Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ଉପରେ ବିଲ୍, କମିଟିରେ ମିଳିବନି ପ୍ରଧାନ ବିଚାରପତିଙ୍କୁ ଜାଗା

ନୂଆଦିଲ୍ଲୀ: ଦିଲ୍ଲୀ ସର୍ଭିସ୍ ବିଲକୁ ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ଗୃହୀତ କରାଇବା ପରେ କେନ୍ଦ୍ର ସରକାର ଏବେ ମୁଖ୍ୟ ନିର୍ବାଚନ ଆୟୋଗ ଓ ଅନ୍ୟ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ସମ୍ବନ୍ଧିତ ଏକ ବିଧେୟକ ରାଜ୍ୟସଭାରେ ଆଗତ କରିଛନ୍ତି। ଏଥିରେ ନିର୍ବାଚନ ଆୟୋଗଙ୍କ ସେବା ସହ କାର୍ଯ୍ୟକାଳ ବୃଦ୍ଧି କରିବାର ଅଧିକାର ମଧ୍ୟ ରହିଛି। ସରକାର ଗୁରୁବାର ରାଜ୍ୟସଭାରେ ଏକ ପ୍ରସ୍ତାବିତ ଆଇନ ଉପସ୍ଥାପନ କରିଛନ୍ତି। ଏଥିରେ ନିର୍ବାଚନ ଆୟୋଗ(ସିଇସି), ନିର୍ବାଚନ ଆୟୁକ୍ତ(ଇସି)ଙ୍କ ନିଯୁକ୍ତି ପାଇଁ ଗଠିତ କମିଟିରୁ ପ୍ରଧାନ ବିଚାରପତିଙ୍କୁ ବାହାର କରାଯିବାର ପ୍ରସ୍ତାବ ରହିଛି।

ବିଧେୟକ ଅନୁସାରେ, ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ରାଷ୍ଟ୍ରପତିଙ୍କ ଦ୍ଵାରା ଗଠିତ ଏକ ଚୟନ କମିଟିର ସୁପାରିସ କ୍ରମେ କରାଯିବ। ପ୍ରଧାନମନ୍ତ୍ରୀ ଏହାର ଅଧ୍ୟକ୍ଷ ହେବେ। ଲୋକସଭାର ବିରୋଧୀ ଦଳ ନେତା ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ମନୋନୀତ ଜଣେ କେନ୍ଦ୍ରୀୟ ମନ୍ତ୍ରୀ କମିଟିରେ ସଦସ୍ୟ ରହିବେ। ଏଥିରୁ ପ୍ରଧାନ ବିଚାରପତିଙ୍କୁ ବାଦ୍ ଦିଆଯିବ। ସୁପ୍ରିମକୋର୍ଟ ମାର୍ଚ୍ଚରେ ଏକ ନିଷ୍ପତ୍ତି ଶୁଣାଇଥିଲେ। ଏଥିରେ ମୁଖ୍ୟ ନିର୍ବାଚନ ଆୟୋଗ ଏବଂ ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତିରେ କାର୍ଯ୍ୟପାଳିକାଙ୍କ ହସ୍ତକ୍ଷେପ କରିବା ସୁପ୍ରିମକୋର୍ଟଙ୍କ ଉଦ୍ଦେଶ୍ୟ ଥିଲା। ସର୍ବୋଚ୍ଚ ନ୍ୟାୟାଳୟ ନିଜ ନିଷ୍ପତ୍ତିରେ ଶୁଣାଇଥିଲେ ଯେ, ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଓ ଭାରତ ପ୍ରଧାନ ବିଚାରପତିଙ୍କ ସଦସ୍ୟତାରେ ଗଠିତ କମିଟିଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତିଙ୍କ ଦ୍ଵାରା ନିର୍ବାଚନ ଆୟୋଗଙ୍କ ନିଯୁକ୍ତି କରାଯିବ।

ବିଚାରପତି ଏମ ଯୋଶେଫଙ୍କ ନେତୃତ୍ଵାଧୀନ ୫ ଜଣିଆ ସାମ୍ବିଧାନିକ ପୀଠ ସର୍ବସମ୍ମତିରେ ନିଷ୍ପତ୍ତି ଶୁଣାଇଥିଲେ ଯେ, ଏହି ମାନଦଣ୍ଡ ସେ ପର୍ଯ୍ୟନ୍ତ ବଳବତ୍ତର ରହିବ ଯେ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ସଂସଦରେ କୌଣସି ଆଇନ ତିଆରି ନ ହୋଇଛି। ନିର୍ବାଚନ ଆୟୁକ୍ତ ଅନୁପ ଚନ୍ଦ୍ର ପାଣ୍ଡେ ଆସନ୍ତା ବର୍ଷ ଫେବୃଆରୀ ୧୪ରେ ୬୫ ବର୍ଷ ବୟସ ପରେ ଅବସର ନେବେ। ସେ ୨୦୨୪ ଲୋକସଭା ନିର୍ବାଚନର ସମ୍ଭାବିତ ତାରିଖ ଘୋଷଣାର କିଛି ଦିନ ପୂର୍ବରୁ ଅବସର ଗ୍ରହଣ କରିବେ।