ସମ୍ବଲପୁର (ଗୌଡପାଲି): ସ୍ୱାମୀର ନିର୍ଯ୍ୟତନା ଦିନକୁ ଦିନ ଅସହ୍ୟ ହେବାରୁ ସ୍ୱାମୀ ଓ ସଂପର୍କିୟ ଓ ତା ସହଯୋଗୀ ମାନଙ୍କ ବିରୋଧରେ ସ୍ତ୍ରୀ ଦେଲେ ଏତଲା ।ଏତଲା ପରେ ସ୍ୱାମୀ ତା ଦ୍ୱିତୀୟ ସ୍ତ୍ରୀ ଫେରାର ହୋଇ ଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଜମନକିରା ଥାନା ଗୌଡପାଲି ଫାଣ୍ଡିରେ ଘଟିଛି ଏଭଳି ଘଟଣା। ଜମନକିରା ବ୍ଲକ ମୁଣ୍ଢେନପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘୁଷୁରାଗୁଡା ଗ୍ରାମର ସୁଶାନ୍ତ ମୁଣ୍ଡା ୨୦ ମେ ୨୦୧୪ ମସିହାରେ ଯୁଯୁମୁରା କଂସର ଅଞ୍ଚଳର କୌଶଲ୍ୟା ମୁଣ୍ଡାଙ୍କୁ ରେଜିଷ୍ଟ୍ରି (ପଞ୍ଜିକୃତ) ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ୬ ବର୍ଷର ଓ ଗୋଟିଏ ୧ ବର୍ଷର କନ୍ୟା ସନ୍ତାନ ରହିଛନ୍ତି । କିନ୍ତୁ ବର୍ଷେ ତଳେ ସୁଶାନ୍ତ ଅନ୍ୟ ଜଣେ ଝିଅକୁ ଭଲ ପାଇ ଅନ୍ୟତ୍ର ରହୁଥିଲେ । ସାଙ୍ଗରେ ନିଜ ବୁଢୀମାକୁ ମଧ୍ୟ ନେଇ ଯାଇଥିଲେ। ତେବେ ଗତ ୧୯ ତାରିଖରେ ସୁଶାନ୍ତର ମାଆଙ୍କ ମୃତ୍ୟୁ ପରେ ତାଙ୍କ ମରଶରୀରକୁ ନେଇ ସୁଶାନ୍ତ ଓ ତାଙ୍କ ନୂତନ ସ୍ତ୍ରୀ ଘୁଷୁରାଗୁଡାକୁ ଆଣି ନିଜ ଘର ସମ୍ମୁଖରେ ରଖିଥିଲେ । ତେବେ ସୁଶାନ୍ତଙ୍କ ପ୍ରଥମ ସ୍ତ୍ରୀ କୌଶଲ୍ୟା ସୁଶାନ୍ତଙ୍କ ଦ୍ବିତୀୟ ସ୍ତ୍ରୀକୁ ଘର ଭିତରକୁ ଆସିବା ପାଇଁ ବାରଣ କରିଥିଲେ । କିଛି ସମୟ ଧରି ପାଟିତୁଣ୍ଡ ମଧ୍ୟ ହୋଇଥିଲା । ତେବେ ଏଥିରେ ଉତକ୍ଷିପ୍ତ ହୋଇ ସୁଶାନ୍ତ ପ୍ରଥମ ସ୍ତ୍ରୀ କୌଶଲ୍ୟାକୁ ବିଭିନ୍ନ ଗାଳି ଗୁଳଜ ସହ ମାଡ ମାରି ଜୀବନରେ ମାରିଦେବାକୁ ଏପରିକି ମାଁ ସହ ତାକୁବି ସମାଧି କରିଦେବୁ ବୋଲି ଧମକ ଦେଇଥିବା ନେଇ ଏତଲାରେ ଦର୍ଶାଯାଇଛି। ମାଡ ମାରିଲା ବେଳେ ତିଲେଇମାଲ ଗ୍ରାମର ହେମନ୍ତ ମୁଣ୍ଡା ଏବଂ ସୁଶାନ୍ତଙ୍କ ସଂପର୍କୀୟ ବୈରାଜିନି ମୁଣ୍ଡା, ଭାଲୁ ମୁଣ୍ଡା, ଅବନ୍ତି ମୁଣ୍ଡା, ସୁକାନ୍ତି ମୁଣ୍ଡା, ସୁସ୍ମିତା ମୁଣ୍ଡା ଓ ୟାକୁବ ମୁଣ୍ଡା ସାହାଯ୍ୟ କରିଥିବା ନେଇ କୌଶଲ୍ୟା ଅଭିଯୋଗ କରିଛନ୍ତି । କୌଶଲ୍ୟା ମୁଣ୍ଡାଙ୍କ ଅଭିଯୋଗକ୍ରମେ ଜମନକିରା ଥାନାରେ କେସ ନମ୍ବର ୯୫/୨୦.୦୮.୨୦୨୩ ୟୁ/ଏସ ୩୪୧/୪୯୮(ଏ)୩୨୩/୨୯୪/୫୦୬/୩୪ ଆଇପିସି ଧାରା ଅନୁଯାଇ ମାମଲା ଦାଏର ହୋଇଅଛି । ପୋଲିସ ଘଟଣା ଦିନରୁ ନିଜର ତଦନ୍ତ ଚଳାଇଥିବା ବେଳେ ସୁଶାନ୍ତ ମୁଣ୍ଡା ନିଜ ସ୍ତ୍ରୀ ସହ ଫେରାର ଅଛନ୍ତି। ଅନ୍ୟ ଅଭିଯୁକ୍ତମାନଙ୍କୁ ପୋଲିସ ପଚରା ଉଚୁରା କରି ନିଜର ସନ୍ଧାନ ଚଲାଇଥିବା ନେଇ ପୋଲିସ କହିଛି । ତେବେ ଏହି ଘଟଣା ଭିନ୍ନ ମୋଡ ନେଉଥିବା ନେଇ ଅଞ୍ଚଳର କିଛି ସାମାଜିକ କର୍ମୀ ଏଥିରେ ହସ୍ତକ୍ଷେପ କରି ଘଟଣାର ପ୍ରକୃତ ତଦନ୍ତ ଓ କାର୍ଯ୍ୟନୁଷ୍ଟାନ ପାଇଁ ଗୌଡପାଲି ପୋଲିସର ସହଯୋଗ ଲୋଡିଥିଲେ । ପୋଲିସ ମଧ୍ୟ ଏଥିରେ ପୂର୍ଣ୍ଣ ସହଯୋଗ କରିଥିବା ସେମାନେ ପ୍ରକାଶ କରିଛନ୍ତି।
ନିର୍ଯ୍ୟାତନା ସହି ନ ପାରି ସ୍ବାମୀ ବିରୁଦ୍ଧରେ ସ୍ତ୍ରୀଙ୍କ ଏତାଲା
