ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ ପରେ ଭାରତୀୟ ମହାକାଶ ଗବେଷଣାକାରୀ ସଂଗଠନ(ଇସ୍ରୋ) ନିଜର ପରବର୍ତ୍ତୀ ଅଭିଯାନ ଆରମ୍ଭ କରି ଦେଇଛି। ଚନ୍ଦ୍ରଯାନ-୩ର ସଫଳତା ସୁନିଶ୍ଚିତ କରିବା ସହିତ ଇସ୍ରୋ କିଛି ବଡ଼ ପ୍ରକଳ୍ପ ଉପରେ ମଧ୍ୟ କାମ କରୁଛି, ଯାହା ଆଗାମୀ ମାସରେ ଉଡ଼ାଣ ଭରିବାକୁ ପ୍ରସ୍ତୁତ। ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି, ଆଗାମୀ ୩ ମାସରେ ଇସ୍ରୋ ଆଦିତ୍ୟ ଏଲ-୧ ଓ ଗଗନଯାନ ସମେତ ଅନେକ ମହତ୍ଵପୂର୍ଣ୍ଣ ମିଶନ ଲଞ୍ଚ କରିବାକୁ ଯାଉଛୁ।
ସୋମନାଥ କହିଛନ୍ତି, ଆମ ନିକଟରେ କିଛି ବଡ଼ ପ୍ରୋଜେକ୍ଟ ରହିଛି। ଚନ୍ଦ୍ରଯାନ-୩ ସଫଳ ମିଶନ ପରେ ଆମେ ଆଦିତ୍ୟ ଏଲ-୧ ପ୍ରକଳ୍ପ ଉପରେ କାମ ଆରମ୍ଭ କରିବାକୁ ଯାଉଛୁ। ଏହା ଭାରତର ପ୍ରଥମ ସୂର୍ଯ୍ୟ ମିଶନ, ଯାହା ସୂର୍ଯ୍ୟର ଅଧ୍ୟୟନ କରିବ। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏହାକୁ ଉତକ୍ଷେପଣ କରାଯିବାର ଯୋଜନା ଥିବା ଇସ୍ରୋ ଅଧ୍ୟକ୍ଷ କହିଛନ୍ତି। ପ୍ରୋଜେକ୍ଟକୁ ପ୍ରଥମରୁ ହିଁ ପ୍ରସ୍ତୁତ କରାଯାଇଛି। ଏପରିକି ଆଦିତ୍ୟ ଏଲ-୧କୁ ଶ୍ରୀହରିକୋଟା ପ୍ରକ୍ଷେପଣ କେନ୍ଦ୍ରକୁ ମଧ୍ୟ ନିଆଯିବାର କାମ ସରି ସାରିଛି। ଇସ୍ରୋ ଅନୁଯାୟୀ, ଏହି ଅନ୍ତରୀକ୍ଷ ଯାନରେ ୭ ପ୍ରକାରର ବୈଜ୍ଞାନିକ ପେଲୋଡ୍ସ ରହିବ। ଏହା ଜରିଆରେ ଅଲଗା ଅଲଗା ପ୍ରକାରେ ସୂର୍ଯ୍ୟର ଅଧ୍ୟୟନ କରାଯିବ। ଏହି ଯାନ ପାଖାପାଖି ୫ ବର୍ଷ ସୂର୍ଯ୍ୟର ଅଧ୍ୟୟନ କରିବ।
ଆଦିତ୍ୟ ଏଲ-୧ ସୂର୍ଯ୍ୟର ଅଧ୍ୟୟନ କରିବାରେ ଭାରତର ପ୍ରଥମ ସମର୍ପିତ ବୈଜ୍ଞାନିକ ମିଶନ ହେବ। ଏହା ପୂର୍ବରୁ ଏହି ମିଶନର କଳ୍ପନା ଆଦିତ୍ୟ ଏଲ-୧ ରୂପେ କରାଯାଇଥିଲା, ଯେଉଁଥିରେ ୪୦୦ କିଲୋଗ୍ରାମ ବର୍ଗର ଉପଗ୍ରହ ସହିତ ଏକ ପେଲୋଡ, ଭିଜିବଲ ଏମିଶନ ଲାଇନ କୋରୋନାଗ୍ରାଫ ଭିଇଏଲସି ଥିଲା। ଏହାକୁ ପୃଥିବୀର କକ୍ଷରୁ ୮୦୦ କିମି ତଳକୁ ଉତକ୍ଷେପଣ କରାଯିବାର ଯୋଜନା କରାଯାଇଥିଲା।
ଆଦିତ୍ୟ ଏଲ-୧ ବିଦ୍ୟୁତ ଚୁମ୍ବକୀୟ, କଣିକା ଓ ଚୁମ୍ବକୀୟ କ୍ଷେତ୍ର ଉପାଦାନର ଉପଯୋଗ କରି ପ୍ରକାଶମଣ୍ଡଳ, କ୍ରୋମୋସ୍ଫିୟର ଓ ସୂର୍ଯ୍ୟର ସବୁଠୁ ବାହ୍ୟ ଆବରଣର ଅଧ୍ୟୟନ କରିବ। ଏଥିରେ ଚାରୋଟି ପେଲୋଡ୍ ମଧ୍ୟରୁ ଗୋଟିଏ ପେଲୋଡ୍ ଏଲ ୧ର ଉପଯୋଗ କରି ସିଧାସଳଖ ସୂର୍ଯ୍ୟ ଉପରେ ନଜର ରଖିବେ। ଅନ୍ୟ ୩ ପେଲୋଡ୍ କଣିକା ଓ ସୂର୍ଯ୍ୟ କ୍ଷେତ୍ରର ଇନ-ସିଟୁ ଅଧ୍ୟୟନ କରିବେ। ସୌର ଗତିଶୀଳତାର ପ୍ରଭାବ କେମିତି ରହିଛି ତାର ମହତ୍ଵପୂର୍ଣ୍ଣ ବୈଜ୍ଞାନିକ ଅଧ୍ୟୟନ ଏହି ମିଶନ ଜରିଆରେ କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।