍ତି, ଉପରୋକ୍ତ ପରିସ୍ଥିତିରେ ଏହି ଯାଚିକାର କୌଣସି ଆଧାର ନାହିଁ ଏବଂ ଜରିମାନା ସହ ଏହାକୁ ଖାରଜ କରାଯାଉଛି। ଆବେଦନକାରୀଙ୍କ ଉପରେ ୫୦ ହଜାର ଟଙ୍କାର ଜରିମାନା ଲଗାଯାଉଛି। ଏହାକୁ ୪୫ ଦିନ ଭିତରେ କର୍ଣ୍ଣାଟକ ରାଜ୍ୟ ବିଧିକ ସେବା ପ୍ରାଧିକରଣରେ ଜମା କରିବାକୁ ପଡ଼ିବ। ଏଥିରେ ବିଳମ୍ବ ଘଟିଲେ ପ୍ରତିଦିନ ୫୦୦୦ ଟଙ୍କାର ଅତିରିକ୍ତ ଶୁଳ୍କ ଲାଗିବ। ବିଚାରପତି ଟୁଇଟର ଯାଚିକା ଖାରଜ କରି କହିଛନ୍ତି, କେନ୍ଦ୍ର ସରକାରଙ୍କ ଏହି ଦଲିଲରେ ସହମତ ଯେ, ତାଙ୍କ ପାଖରେ ଟୁଇଟକୁ ବ୍ଲକ କରିବା ଏବଂ ଆକାଉଣ୍ଟ ଉପରେ ରୋକ୍ ଲଗାଇବାର ଶକ୍ତି ରହିଛି।

ସୂଚନାଯୋଗ୍ୟ, ୨୦୨୧ ଫେବୃଆରୀରୁ ୨୦୨୨ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଭିନ୍ନ ଭିନ୍ନ ସମୟରେ ମୋଟ୍ ୧୪୭୪ ଟୁଇଟର ଆକାଉଣ୍ଟ ବନ୍ଦ କରିବା, ୧୭୫ ଟୁଇଟକୁ ବ୍ଲକ କରିବା ଏବଂ ୨୫୬ ୟୁଆରଏଲ ଓ ହ୍ୟାସଟ୍ୟାଗ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସରକାର ଏହି ନିର୍ଦ୍ଦେଶ ଆଇଟି ଆକ୍ଟ ୬୯ଏ ଆଧାରରେ ଜାରି କରିଥିଲେ। ଆକ୍ଟ ଅନୁସାରେ ସୋସିଆଲ ମିଡିଆ ଜରିଆରେ ଦେଶର ସାର୍ବଭୌମତ୍ଵ ଏବଂ ଅଖଣ୍ଡତାକୁ କ୍ଷତି ପହଞ୍ଚାଉଥିବା ବାର୍ତ୍ତାକୁ ହଟାଇବାର ଅଧିକାର କେନ୍ଦ୍ର ସରକାରଙ୍କ ନିକଟରେ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ