Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ବନକଲାଗି ନକଲେ ନିଆଯିବ କାର୍ଯ୍ୟାନୁଷ୍ଠାନ, ଚେତାବନୀ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ରଥଯାତ୍ରା ପରଠୁ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇ ପାରିନି। ଗତ ୨୪ ଦିନ ବିତିଗଲାଣି ହେଲେ ଆଜି ଯାଏ ଠାକୁରଙ୍କ ଶ୍ରୀମୁଖ ସିଂହାର ହୋଇ ପାରିନି। ବିଧି ମୁତାବକ ନ ହେବାରୁ ଠାକୁରଙ୍କ ଶ୍ରୀମୁଖ ମଳିନ ପଡ଼ିଗଲାଣି। ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ଦତ୍ତମହାପାତ୍ର ନିଯୋଗ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ବୁଧବାର ଅର୍ଥାତ ଆଜି ବନକଲାଗି ନୀତି ସଂପାଦନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦତ୍ତମହାପାତ୍ର ନିଯୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅବମାନନା କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ତେଣୁ ଆଜି ବନକଲାଗି ନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

୨୦୧୮ର ନିଷ୍ପତ୍ତି ଅନୁଯାୟୀ ବୁଧବାର ବନକଲାଗି ନୀତି କରାଯାଏ। କିନ୍ତୁ ଦତ୍ତମହାପାତ୍ର ନିଯୋଗ ଗୁରୁବାର କରିବା ଲାଗି ନିଜ ଜିଦରେ ଅଟଳ ଅଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଯାହା ନିଷ୍ପତ୍ତି ନେବେ ସେମାନେ ତାହା ମାନିବା କଥା। ନ ମାନିଲେ ଶ୍ରୀମନ୍ଦିର ସତ୍ଵଲିପି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀମନ୍ଦିର ମୁଖ ପ୍ରଶାସକ କହିଛନ୍ତି। ସୂଚନାଯୋଗ୍ୟ, ଗତ ବୁଧବାର ନୀତି ସଂପାଦନ ନ କରିବାରୁ ନୋଟିସ୍ ଜାରି ହୋଇଥିଲା। ଆଉ ଦତ୍ତମହାପାତ୍ର ନିଯୋଗ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଆଉ ଗୁରୁବାର ବନକଲାଗି କରିବାକୁ ଦତ୍ତମହାପାତ୍ର ନିଯୋଗ ନିଷ୍ପତ୍ତି ନେଇଥିଲେ।

ଗତକାଲି ଦତ୍ତମହାପାତ୍ର ନିଯୋଗ ସହ ଜିଲ୍ଲାପାଳ ଆଲୋଚନା କରିଥିଲେ । ଏଥିସହ ପରିଚାଳନା କମିଟି ସଦସ୍ୟ ଓ ଦଇତାପତି ନିଯୋଗ ସହ ମଧ୍ୟ ଆଲୋଚନା କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୁଧବାର ଦତ୍ତମହାପାତ୍ରଙ୍କ ସହଯୋଗରେ ବନକଲାଗି ନୀତି ଅନୁଷ୍ଠିତ ହେବ ବୋଲି କହିଥିଲେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର। ହେଲେ ଦତ୍ତମହାପାତ୍ର ନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ ଯୋଗୁଁ ଆସନ୍ତାକାଲି ବନକଲାଗି ନୀତି ଆଜି ହେବ କି ନାହିଁ ଆଶଙ୍କା ଉପୁଜିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ