କଳ୍ପା ପ୍ରାଥମିକ ବିଦ୍ୟାଳୟରେ ନିଆରା ଢଙ୍ଗରେ ପାଳନ ହେଲା ଗୁରୁ ଦିବସ


ସମ୍ବଲପୁର(କଳ୍ପା):ଭଗବାନଙ୍କ ସୃଷ୍ଟି କି ସୁନ୍ଦର , କି ଅମୃତମୟ , କି ମଧୁମୟ । ତାଙ୍କର ସୁନ୍ଦରତମ ଓ ଶ୍ରେଷ୍ଠତମ ସୃଷ୍ଟି ହେଉଛି ମଣିଷ । ତାଙ୍କ ପୁଷ୍ପ ଉଦ୍ୟାନରେ ମଣିଷ ହେଉଛି ଏକ ସୁଷମାମଣ୍ଡିତ ପୁଷ୍ପ । ଭଗବାନ ତା’ଦେହରେ ଜ୍ୟୋତି, କାନ୍ତି ଓ ମହକ ଭରି ଦେଇଛନ୍ତି । ତାଙ୍କ ସୃଷ୍ଟିରେ ଅନ୍ୟାନ୍ୟ ପୁଷ୍ପ ଠାରୁ ତାକୁ ଅଧିକ ଯତ୍ନ , ଅତି ସୁନ୍ଦର ଓ ଅତି ମଧୁମୟ କରି ଗଢ଼ିଛନ୍ତି । ତା ହୃଦୟକୁ ଜ୍ଞାନ, ବୁଦ୍ଧି ଓ ବିବେକରେ ପରିପୂର୍ଣ୍ଣ କରିଛନ୍ତି । ତା’ ବଳରେ ମଣିଷ ଆକାଶରେ ଉଡ଼ୁଛି , ସମୁଦ୍ରର ଅତଳ ଗର୍ଭରୁ ରତ୍ନ ସଂଗ୍ରହ କରୁଛି । ଗ୍ରହରୁ ଗ୍ରହାନ୍ତରକୁ ଯାତ୍ରା କରିପାରୁଛି । ବିଦ୍ୟୁତ ଶକ୍ତି ବଳରେ ତା’ର ଜୀବନ ଯାତ୍ରାର ପଥକୁ କୁସୁମିତ କରିପାରୁଛି । ଅଜ୍ଞାନ ଅନ୍ଧାର ମଧ୍ୟରୁ ଜ୍ଞାନାଲୋକକୁ ଗତି କରି ପ୍ରଗତି ପଥରେ ଅଗ୍ରସର ହୋଇ ପାରୁଛି । ଏ ସବୁର ମୂଳରେ ଶିକ୍ଷାର ଅବଦାନ ନିହିତ ।
ଆଜିର ଏହି ପବିତ୍ର ” ଗୁରୁଦିବସ ” ଉପଲକ୍ଷେ ସରକାରୀ ପ୍ରାଥମିକ ବିଦ୍ୟାଳୟ କଳ୍ପାରେ ଆୟୋଜିତ ଉତ୍ସବରେ ନିଆରା ଢଙ୍ଗରେ ପାଳନ କରାଯାଇଥିଲା । ଭାରତର ଦ୍ଵିତୀୟ ରାଷ୍ଟ୍ରପତି ତଥା ମହାନ ଶିକ୍ଷାବିତ୍ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଜୟନ୍ତୀକୁ ସେ ଭାରତର ଗୁରୁମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ବିଦ୍ୟାରମ୍ଭେ ଗୁରୁ ଶ୍ରେଷ୍ଠ । ଗୁରୁ ବିନା ବିଦ୍ୟା ପ୍ରାପ୍ତ ହୁଏ ନାହିଁ । ପ୍ରକୃତରେ ଶିକ୍ଷକ ହେଉଛନ୍ତି ଦେଶ ନିର୍ମାଣକାରୀ । ଛାତ୍ର ସମାଜକୁ ସେ ଯେଉଁ ଶିକ୍ଷା ଦିିଅନ୍ତି ତଦ୍ ଅନୁଯାୟୀ ଭବିଷ୍ୟତ ପ୍ରଭାବିତ ହୋଇଥାଏ । ଛାତ୍ରର ଚରିତ୍ର ଗଠନ ଓ ଭବିଷ୍ୟତ ନିର୍ମାଣରେ ଗୁରୁଙ୍କ ଗୁରୁଦାୟିତ୍ୱ ରହିଛି । ତେଣୁ ଗୁରୁଠାରୁ ଦେଶର ତଥା ଛାତ୍ରର ଅଧିକ ହିତାକାଂକ୍ଷୀ କେହି ନାହିଁ। ସେଥିପାଇଁ ଭାରତୀୟ ସମାଜରେ ଗୁରୁ ବା ଶିକ୍ଷକଙ୍କ ସ୍ଥାନ ସବୁଠାରୁ ଉର୍ଦ୍ଧ୍ବରେ ।
ଏହାକୁ ଦୃଷ୍ଟିରେ ରଖି ଏ ବର୍ଷ ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କଳ୍ପାରେ ନିଆରା ଢଙ୍ଗରେ ଗୁରୁଦିବସ ପାଳନ କରାଯାଇଥିଲା । ପ୍ରାତଃ କାଳରେ ସୁନ୍ଦର ଓ ପରିଷ୍କାର ପୋଷାକ ପରିଧାନ କରି ନିଜ ନିଜ ପିତାମାତାଙ୍କ ସହିତ ଶିଶୁମାନେ ବିଦ୍ୟାଳୟରେ ପହଞ୍ଚିଥିଲେ । ଶିଶୁମାନଙ୍କ ଦ୍ଵାରା ପ୍ରଥମେ ସ୍ଵାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଏହା ପରେ ସାମୁହିକ ଭାବେ “ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ..” ଗାନ କରି ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପୁଷ୍ପ ପ୍ରଦାନ କରାଯାଇଥିଲା । ଶିଶୁଟି ଜନ୍ମ ହେବା ପରେ ମାଆ ଠାରୁ ଅନେକ କଥା ଶିକ୍ଷାଲାଭ କରେ । ତେଣୁ ତା’ର ପ୍ରଥମ ଗୁରୁ ହେଉଛନ୍ତି ମାତା, ପିତା । ଶିଶୁମାନେ ନିଜ ନିଜର ପିତାମାତାଙ୍କୁ ପ୍ରଥମ ଗୁରୁ ଆସନ ଦେଇ ଆସୀନ କରାଇବା ପରେ ମିଷ୍ଠାନ୍ନ ବାଢ଼ିଥିଲେ । ଧୂପଦୀପ ଜାଳି ପୁଷ୍ପ ଚନ୍ଦନ ପ୍ରଦାନ କରି ପାଦତଳେ ମୁଣ୍ଡିଆ ମାରି ସ୍ନେହାଶୀର୍ବାଦ ଭିକ୍ଷା କରିଥିଲେ । ନିଜର କୁନି କୁନି ହାତରେ ପିତାମାତାଙ୍କୁ ମିଷ୍ଟାନ୍ନ ଭୋଜନ କରାଇବାର ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା । ଶିଶୁକୁ ସ୍ନେହାଶୀର୍ବାଦ ଦେବା ସହିତ ପିତାମାତାମାନେ ମଧ୍ୟ ଶିଶୁଙ୍କୁ ଆଦରରେ ମିଷ୍ଟାନ୍ନ ଭୋଜନ କରାଇଥିଲେ। ଏହି ସମୟରେ ଗୁରୁ ବନ୍ଦନା ଶିଶୁମାନଙ୍କ ଦ୍ଵାରା ଗାନ କରାଯାଇଥିଲା ।
ପରବର୍ତ୍ତୀ ପର୍ଯ୍ୟାୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ନରେନ୍ଦ୍ର ଭୋଇ ଓ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ କୁମାର ପଣ୍ଡାଙ୍କୁ ପ୍ରଥମରେ ଶିଶୁମାନେ ଓ ପରେ ପରେ ଶିଶୁଙ୍କ ପିତାମାତାମାନେ ଫୁଲଚନ୍ଦନ ଓ ଅଙ୍ଗବସ୍ତ୍ର ପ୍ରଦାନ କରି ଶୁଭାଶୀର୍ବାଦ ଲାଭ କରିଥିଲେ । ଶିକ୍ଷକଦ୍ଵୟ ଗୁରୁ ପରମ୍ପରା ଉପରେ ଆଲୋକପାତ କରି ଗୁରୁଙ୍କୁ ସମ୍ମାନ ହିଁ ଶିଶୁର ଉନ୍ନତିର ପରିଚାୟକ ବୋଲି କହିଥିଲେ । ଏହି ଉପଲକ୍ଷେ ଶିଶୁମାନଙ୍କ ଦ୍ଵାରା “ହେ ଗୁରୁ ତୁମେ ମଙ୍ଗଳମୟ” ସଙ୍ଗୀତ ତଥା ନୃତ୍ୟ ପରିବେଷଣ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହିତ ଭବିଷ୍ୟତ ନିମନ୍ତେ ଉଜ୍ଜ୍ୱଳ ଆଶା ସୃଷ୍ଟି କରୁଥିଲା ।