ଡା.ରାଜାରାମ ଷଡଙ୍ଗୀ
ସ୍ୱତନ୍ତ୍ର ସଂସଦ ଅଧିବେଶନ ହଠାତ ଡାକିବାର କାରଣ କ’ଣ? କଣ ରହିଛି ସରକାରଙ୍କ ଉଦ୍ଦେଶ୍ଯ !କୌଣସି ଏଜେଣ୍ଡା ନଥାଇ ସ୍ୱତନ୍ତ୍ର ଅଧିବେଶନକୁ ନେଇ ଆରମ୍ଭ ହୋଇଛି ବଡ ଚର୍ଛା।ଫଳତଃ ଯାହା ଜଣାପଡୁଛି ଏହି ଅଧିବେଶନକୁ ନେଇ ସରକାର ଅମୃତକାଳର ମାଷ୍ଟରଷ୍ଟ୍ରୋକ୍ ଦେଖାଇ ପୁଣି ଏକ ବାଜିମାତ ମାରିବାର କୌଶଳ ଆପଣେଇଛନ୍ତି।
ଆସନ୍ତା ୧୮ ତାରିଖରୁ ୨୨ ତାରିଖ ଯାଏ ୫ ଦିନିଆଁ ଅଧିବେଶନଯେ ଗୋଟିଏ ୨ଟି ବିଷୟକୁ ନେଇ ହେବ ତାହା କଳ୍ପନା ବାହାରେ।ମୌସୁମୀ ଅଧିବେଶନ ଅଗଷ୍ଟ ୧୧ରେ ଶେଷ ହୋଇଥିବା ବେଳେ ହଠାତ କାହିଁକି ସ୍ୱତନ୍ତ୍ର ଅଧିବେଶନର ଆବଶ୍ୟକତା ପଡିଲା ତାକୁ ନେଇ ଏବେ ଚାଲିଲାଣି ତର୍ଜମା। ଏପରିକି କେଉଁ ସବୁ ଏଜେଣ୍ଡା ଧରି ଅଧିବେଶନକୁ ସରକାର ଓଳ୍ଲେଇବେ ତାହା ଅସ୍ୱଷ୍ଟ ହୋଇଥିଲେବି ସରକାର ନିଜର ଭାବମୂର୍ତ୍ତିକୁ ଅଧିକ ନିର୍ମଳ କରିବାକୁ ଓ ବିରୋଧି ମେଣ୍ଟକୁ ଚକମା ଦେଖାଇ ଆଗାମୀ ନିର୍ବାଚନୀ ବୈତରଣୀ ପାରି ହେବାକୁ ବାଟ ଦେଖୁଛନ୍ତି ଏହା ସ୍ୱଷ୍ଟ।
ସରକାର ମୁଣ୍ଡ ଉପରେ ବୋଝ ବଢିଛି। ବୋଝ ରହିଲେ ନଇଁ ପଡିବାର ଆଶଙ୍କା ଥିବାରୁ ବର୍ତ୍ତମାନଠୁ ଅନେକ ବୋଝ ନଖସାଇଲେ ଆଗକୁ ବିପଦ। ଜମ୍ମୁ-କାଶ୍ମୀର ସେ ଭିତରୁ ଗୋଟିଏ ବୋଝ ସରକାରଙ୍କ ପାଇଁ। ସରକାର ଧାରା ୩୬୦ ଉଠାଇଲେ ସିନା ବଲ ଝୁଲୁଛି ସୁପ୍ରିମକୋର୍ଟରେ।ଶୁଣାଣି ଚାଲିଥିବା ବେଳେ ମାନ୍ୟବର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ରାଜ୍ୟ ମାନ୍ୟତା କେବେ ମିଳିବ ବୋଲି ପ୍ରଶ୍ନ କରିଥିବାରୁ ସମ୍ଭବତଃ ଜାମ୍ମୁ-କାଶ୍ମୀର ନିର୍ବାଚନ କରାଇବାକୁ ଓ ରାଜ୍ୟ ମାନ୍ୟତା ଦେବାକୁ ସରକାର ଆଲୋଚନା କରି ଉପାୟ ଖୋଜିପାରନ୍ତି ।ଏହା ଗୋଟିଏ ଦିଗକୁ ଇସାରା କରୁଥିବା ବେଳେ ବର୍ତ୍ତମାନ କିନ୍ତୁ ସରକାରଙ୍କ ଉପଲବ୍ଧି ନେଇ ଉଠିଛି ବଡ ପ୍ରଶ୍ନ । ଅମୃତକାଳ ମହୋତ୍ସବ ଓ ଭାରତକୁ ବିକଶିତ ରାଷ୍ଟ୍ର ଭାବେ ବ୍ୟବହାର କରିପାରନ୍ତି।ଚନ୍ଦ୍ରଯାନ-୩ର ସଫଳତା ଭଳି ସରକାରଙ୍କ ଉପଲବ୍ଧି ପ୍ରସଙ୍ଗ ଏଜେଣ୍ଡାରେ ସ୍ଥାନ ଅଳଙ୍କୃତ କରିପାରେ। ପୁଣି ସେପ୍ଟେମ୍ବର୍ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଳୀ ଠାରେ ଜି-୨୦ ଶିଖର ସମ୍ମିଳନୀ ପାଇଁ ସଫଳ ଆୟୋଜନ ସଂପର୍କରେ ମଧ୍ୟ ଅଧିବେଶନର ତାତ୍ପର୍ଯ୍ୟ ରହୁଛି।ସମ୍ଭବତଃ ସରକାର ବିଭିନ୍ନ କ୍ଷେତ୍ରରେ ତାଙ୍କର ଉପଲବ୍ଧିକୁ ବ ଏହି ସ୍ୱତନ୍ତ୍ର ଅଧିବେଶନର ପ୍ଲାଟଫର୍ମ ମାଧ୍ୟମରେ ଉପଯୋଗ ନକରିବେ କିଏ କହିବ ? ପୁନଶ୍ଚ ଏହି ଅଧିବେଶନ ନୂଆଁ ସଂସଦ ଭବନରେ ବସିବ ଓ ଏଥିପାଇଁ ଶେଷ ସ୍ୱର୍ଶ୍ୱ ସରିଥିବାବି ଆଲୋଚନା ହେଉଛି। ତେଣୁ ସ୍ୱତନ୍ତ୍ର ଅଧିବେଶନ ସମସ୍ତଙ୍କୁ ପାଇଁ ଅନ୍ୟ ଏକ ଆକର୍ଷଣୀୟ ଉପଲବ୍ଧିକୁ ଆଧାର କରି ସରକାର ବଡ ଏକ ମାଷ୍ଟରଷ୍ଟ୍ରୋକ୍ ଦେବେ ଏଭଳି ଆଭାଷ ଆସୁଛି !
ଯଦି ନିର୍ବାଚନକୁ ଆଖି ପକାଇବା ତେବେ ରାଜସ୍ଥାନ,ମଧ୍ୟପ୍ରଦେଶ,ଛତିଶଗଡ, ତେଲେଙ୍ଗାନା ଓ ନାଗାଲାଣ୍ଡ ଭଳି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ଏପରିପ୍ରେକ୍ଷୀରେ ନଭେମ୍ବର ଡିସେମ୍ବର ମାସରେ ଶୀତକାଳିନ ଅଧିବେଶନ ବିଳମ୍ଭିତ ହେବାର ଆଶଙ୍କା ଉପୁଯାଇଛି।ସେପଟେ ଓଡିଶା ଆଗୁଆ ନିର୍ବାଚନ ପାଇଁ ଗୋଟିଚାଳନା କରି ନିଜ କସରତ ୪ ମାସ ଆଗରୁ ଦେଖାଇ ଆସୁଛି। ରାଜନୈତିକ ଅଳିନ୍ଦରେ ଆଗୁଆ ନିର୍ବାଚନ, କେବଳ ଓଡିଶାରେ ମୁଣ୍ଡ ଟେକିନି ବରଂ କେନ୍ଦ୍ର ସରକାରଙ୍କ ମୁଣ୍ଡ ଉପରେ ଏହା ଏକ ବଡ ବୋଝ ବୋଲି ସରକାର ଚିନ୍ତା କଲେଣି। ସେପଟେ ଫେବ୍ରୁଆରି ପରେ ପିଲାଙ୍କ ପରୀକ୍ଷା,ତେଣୁ ସ୍କୁଲ ଶିକ୍ଷକ କେବଳ ସମସ୍ୟା ହୋଇ ଠିଆ ହେବନି ସରକାର ପାଖରେ ବରଂ ଶବ୍ଦ ପ୍ରଦୂଷଣ ବଢିବା ଓ ପରୀକ୍ଷା ବେଳକୁ ନିର୍ବାଚନ ଏଭଳି ରୋଷର ଶୀକାରବି ସରକାର ହୋଇପାରନ୍ତି। ପୁଣି ଖରା କରିବ ଆହୁରି କାଳ ।ଏ ସବୁ ଦିଗକୁ ଆଖି ଆଗରେ ରଖି ସରକାରବି ନିଜ ପାରିବା ପଣର କୌଶଳ ଖେଳ ନଦେଖାଇବେ କିଏ କହିବ। ସୁଯୋଗ ଏବେ ହାତ ପାହାନ୍ତରେ ଥିବା ବେଳେ ସରକାର ନିଜର ରାଜନୈତିକ ଗୋଟିଚାଳନାରେ ଏକକ ନିର୍ବାଚନ,ସମାନ ନାଗରିକ ସଂହିତା (ୟୁିସିସି) ବିଲବି ଏହି ଅଧିବେଶନରେ ଉଠାଇ ପାରନ୍ତି। “ଗୋଟିଏ ଦେଶ,ଗୋଟିଏ ନିର୍ବାଚନ” କୁ ଉପଯୋଗ କରିବାକୁ ଏହି ସ୍ୱତନ୍ତ୍ର ଅଧିବେଶନର ପ୍ଳାଟଫର୍ମ ଠାରୁ ଆଉ ବଡ ପ୍ଲାଟଫର୍ମ ମିଳିବ ଆଶା କରିବା ବୃଥା।
ସେପଟେ ଇଣ୍ଡିଆ ଘେରିଛି ଏନଡିଏକୁ। ଏହି ମେଣ୍ଟର ସ୍ଥିତିକୁ ସୁଦୃଢ଼ କରିନଦେବାକୁ ବା ସଂଗଠିତ ହେବାକୁ ଅଧିକ କାଳ ସମୟ ନଦେଇ ସରକାର ତାଙ୍କ ତାଜା ସର୍ଭେକୁ ଧରି ଆଗୁଆବି ଭୋଟର ପାଖକୁ ନଯିବେ କିଏ କହିବ ? ତାଜା ସର୍ଭେ କହୁଛି ନରେନ୍ଦ୍ର ମୋଦୀଙ୍କ ଏନଡିଏ ସରକାରର ଏବେ ଲୋକପ୍ରିୟତା ରହିଛି। ସରକାର ଯାହା କରୁଛନ୍ତି ତାହା ଦେଶର ଭାଗ୍ୟ ବଦଳାଇବାରେ ସହାୟ ହେଉଛି,ତେଣୁ ପୁଣି ଏନଡିଏ ସରକାର ଦେଶରେ ଆସୁଛି। ସେପଟେ ବିଧି ଆୟୋଗଙ୍କ ମତ ଉପରେ ସମ୍ମାନର ମୁକୁଟ ପିନ୍ଧାଇ ନିଜେ ପୁଣି ଥରେ ମୁକୁଟ ପିନ୍ଧିବାକୁ ପାଗ ଭିଡିବାକୁ ସରକାର ଚିନ୍ତା କିଭଳି କରିବେନି।ଲୋକସଭା ସହିତ ବିଧାନସଭା ପାଇଁ ଏକା ସମୟରେ ନିର୍ବାଚନ କରାଇବା ସପକ୍ଷରେ ବିଧି ଆୟୋଗ ମତ ରହିଥିବାରୁ ଅମୃତକାଳର ଫଳପ୍ରଦ ଫାଇଦା ନେବାକୁ ସରକାର ସରକାର ଭିତରେ ଭିତରେ ମନ ସ୍ଥିର କରିସାଲେଣି।ଏ ନେଇ ଚଳିତ ବର୍ଷ ଜାନୁୟାରୀ ମାସରେ ବିଧି ଆୟୋଗ ବିଭିନ୍ନ ରାଜନୈତିକ ଦଳ ଗୁଡିକୁ ଯେଉଁ ୬ ପ୍ରଶ୍ନର ଉତ୍ତର ଚାହିଁଥିଲେ ତାହା ହୁଏତ ସରକାର ନିଜର ବାହାଃବା ନେବାକୁ ଏଭଳି ବିଲ ପାଶ କରାଇ ଗୋଟିଏ ଗୁଳିରେ ୨ ଶୀକାର କରିବା ଭଳି ଅଧିବେଶନକୁ ପ୍ରୟୋଗଶାଳାର ପରିଚୟ ସାଉଁଟିବାକୁ ଭଲ ପ୍ରୟାସ କରିପାରନ୍ତି। କେତେକ ରାଜନୈତିକ ଦଳ ଏହାକୁ ବିରୋଧ କରୁଥିବା ବେଳେ ସମାନ ଆଚରଣ ସଂହିତା ଧାର୍ମୀକ ପରମ୍ପରା ସହ ଜଡିତ ରହିଛି।ଏଥିରେ ଜାତି, ଧର୍ମ, ବର୍ଣ୍ଣ,ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଗୋଟିଏ ନିୟମ ରହୁ। ପୌଷ୍ୟ ସନ୍ତାନ ଓ ଉତ୍ତରାଧିକାରୀ ସହିତ ଜଡିତ ବ୍ୟକ୍ତିଗତ ନିୟମ ଆଦି ୟୁସିସିରେ ରହିଛି । ସେପଟେ ମହିଳା ସଶକ୍ତି କରଣ ନେଇ ରାଜନୀତି ଯୋର ଧରିଥିବାରୁ ମହିଳା ସଂରକ୍ଷଣ ବିଲ ମଧ୍ୟ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଚ ସୃଷ୍ଟି କରୁଛି । ତେଣୁ ଏ ଦିଗରେ ମଧ୍ୟ ଏକ ବେଧେୟକ ସରକାର ଆଣିବା ସମ୍ଭାବନା ରହିଛି ।
ତେବେ ଏ ସବୁ ଛାଡି ଆଉ ଏକ ଦିଗକୁ ମଧ୍ୟ ସରକାର ନିର୍ବାଚନୀ ତେଫା ହିସାବରେ ନେଇ ପାରନ୍ତି। ସରକାର ନିଜର ଲୋକପ୍ରିୟତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ “ସେବାପକ୍ଷ”କୁ ଏଥର ଅଧିକ ବ୍ୟାପକ କରି ପାରନ୍ତି।ଏଠାରେ ସୂଚନାଯୋଗ୍ୟକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଠାରୁ ଅକ୍ଟୋବର୍ ୨ ତାରିଖ ଗାନ୍ଧି ଜୟନ୍ତୀ ପର୍ଯ୍ୟନ୍ତ ଏହି ୧୬ ଦିନ ବିଜେପି ସେବାପକ୍ଷ ଭାବେ ପାଳନ କରି ଆସୁଛି। ଏଣୁ ଏହି ସ୍ୱତନ୍ତ୍ର ଅଧିବେଶନ ମୋଦୀଙ୍କ ଜନ୍ମ ଦିନର ଦିନକପରେ ପଡୁଥିବାରୁ “ସେବା ପକ୍ଷ”କୁ ଅନ୍ୟ ଢଙ୍ଗରେ ପାଳନ କରି ନିଜ ଲୋକପ୍ରିୟତାକୁ ଅଧିକ ପ୍ରଚାର ଓ ପ୍ରସାରମୂଖି କରିବାକୁ ଦି’ପାଦ ଆଗକୁ ନବଢିବେ କି୍ଏ କହିବ? ତେବେ ଯାହାବି ହେଉ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଅଧିବେଶନକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ କେବଳ ହଟଚମଟ ଦେଖାଦେଇନି ବରଂ ସରକାରଙ୍କ ମାଷ୍ଟରଷ୍ଟ୍ରୋକ୍ ନୂଆଁ ଦିଶାର ସମ୍ଭାବନାକୁ ବାଟ ଦେଖାଉଥିବା ଆଶା କରାଯାଉଛି।
ଫୋନ:୯୪୩୭୪ ୦୫୪୫୫
ସ୍ୱତନ୍ତ୍ର ଅଧିବେଶନରେ ହେବକି ମାଷ୍ଟରଷ୍ଟୋକ୍ ଖେଳ !
