ପାହାଡ଼ି ରାଜ୍ୟରେ ବିପର୍ଯ୍ୟୟର ତାଣ୍ଡବ, ହିମାଚଳରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ


ଡେରାଡୁନ/ସିମଲା: ପ୍ରାକୃତିକ ବିପର୍ଯ୍ୟୟରେ ଅଣନିଃସ୍ଵାସୀ ଦେଶର ୨ ରାଜ୍ୟ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ। ବାଦଲ ଫଟା ବର୍ଷା ଯୋଗୁଁ ଦୁଇ ରାଜ୍ୟରେ ଜଳପ୍ରଳୟ ସ୍ଥିତି ଉପୁଜିଛି। ଭୀଷଣ ବର୍ଷାରେ ଅନେକ ଜିଲ୍ଲା ଜଳମଗ୍ନ ରହିଛି। ହିମାଚଳ ପ୍ରଦେଶରେ ଆଜି ଭୀଷଣ ବର୍ଷା ଯୋଗୁଁ ଏ ପର୍ଯ୍ୟନ୍ତ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ ଅଛନ୍ତି। ରାଜ୍ୟର ୩ ଜିଲ୍ଲା ଉନ୍ନା, କିନ୍ନୋର ଓ ଲାହୋଲ ସ୍ପିତିକୁ ଛାଡି ସମସ୍ତ ୯ ଜିଲ୍ଲାକୁ ନେଇ ପାଣିପାଗ ବିଭାଗ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି।

ସୋଲାନ ଜିଲ୍ଲାର ଜାଦୋନ ଗାଁରେ ବାଦଲ ଫଟା ବର୍ଷାରେ ଭୂସ୍ଖଳନ ଯୋଗୁଁ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ତିନି ଜଣ ନିଖୋଜ ଅଛନ୍ତି। ପୋଲିସ ଅନୁଯାୟୀ, ସୋମବାର ରାତିରେ ବାଦଲ ଫଟା ବର୍ଷା ଯୋଗୁଁ ଦୁଇଟି ଦୋକାନା ଗୃହ ଭାସି ଯାଇଛି ଏବଂ ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ସିମଲାରେ ମଧ୍ୟ ବଡ଼ ଦୁର୍ଘଟଣା ଘଟିଛି। ଭୂସ୍ଖଳନ ଯୋଗୁଁ ସିମଲାର ସମର ହିଲ୍ ଅଞ୍ଚଳରେ ଏକ ଶିବ ମନ୍ଦିର ଉପରେ ପାହାଡ଼ ଭୁଶୁଡି ପଡ଼ିଛି। ଘଟଣାରେ ପ୍ରାୟ ୨୪ ଜଣ ମାଟି ଓ ପଥର ଅତଡ଼ା ତଳେ ଦବି ହୋଇ ରହିଛନ୍ତି। ଏ ପର୍ଯ୍ୟନ୍ତ ୯ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ରାଜ୍ୟରେ ଭୀଷଣ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ଆଦେଶ ଦିଆଯାଇଛି। ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଦୁଃଖ ବ୍ୟକ୍ତ କରି ମୃତକଙ୍କ ପରିଜନ ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି।