Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପୁଣି ବିଜେଡ଼ି ଉପରେ ବର୍ଷିଲେ ପ୍ରଦୀପ, କହିଲେ- ଓଡ଼ିଶା ରାଜନୀତିରେ କ୍ରୀତଦାସ ପ୍ରଥା ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି

ଭୁବନେଶ୍ଵର: ଗତକାଲି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତକୁ ଚ୍ୟାଲେଞ୍ଜ କରି ବ୍ରହ୍ମପୁର ଯିବା ବେଳେ ଘଟିଥିବା ତୁମୁଳକାଣ୍ଡ ପରେ ବିଜୁ ଜନତା ଦଳ ଉପରେ ବର୍ଷି ଚାଲିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ସେ ପୁଣି ଥରେ ବିଜେଡି ଉପରେ ବର୍ଷି କହିଛନ୍ତି ଯେ, ଫାଇଭ-ଟି ସଚିବ ରାଜ୍ୟରେ ମଡର୍ଣ୍ଣ ଡେମୋକ୍ରାଟିକ ସ୍ଲେଭେରୀ ଆପଣାଇଛନ୍ତି। ଓଡ଼ିଶା ରାଜନୀତିରେ କ୍ରୀତଦାସ ପ୍ରଥା ଗ୍ରହଣ କରିବାକୁ ବାଧ୍ୟ କରାଯାଉଥିବା ପ୍ରଦୀପ କହିଛନ୍ତି।

ସେ କହିଛନ୍ତି ବିଜୁ ବାବୁଙ୍କ ପୁଅଙ୍କ ନେତୃତ୍ଵରେ ରାଜନୈତିକ କ୍ରୀତଦାସତ୍ଵ ବଢିବାକୁ ଯାଉଛି। ରାଜନେତାମାନେ କ୍ରୀତଦାସ ହେବା ଓଡ଼ିଆ ସ୍ଵାଭିମାନ ପ୍ରତି ଅଭିଶାପ। ଏଥିସହ ଫାଇଭ-ଟି ସଚିବଙ୍କୁ କଳାପାହାଡ଼ ସହ ତୁଳନା କରିଛନ୍ତି ପ୍ରଦୀପ। କଳାପାହାଡ଼ମାନେ ଗଣତନ୍ତ୍ରକୁ କବଳିତ କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ଏହାକୁ ଦୃଢ ଭାବେ ନିନ୍ଦା କରୁଛି। ତାଙ୍କ କାର୍ଯ୍ୟକଳାପ ଯୋଗୁଁ ଶାସନ ବ୍ୟବସ୍ଥା ସ୍ଥାଣୁ ପାଲଟିଗଲାଣି। ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଦାୟୀ କରିଛନ୍ତି।

ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ବିଜୁ ପଟ୍ଟନାୟକଙ୍କ ଭଳି ସାହସୀ ବ୍ୟକ୍ତିଙ୍କ ପୁଅ ଏପରି କରିବ ବିଶ୍ଵାସ ହେଉନି। ସ୍ଵାଭିମାନୀ ଓଡ଼ିଆ ଏହାର ବିରୋଧ କରିବାକୁ ଆଗେଇ ଆସନ୍ତୁ। ଏଥିପାଇଁ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ଆହ୍ଵାନ ଦେଇଛନ୍ତି ପ୍ରଦୀପ। ରାଜ୍ୟର ପୂର୍ବତନ ସାଂସଦ ଓ ବିଧାୟକମାନଙ୍କୁ ମଧ୍ୟ ସେ ଆହ୍ଵାନ ଦେଇଛନ୍ତି। ବିଜୁ ବାବୁଙ୍କ ପୁଅ ହୋଇ ନବୀନ ବାବୁ ନିରବ ରହିବା ଶୋଭା ପାଉନି ବୋଲି ଗୋପାଳପୁର ବିଧାୟକ କହିଛନ୍ତି।

ସୂଚନାଯୋଗ୍ୟ ଗତକାଲି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଓଭର ବ୍ରିଜ ନିକଟରେ ବାଟ ଓଗାଳିଥିଲେ ସ୍ଥାନୀୟ ବିଜେଡି କର୍ମୀ। ଗୋ ବ୍ୟାକ୍ ନାରା ଦେଇ ବିଜେଡି କର୍ମୀ ରାସ୍ତ ଛାଡିନ ଥିଲେ। ଘଟଣାସ୍ଥଳରେ  ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ। ରାସ୍ତାର ବିଭିନ୍ନ ଜାଗାରେ ଦୁଇ ଗୋଷ୍ଠୀ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଥିଲା। ଫାଇଭ-ଟି ସଚିବଙ୍କୁ ଚ୍ୟାଲେଞ୍ଜ କରି ବ୍ରହ୍ମପୁର ଯିବା ରାସ୍ତାରେ ଏମିତି କାଣ୍ଡ ଦେଖିବାକୁ ମିଳିଥିଲା।

ପୁଣି ଲାଞ୍ଜିପଲ୍ଲୀ ନିକଟରେ ରାସ୍ତା ମଝିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପ୍ରଦୀପଙ୍କ ଗାଡ଼ିକୁ ଅଟକାଇ ଗାଡ଼ି ଉପରେ ଚଢି ଯାଇଥିଲେ ବିରୋଧୀ ଗୋଷ୍ଠୀ। ବିପକ୍ଷ ଗୋଷ୍ଠୀଙ୍କୁ ଗାଡ଼ିରୁ ଘୋଷାଡ଼ି ନେଇଥିଲେ ପ୍ରଦୀପଙ୍କ ସମର୍ଥକ। ଏପରିକି ପୋଲିସ ଉପସ୍ଥିତିରେ ଉଭୟ ଗୋଷ୍ଠୀ ପିଟାପିଟି ହୋଇଥିଲେ। ଖାଲି ସେତିକି ନୁହେଁ ବ୍ରହ୍ମପୁର ଯିବା ବାଟରେ ପ୍ରଦୀପ ପାଣିଗ୍ରାହୀଙ୍କ କାର୍ ଉପରକୁ ଅଣ୍ଡାମାଡ଼, ବୋତଲ ମାଡ଼ ଓ ପଥରମାଡ଼ କରିଥିଲେ ବିଜେଡି କର୍ମୀ। ଶହ ଶହ ଅଣ୍ଡା ମାଡ଼ରେ ପ୍ରଦୀପଙ୍କ ଗାଡ଼ି ଜୁଡୁବୁଡୁ ହୋଇ ଯାଇଥିଲା।  ଘଟଣାସ୍ଥଳରେ ପୁଲିସ ନିରବଦ୍ରଷ୍ଟା ସାଜିଥିଲା।