Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସମସ୍ୟା ଘେରରେ ଖଲ୍ଲିକୋଟ ଆର୍ଟ କଲେଜ, ଛାତ୍ରାବାସ ଅବସ୍ଥା ଶୋଚନୀୟ, ୩୦୦ ବର୍ଷ ତଳର ପୁରାତନ ରାଜପ୍ରାସାଦରେ ଚାଲୁଛି କଲେଜ, ବର୍ଷା ହେଲେ ପାଣି ଝରୁଛି ଓ ଛାତ ରୁ ପଲସ୍ତରା ଖସୁଛି

ଖଲ୍ଲିକୋଟ–୨୪/୦୮–ରାଜ୍ୟ ସରକାର ପିଲାଙ୍କର ଚିତ୍ରକଳା ଶିକ୍ଷା ର ଆବଶ୍ୟକତା କୁ ଉପଲବ୍ଧି କରି ଗତ ୧୯୫୭ ମସିହାରେ ଖଲ୍ଲିକୋଟ ରାଜପ୍ରାସାଦରେ ପ୍ରତିଷ୍ଠା କରିଥିଲେ ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ।ଏହାର ପ୍ରଥମ ଅଧ୍ୟକ୍ଷ ଥିଲେ ବିଶିଷ୍ଟ ଚିତ୍ରଶିଳ୍ପୀ ସ୍ବର୍ଗତ ଶରତ ଚନ୍ଦ୍ର ଦେବ ।ଏହାପରେ ଅଜିତ କେଶରୀ ରାୟ ,ବିପ୍ର ଚରଣ ମହାନ୍ତି, ବିନୋଦ ରାଉତରାୟ, ଦୁର୍ଗା ପ୍ରସାଦ ଦାସ, ଅଲେଖ ଚନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ଦାସ, ଜୟନ୍ତ କୁମାର ଦାସ ଙ୍କ ଭଳି ବହୁ ବିଶିଷ୍ଟ ଚିତ୍ରଶିଳ୍ପୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି ।ଏହି ଅନୁଷ୍ଠାନ ରେ ପାଠ ପଢି ବହୁ ଛାତ୍ରଛାତ୍ରୀ ଦେଶ ବିଦେଶରେ ନିଜର ପରିଚୟ ସୃଷ୍ଟି କରିବା ସହ ଉଚ୍ଚ ପଦବୀରେ ପ୍ରତିଷ୍ଠିତ ମଧ୍ୟ ହୋଇ ପାରିଛନ୍ତି ।ତେବେ ଓଡ଼ିଶାର ଏହି ସର୍ଵ ପ୍ରଥମ ଆର୍ଟ କଲେଜ ଟି ବର୍ତ୍ତମାନ ନାନା ସମସ୍ୟା ଦେଇ ଗତି କରୁଛି ।ଏହାର ମୁଖ୍ୟ ସମସ୍ୟା ହେଲା ବିଲ୍ଡିଂ ।ପ୍ରାୟ ୩୦୦ ବର୍ଷ ତଳର ପୁରାତନ ରାଜପ୍ରାସାଦରେ ଏହି କଲେଜ ଟି ଚାଲୁଛି ।କୋଠା ର ବହୁ ସ୍ଥାନରେ ଫାଟ ସୃଷ୍ଟି ହେବା ସହ ବର୍ଷା ଦିନେ ପାଣି ଗଲୁଛି ।ମଝିରେ ମଝିରେ ଛାତ ରୁ ବିରାଟ ପଲସ୍ତରା ଖଣ୍ଡ ଖସି ତଳେ ପଡୁଛି ।ତେଣୁ ଉନ୍ନତ ମାନର ଶିକ୍ଷାଦାନ ପାଇଁ ନୂତନ କୋଠା ର ଆବଶ୍ୟକତା ରହିଛି ।ସାସ୍କୃତିକ ଓ ଐତିହ୍ୟ କୁ ବହନ କରୁଥିବା ପୁରାତନ ଖଲ୍ଲିକୋଟ ଆର୍ଟ କଲେଜ ର ଗୌରବ ମୟ ଐତିହ୍ୟ କୁ ବଜାୟ ରଖିବା ପାଇଁ ଜରାଜୀର୍ଣ୍ଣ ହୋଇ ପଡ଼ିଥିବା ଏହି ରାଜପ୍ରାସାଦ ର ଉପଯୁକ୍ତ ସଂରକ୍ଷଣ କରାଯାଇ ଭବିଷ୍ୟତ ପିଢ଼ି ପାଇଁ ଏହାକୁ ଦୀର୍ଘ କାଳୀନ ଭିତ୍ତି ରେ ସ୍ଥାୟୀ ସଂରକ୍ଷଣ କରିବା ଜରୁରୀ ହୋଇ ପଡିଛି ।ବର୍ତ୍ତମାନ କଲେଜରେ ମାତ୍ର ୩୦ ଗୋଟି ସିଟ ରହିଥିବା ବେଳେ ସିଟ ସଂଖ୍ୟା ୫୦ କୁ ବୃଦ୍ଧି କରିବା ପାଇଁ ସାଧାରଣ ରେ ଦାବୀ ହେଉଛି ।ଅଧ୍ୟାପକ, ଅଧ୍ୟାପିକା ପଦବୀ ଅଧିକ ସୃଷ୍ଟି କରାଯିବା ସହ କଲେଜ ପରିସରରେ ଏକ ଉନ୍ନତ ମାନର ଆର୍ଟ ଗ୍ୟାଲେରୀ,ଅଡିଟୋରିୟମ, ଅତ୍ୟାଧୁନିକ କ୍ଳାସ ରୁମ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଭିତ୍ତିଭୂମି ଯଥାଶୀଘ୍ର ନିର୍ମାଣ କରିବା ପାଇଁ ପୁରାତନ ଛାତ୍ର ସଂଘ ଆଲୁମିନି ଆସୋସିଏସନ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଛି ।ଏହା ଫଳରେ ଏଠାରେ ଏକ ଉନ୍ନତ ମାନର ଶିକ୍ଷାନୁଷ୍ଠାନ ଗଢି ଉଠିବା ସହ ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇବ ଏବଂ ମହାବିଦ୍ୟାଳୟ ପରିଚାଳନା ପାଇଁ ପଥ ସୁଗମ ହୋଇ ପାରିବ ।ଏହା ଦକ୍ଷିଣ ଓଡ଼ିଶାର ସର୍ଵ ପୁରାତନ ଚାରୁ ଓ କାରୁକଳା ମହାବିଦ୍ୟାଳୟ ହୋଇ ଥିବାରୁ ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ଏଠାରେ ବିଭିନ୍ନ ବିଭାଗରେ ପିଜି ପାଠ୍ୟକ୍ରମ ଖୋଲିବା ପାଇଁ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଦାବୀ କରାଯାଇଛି ।ଛାତ୍ରାବାସ ଅବସ୍ଥା ଶୋଚନୀୟ ହୋଇ ପଡିଛି ।ତେଣୁ ଛାତ୍ର ଓ ଛାତ୍ରୀ ଙ୍କ ପାଇଁ ଅଲଗା ଅଲଗା ଉନ୍ନତ ମାନର ଛାତ୍ରାବାସ ନିର୍ମାଣ ର ଆବଶ୍ୟକତା ରହିଛି ।ଏହି ଅନୁଷ୍ଠାନ ରେ ପେଣ୍ଟିଙ୍ଗ, ପେଣ୍ଟିଙ୍ଗ ଇଣ୍ଡିଆନ ଷ୍ଟାଇଲ, ପ୍ରିଣ୍ଟ ମେକିଙ୍ଗ, ମୋଲଡିଂ ଏଣ୍ଡ ସ୍କଲଚର, କ୍ରାଫ୍ଟ ଏଣ୍ଡ ସେରାମିକ, ଆପ୍ଲାଏଡ଼ ଆର୍ଟ ଓ ଆର୍ଟ ହିଷ୍ଟ୍ରି ପ୍ରଭୃତି ବିଭାଗ ରେ ମୋଟ୧୩ ଜଣ କର୍ମଚାରୀ ଙ୍କ ଆବଶ୍ୟକତା ଥିବା ବେଳେ ବର୍ତ୍ତମାନ ୯ ଜଣ କର୍ମଚାରୀ ରହିଛନ୍ତି ।ଜଣେ ଲାଇବ୍ରେରୀୟନ ଙ୍କ ନିହାତି ଆବଶ୍ୟକ ରହିଛି ।ଏହି ସବୁ ସମସ୍ୟା ବ୍ୟତୀତ ଆହୁରି ଅନେକ ସମସ୍ୟା ରହିଛି ।ଆସନ୍ତା ୨୬ ତାରିଖରେ ୫ଟି ସଚିବ ଙ୍କ ଖଲ୍ଲିକୋଟ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ଓଡ଼ିଶାର ସର୍ଵ ପ୍ରଥମ ଆର୍ଟ କଲେଜ ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ର ଏହିସବୁ ସମସ୍ୟା କୁ ଦୃଷ୍ଟି ଦେଇ କଲେଜ ପାଇଁ ଏକ ଆଖି ଦୃଶିଆ ଅନୁଦାନ ଘୋଷଣା କରିବେ ବୋଲି ଆଶା କରାଯାଉଛି ।

More Stories