Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଂଶୁମାନ ବାବୁଙ୍କୁ ଉଜ୍ୱସିତ ସମ୍ବର୍ଦ୍ଧନା

ସମ୍ବଲପୁର:ଆନ୍ତଃର୍ଜାତୀୟ ସ୍ତରରେ ଅଂଶୁମାନ ବାବୁ ଏକ ଉଦୀୟମାନ ତାରକାର ସୌଭାଗ୍ୟ ଅର୍ଜନ କରିବା ପରେ ଆଜି ତାଙ୍କ ଭିଟାମାଟକୁ ଫେରିବା ପରେ ତାଙ୍କୁ ସମ୍ବଲପୁର ସିଟି ରେଲୱେ ଷ୍ଟେସନ ଓ ନିଜ ଗାଁ ଠେମେରାରେ ଉଜ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି। ଚଳିତ ମାସ ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ପଟ୍ଟାୟା ଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତଃର୍ଜାତୀୟ ସଫ୍ଟ ଟେନିସ୍ ଚମ୍ପିଆନସିଫ ୨୦୨୩ ରେ ୨୧ ବର୍ଷରୁ କମ୍ ବର୍ଗରେ ଅଂଶଗ୍ରହଣ କରି ଅଂଶୁମାନ ଭାରତ ପାଇଁ ଆଣିଛନ୍ତି ରୌପ୍ୟ ପଦକ।ଆଜି ସେ ରାଉରକେଲା ଇଣ୍ଟରସିଟିରେ ନିଜ ଭିଟାମାଟିକୁ ଫେରିବା ପରେ ସେବା,ଠେମେରା ନୂଆଁଖାଇ ଭେଟଘାଟ କମିଟି ପ୍ରଭୃତି ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଏହି ସମ୍ବର୍ଦ୍ଧନା ଦିଆଯାଇଥିଲା। ସିଟି ଷ୍ଟେସନରେ ଓଲ୍ଲାଇବା ପରେ ସେଠି ତାଙ୍କୁ ସମ୍ବର୍ଦ୍ଧିତ କରି ନିଜ ଭିଟା ମାଟି ଠେମେରାକୁ ପାଛୋଟି ନିଆଯାଇଥିଲା। ଏହି ସମୟରେ ଅଂଶୁମାନ ଜିନ୍ଦାବାଦରେ ଗାଁ ପ୍ରକମ୍ପିତ ହୋଇପଡିଥିଲା।
ସର୍ବଭାରତୀୟ ସ୍ତରରେ ମୋଟ ୧୬ ଜଣଙ୍କ ମଧ୍ୟରୁ ଠେମେରା ଗ୍ରାମର ଅଂଶୁମାନ ଥିଲେ ଓଡିଶାର ଏକମାତ୍ର ତାରକା।ଏହି ସଫଳତା ଅଂଶୁମାନ ପାଇଥିଲେବି ପ୍ରତିଯୋଗିତାରେ ଭାଗ ନେବାକୁ ତାଙ୍କ ପାଇଁ ଅର୍ଥ ସାଜିଥିଲା ବାଧକ।ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାଶ ଏହା ଜାଣିବା ପରେ ସହଯୋଗର ହାତ ବଢାଇଥିଲେ।ଶ୍ୟାମ ମେଟାଲିକ ପକ୍ଷରୁ ତାଙ୍କୁ ସହଯୋଗ କରାଯାଇଥିଲା। ଟେନିସ୍ ଫେଡେରେସନ୍ ଅଫ ଇଣ୍ଡିଆ ପକ୍ଷରୁ ଚୟନ ହୋଇ ଆନ୍ତର୍ଜାତୀୟ ସ୍ତରରେ ଭାଗ ନେଇ ଭାରତକୁ ରୌପ୍ୟ ପଦକ ଧରି ଆସିଥିବା ଏହି ଉଦୀୟମାନ ତାରକା ଅଂଶୁମାନ ହେଉଛନ୍ତି ଠେମେରା ଗ୍ରାମର ମୂଳ ନିବାସୀ ସଞ୍ଜିବ ଓ ଗାୟତ୍ରୀ ବାବୁଙ୍କ ଦ୍ୱିତୀୟ ପୁତ୍ର।ଅଂଶୁମାନଙ୍କ ଏହି ସଫଳତା ସର୍ବ ଭାରତୀୟ ସ୍ତରରେ କେବଳ ଗୌରବ ଆଣିନି ବରଂ ଓଡିଶା ଏଥିପାଇଁ ଗର୍ବିତ ଥିବା ନେଇ ଅଂଶୁମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ ସରକାରଙ୍କ ଯୁବ ଓ କ୍ରୀଡା ବିଭାଗ। ଆଜି ଅଂଶୁମାନଙ୍କ ଫେରିବା ବାଟକୁ ସମସ୍ତେ ଚାହିଁ ବସିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ଅଂଶୁମାନଙ୍କ କୋଚ ସୁମିତ ପଣ୍ଡା ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ