Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବର୍ଷାରେ ବେହାଲ ସାରା ରାଜ୍ୟ, ୨୦ଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା, ବୌଦ୍ଧରେ ସର୍ବାଧିକ

ଭୁବନେଶ୍ଵର: ଲଗାଣ ବର୍ଷାରେ ବେହାଲ ସାରା ରାଜ୍ୟ। ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୩୯୦.୬ ମିମି ବର୍ଷା ହୋଇଛି। ସମ୍ବଲପୁର ଯୁଯୁମରାରେ ୩୬୦, ରେଢାଖୋଲରେ ୩୫୦ ମିମି, ମୟୂରଭଞ୍ଜ କରଞ୍ଜିଆରେ ୩୦୦ ମିମି ବର୍ଷା ରେକର୍ଡ କରାଯାଇଛି। ରାଜ୍ୟର ୨୦ଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇଥିବା ଜଣା ପଡ଼ିଛି।

ସେହିପରି ୫୦ଟି ସ୍ଥାନରେ ଅତିପ୍ରବଳ ଏବଂ ୬୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। କେନ୍ଦୁଝର ସରପଦାରେ ୨୮୦, ବୀରମହାରାଜପୁରରେ ୨୭୦, ସୋନପୁର ଉଲୁଣ୍ଡାରେ ୨୬୦, ଆଠମଲ୍ଲିକରେ ୨୩୦, ରାଜକିଶୋର ନଗର ଏବଂ ବିନିକାରେ ୨୩୦ ମିମି ଲେଖାଏଁ ବର୍ଷା, ଅଗଲପୁର, ଫିରିଙ୍ଗିଆ, ଯଶୀପୁରରେ ୨୨୨ ମିମି ଲେଖାଏଁ ବର୍ଷା, ରରୁଆଁ, ଡୁଙ୍ଗୁରିପାଲି, ଫୁଲବାଣୀ, ବାଲିଗୁଡ଼ା, ସକୁଳି, କେ ନୂଆଗାଁରେ ୨୧୦ ମିମି, ମ.ରାମପୁରରେ ୨୦୦ ମିମି ବର୍ଷା ରେକର୍ଡ କରାଯାଇଛି।

ଲଗାଣ ବର୍ଷା ଯୋଗୁଁ କେଉଁଠି ନଦୀର ଜଳସ୍ତର ବୃଦ୍ଧି ଘଟିଥିବା ବେଳେ କେଉଁଠି ବନ୍ୟା ପାଣି ରାସ୍ତା ଏବଂ ପୋଲ ଉପରେ ଚାଲିଲାଣି। ଅନ୍ୟପଟେ ସହରାଞ୍ଚଳମାନଙ୍କରେ ସ୍ଥିତି ସଙ୍ଗୀନ ହୋଇ ପଡ଼ିଛି। ରାଜ୍ୟର ବିଭିନ୍ନ ସହରରେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ସାରିଛି। ସେ ଭୁବନେଶ୍ଵର ହେଉ କି କଟକ କିମ୍ବା ସମ୍ବଲପୁର ଲୋକଙ୍କୁ ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ିଛି।