Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦୀ ଓ ନବୀନଙ୍କ ଲୋକପ୍ରିୟତା କମୁଥିବାରୁ ଆଗୁଆ ନିର୍ବାଚନ କରାଇବାକୁ ଚାହୁଁଛନ୍ତି: ନରସିଂହ ମିଶ୍ର

ଭୁବନେଶ୍ଵର: ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ସମଗ୍ର ଦେଶର ରାଜନୀତି ଉଷ୍ମ ହୋଇ ଉଠିଛି। ମୋଦୀ ସରକାର ଏହା ଉପରେ ଗମ୍ଭୀରତାର ସହ ବିଚାର ମଧ୍ୟ କରୁଛନ୍ତି। ଏଥିପାଇଁ ଏକ କମିଟି ଗଠନ କରାଯାଇଛି, ଯାହାର ଅଧ୍ୟକ୍ଷ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କରାଯାଇଛି। ଏହି ସମ୍ବନ୍ଧରେ ଖୁବ୍ ଶୀଘ୍ର ବିଜ୍ଞପ୍ତି ଜାରି କରାଯାଇପାରେ। ଏହାକୁ ନେଇ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି।

ଏକକ ନିର୍ବାଚନକୁ ନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସମ୍ବିଧାନ ଅନୁଯାୟୀ ଯଦି ଅସୁବିଧା ନଥାଏ ତେବେ ନିର୍ବାଚନ କରାଯାଇପାରେ। ବିଲଟି ନ ଆସିବା ପୂର୍ବରୁ ତା ବିଷୟରେ କହିବା ଅନୁଚିତ୍ ହେବ। ମୋଦୀଙ୍କ ଲୋକପ୍ରିୟତା କମୁଥିବାରୁ ବିଜେପି ଆଗୁଆ ନିର୍ବାଚନ କରାଇବାକୁ ଚାହୁଁଛି। ସର୍ଭେରେ ନବୀନଙ୍କ ଲୋକପ୍ରିୟତା ମଧ୍ୟ କମୁଛି। ଗୋଟିଏ ବର୍ଷରେ ୧୭ ପ୍ରତିଶତ କମିଥିବା ଜଣା ପଡିଛି। ସେଥିପାଇଁ ବିଜେଡି ବି ଆଗୁଆ ନିର୍ବାଚନ କଥା ଚିନ୍ତା କରୁଛି। ଲୋକପ୍ରିୟତା କମୁଥିବାରୁ ଆଗୁଆ ନିର୍ବାଚନ କରାଯାଉଥିବା ନରସିଂହ ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଆସନ୍ତା ସେପ୍ଟେମ୍ବର ୧୮ରୁ ସେପ୍ଟେମ୍ବର ୨୨ ଯାଏ ସଂସଦର ସ୍ଵତନ୍ତ୍ର ଅଧିବେଶନ ଡକାଇଛନ୍ତି। ଅଧିବେଶନରେ କଣ ଆଲୋଚନା ହେବ ତାର ଏଜେଣ୍ଡା ପ୍ରକାଶ କରାଯାଇ ନାହିଁ। ମାତ୍ର କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି ଯେ, ଏକକ ନିର୍ବାଚନକୁ ନେଇ ଏହି ଅଧିବେଶନ ଡକାଯାଇଛି। ଗତ କିଛି ବର୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଥର ଲୋକସଭା ନିର୍ବାଚନ ଓ ରାଜ୍ୟଗୁଡ଼ିକର ବିଧାନସଭା ନିର୍ବାଚନ ଏକ ସଙ୍ଗେ କରାଇବାକୁ ପ୍ରସ୍ତାବ ଦେଇ ସାରିଛନ୍ତି। ଏ ସମ୍ବନ୍ଧରେ ଏବେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ବିଚାର କରିବେ।