Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଇତା ଲାଗି ନୀତିକୁ ନେଇ, ଉପାସରେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ଭଳି ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ମଧ୍ୟ ନୀତିକାନ୍ତି ବିଭ୍ରାଟ ଦେଖିବାକୁ ମିଳୁଛି। ବିବାଦ କାରଣରୁ ଅନେକ ଥର ମହାପ୍ରଭୁ ଲିଙ୍ଗରାଜଙ୍କୁ ଉପାସରେ ରଖାଯାଇଛି। ଏବେ ସେହି ସମାନ ସ୍ଥିତି ଗତ ଦୁଇ ଦିନ ହେବ ଲିଙ୍ଗରାଜ ମନ୍ଦିରରେ ଦେଖିବାକୁ ମିଳିଛି। ଗତକାଲି ଭଳି ଆଜି ବି ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି।

ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ରାରୋପଣ ବା ପଇତା ଲାଗି ନୀତି କିଏ କରିବେ ? ତାକୁ ନେଇ ବଡୁ ନିଯୋଗ ନା ପୂଜାପଣ୍ଡା ମଧ୍ୟରେ ବିବାଦ ଲାଗି ରହିଛି। ୨୦୨୦ ମସିହାରୁ ଲାଗି ରହିଥିବା ଏହି ବିବାଦର ସମାଧାନ ହୋଇପାରୁନାହିଁ। ଫଳରେ ଗତ ତିନି ବର୍ଷ ହେବ ମନ୍ଦିରରେ ପବିତ୍ରାରୋପଣ ନୀତି ହୋଇ ପାରୁନି। ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି କାରଣରୁ ଗତକାଲି ସନ୍ଧ୍ୟାରୁ ପ୍ରଭୁଙ୍କ ନୀତିକୁ ବନ୍ଦ କରି ଦିଆଯାଇଛି। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

ଆଜି ବି ଏହି ବିବାଦର ସମାଧାନ ହୋଇନଥିବା କାରଣରୁ ପୂର୍ବ ବର୍ଷ ଭଳି ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିଛି। ଠାକୁରଙ୍କ ଅନ୍ନ ଭୋଗ ନ ହେଉଥିବାରୁ ପ୍ରଭୁ ଉପାସ ରହିବେ। ଭକ୍ତମାନେ ମଧ୍ୟ ଭୋଗରୁ ବଞ୍ଚିତ ହେବେ। ତଗେବେ ବୁଧବାର ଯାଇ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତି ସ୍ଵାଭାବିକ ହେବ ବୋଲି କୁହାଯାଇଛି.

ଏ ସମ୍ପର୍କରେ ପୂଜା ପଣ୍ଡା ନିଯୋଗର ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କହିଛନ୍ତି ପଇତା ଲାଗି ନୀତିକୁ ନେଇ ଦେବୋତ୍ତର କମିସନରଙ୍କ କୋର୍ଟରେ ମାମଲା ବିଚାରଧୀନ ରହିଛି। ନୀତି ଶୃଙ୍ଖଳିତ ହେବା ପାଇଁ ମନ୍ଦିର ପ୍ରଶାସନ ଅନ୍ତରୀଣ ଅର୍ଡର ଆଣିଲେ ନାହିଁ। ତେଣୁ ଠାକୁରଙ୍କ ନୀତି ବିଭ୍ରାଟ ହୋଇଛି। ସେପଟେ ବଡ଼ୁ ନିଯୋଗର ସମ୍ପାଦକ କମଳାକାନ୍ତ ବଡ଼ୁ କୋର୍ଟରେ ମାମଲା ଥିବାରୁ କୌଣସି ପ୍ରତିକ୍ରିୟା ଦେଇ ପାରିବୁ ନାହିଁ ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ