ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ରେ ପାଞ୍ଚ ଦିନ ଧରି ଚାଲିଥିବା ପ୍ରସିଦ୍ଧ ଝୁଲଣ ଯାତ୍ରା ଶୁକ୍ରୁବାର ଦିନ ଉଦଯାପିତ ହୋଇଯାଇଛି l ଶ୍ରାବଣ ଶୁକ୍ଳ ପକ୍ଷ ଦଶମୀ ତିଥିରୁ ଆରମ୍ଭ ହୋଇଥିବା ଉକ୍ତ ଝୁଲଣ ଯାତ୍ରା ରେ ପ୍ରତ୍ୟହ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିଲା l ପ୍ରଥମ ଚାରି ଦିନ ଧରି ମନ୍ଦିର ଭିତରେଥିବା ଦୋଳି ରେ ରାଧାକୃଷ୍ଣ ଙ୍କୁ ଝୁଲା ଯାଉଥିଲା l ସୁବଳୟା ର ବଳଦେବ କ୍ଲବ , ବୀରବଜରଙ୍ଗ କ୍ଲବ , ଭଗବତ କ୍ଲବ , ଶ୍ରୀରାମ ଚନ୍ଦ୍ର କ୍ଲବ ଓ ବାବା ଅବଧୂତ ସାଂସ୍କୃତିକ ସଙ୍ଘ ଏହି ଝୁଲଣ ଯାତ୍ରା ଆୟୋଜନ କରିଥିଲେ l ପ୍ରତି କ୍ଲବ ମହାଆଡ଼ମ୍ବର ସହକାରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ସୁସଜ୍ଜିତ ରଥରେ ଅଧିଷ୍ଠିତ କରାଇ ନଗର ପରିକ୍ରମା କରାଇ ଥିଲେ । ଏହି ଅବସରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବଛା ବଛା ସଙ୍କୀର୍ତ୍ତନ ମଣ୍ଡଳୀ , ମହିଳା ସଙ୍କୀର୍ତ୍ତନ , ରେକର୍ଡ ଡ୍ୟାନ୍ସ ଆଦି ପରିବେଷିତ ହୋଇଥିଲା । ୧୧୭ ବର୍ଷର ପୁରୁଣା ଏଠାକାର ଯାତ୍ରା ଅବସରରେ ପ୍ରଭୁ ରାଧାକୃଷ୍ଣ ସୁବଳୟାର ଗତ ୫ ଦିନଧରି ସୁସଜ୍ଜିତ ଝୁଲଣ ଦୋଳିରେ ଅଧିଷ୍ଠିତ ହୋଇଥିଲେ । ଏହି ଅବସରରେ ପ୍ରତ୍ୟହ ଗୀତ , ଭାଗବତ ଆଦି ପରିବେଷିତ ହୋଇଥିଲା । ସୁବଳୟାର ବଳଦେବ କ୍ଲବ, ସାନଦାଣ୍ଡର ଶ୍ରୀରାମଚନ୍ଦ୍ର କ୍ଳବ୍ , ବଡ଼ଦାଣ୍ଡର ବୀର ବଜରଙ୍ଗ କ୍ଲବ୍ , ଧୀବରପଡ଼ାର ବାବା ଅବଧୂତ କ୍ଳବ୍ , ଗଡଭିତରର ଭଗବତ କ୍ଳବ୍ ତଥା ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନମାନ ଏଥିରେ ଅଂଶଗ୍ରହଣ କରିଥିଲେ । ଯାତ୍ରା ପୂର୍ବ ରାତ୍ରୀରେ ଅର୍କେଷ୍ଟ୍ରା କାର୍ଯ୍ୟକ୍ରମ , ମୀନା ବଜାର , ବ୍ରେକ୍ ଡ୍ୟାନ୍ସ , ଡ୍ରାଗନ୍ ଓ ରାମଝୁଲା ଆଦି ପରିବେଷିତ ହୋଇଥିଲା । ଯାତ୍ରାରେ ସ୍ଥାନୀୟ ବିଧାୟକ ପଦ୍ମନଭ ବେହେରା , ଜିଲ୍ଲା ପରିଷଦ ଚନ୍ଦ୍ରକାନ୍ତି ଦନ୍ତା , ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ ରଥ , ସ୍ଥାନୀୟ ସରପଞ୍ଚ ପ୍ରମୋଦ ମହାପାତ୍ର , ସମିତିସଭ୍ୟା ଲିଲି ମେହେର ଙ୍କ ସମେତ ଅନେକ ଜନ ପ୍ରତିନିଧି , ବିଭିନ୍ନ ଦଳର ରାଜନେତା , ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ । ଶୁକ୍ରବାର ପ୍ରବଳ ଗୁଳୁଗୁଳି ସତ୍ତ୍ୱେ ଏହା ଦେଖିବାକୁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା l
ସୁବଳୟା ପ୍ରସିଦ୍ଧ ଝୁଲଣ ଯାତ୍ରା ଉଦଯାପିତ
