Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ନେତାଙ୍କୁ ଏବେ ଦୁଇଟ ବିକଳ୍ପ, କ୍ରୀତଦାସ ହୋଇ ରୁହ, ନ ହେଲେ ଜେଲରେ ରୁହ: ବିଜୟ ପଟ୍ଟନାୟକ

ଭୁବନେଶ୍ଵର: ଗତକାଲି ଗଞ୍ଜାମ ଜିଲ୍ଲାରେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତକୁ ଚ୍ୟାଲେଞ୍ଜ କରି ବ୍ରହ୍ମପୁର ଯିବା ବେଳେ ଘଟିଥିବା ହାଇଡ୍ରାମାକୁ ନେଇ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି କାଲି ଯାହା ଘଟିଗଲା ତାହା ବିଜେଡିର ଅନ୍ତଃକନ୍ଦଳ ହୋଇ ଥାଇପାରେ। କିନ୍ତୁ ଯାହାଙ୍କ ପ୍ରତି ଏଭଳି ଆଚରଣ କରାଗଲା ସେ ଜଣେ ଜନ ପ୍ରତିନିଧି। ବିଜେଡିରେ ଜନ ପ୍ରତିନିଧିଙ୍କ କୌଣସି ସମ୍ମାନ ନାହିଁ।

ବିଜୟ ପଟ୍ଟନାୟକ କହିଛନ୍ତି, ବିଜେଡି ନେତାଙ୍କୁ ଏବେ ଦୁଇଟ ବିକଳ୍ପ ଦିଆଯାଇଛି। କ୍ରୀତଦାସ ହୋଇ ରୁହ, ନ ହେଲେ ଜେଲରେ ରୁହ। ଓଡ଼ିଶାରେ ସଂପ୍ରତି କ୍ରୀତଦାସ ପ୍ରଥା ଚାଲିଛି। ସାମ୍ବାଦିକ ସମ୍ମିଳନୀରେ ବିଜୟ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ଅଣଓଡ଼ିଆ କଣ୍ଟ୍ରାକ୍ଟର କ୍ରିମ ଖାଇବା ଭଳି ସବୁ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର। ଏବେ ରାଜ୍ୟରେ ଓଡିଶା ବିଡର କିପରି ପ୍ରତିଯୋଗିତା କରି ପାରିବେ ନାହିଁ, ତାହାର ବ୍ୟବସ୍ଥା କରାଯାଉଛି।

ସେହିପରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି  ପୁଣି ଥରେ ବିଜେଡି ଉପରେ ବର୍ଷି କହିଛନ୍ତି ଯେ, ଫାଇଭ-ଟି ସଚିବ ରାଜ୍ୟରେ ମଡର୍ଣ୍ଣ ଡେମୋକ୍ରାଟିକ ସ୍ଲେଭେରୀ ଆପଣାଇଛନ୍ତି। ଓଡ଼ିଶା ରାଜନୀତିରେ କ୍ରୀତଦାସ ପ୍ରଥା ଗ୍ରହଣ କରିବାକୁ ବାଧ୍ୟ କରାଯାଉଥିବା ପ୍ରଦୀପ କହିଛନ୍ତି।

ସେ କହିଛନ୍ତି ବିଜୁ ବାବୁଙ୍କ ପୁଅଙ୍କ ନେତୃତ୍ଵରେ ରାଜନୈତିକ କ୍ରୀତଦାସତ୍ଵ ବଢିବାକୁ ଯାଉଛି। ରାଜନେତାମାନେ କ୍ରୀତଦାସ ହେବା ଓଡ଼ିଆ ସ୍ଵାଭିମାନ ପ୍ରତି ଅଭିଶାପ। ଏଥିସହ ଫାଇଭ-ଟି ସଚିବଙ୍କୁ କଳାପାହାଡ଼ ସହ ତୁଳନା କରିଛନ୍ତି ପ୍ରଦୀପ। କଳାପାହାଡ଼ମାନେ ଗଣତନ୍ତ୍ରକୁ କବଳିତ କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ଏହାକୁ ଦୃଢ ଭାବେ ନିନ୍ଦା କରୁଛି। ତାଙ୍କ କାର୍ଯ୍ୟକଳାପ ଯୋଗୁଁ ଶାସନ ବ୍ୟବସ୍ଥା ସ୍ଥାଣୁ ପାଲଟିଗଲାଣି। ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଦାୟୀ କରିଛନ୍ତି।