ଚୋରି ଘଟଣା ର ଏତଲା ଗ୍ରହଣ କରୁନାହିଁ ଉଲୁଣ୍ଡା ପୁଲିସ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ପୁଲିସ ଏକ ଚୋରି ଘଟଣାର ଏତଲା ଗ୍ରହଣ କରିବାକୁ ରାଜି ହେଉନଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଉଲୁଣ୍ଡା ଥାନା ଅନ୍ତର୍ଗତ ଚଡେଇପଙ୍କ ସ୍ଥିତ ମେଗା ପ୍ରକଳ୍ପ ପମ୍ପ ହାଉସ ଭିତରୁ ଗତ ଅଗଷ୍ଟ ୧୯ ତାରିଖ ରାତିରେ ୩ ଟି ସୋଲାର ପ୍ଲେଟ କେହି ଚୋରି କରି ନେଇଛି । ଉକ୍ତ ପମ୍ପ ହାଉସ ଏଲ-ଏଣ୍ଡ-ଟି କମ୍ପାନୀ ଦ୍ୱାରା ପରିଚାଳିତ ହେଉଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ସିକ୍ୟୁରିଟି ଗାର୍ଡ ନିଯୁକ୍ତି କରିଛନ୍ତି । ମାତ୍ର ସିକ୍ୟୁରିଟି ଗାର୍ଡ ରାତିରେ ରାଉଣ୍ଡ କରୁଥିବା ବେଳେ ଚତୁରତାର ସହ କେହି ଜଣେ ଅଭିଯୁକ୍ତ ଉକ୍ତ ୩ ଟି ସୋଲାର ପ୍ଲେଟ ଚୋରି କରି ନେଇଛି । ଫଳରେ ଏଲ-ଏଣ୍ଡ-ଟି କମ୍ପାନୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସେଠାରେ କାର୍ଯ୍ୟ କରୁଥିବା ସିକ୍ୟୁରିଟି ଗାର୍ଡ ଶଙ୍କର ପାଣିଗ୍ରାହୀ ଗତ ମାସ ୨୦ ତାରିଖ ଉଲୁଣ୍ଡା ଥାନାକୁ ଆସି ଚୋରି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ । ମାତ୍ର ଥାନା ଅଧିକାରୀ ଅନୁପସ୍ଥିତ ଥିବା ଦର୍ଶାଇ ସେତେବେଳେ ଥାନାରେ ଉପସ୍ଥିତ ଥିବା ପୁଲିସ ଅଧିକାରୀ ଫେରାଇ ଦେବା ସହ ପରେ ଆସି ଅଭିଯୋଗ କରିବାକୁ ପରାମର୍ଶ କରିଥିଲେ । ଫଳରେ ସିକ୍ୟୁରିଟି ଗାର୍ଡ ଶ୍ରୀ ପାଣିଗ୍ରାହୀ ଉଲୁଣ୍ଡା ଥାନାକୁ ଅଭିଯୋଗ ପାଇଁ ବାରମ୍ବାର ଯାଇଥିଲେ ସୁଦ୍ଧା ଅଭିଯୋଗ ଗ୍ରହଣ କରିନଥିଲେ । ପରେ ଗତ ମାସ ୨୪ ତାରିଖ ଏତଲା ରଖିବାକୁ ସମ୍ପୁର୍ଣ୍ଣ ମନା କରିଦେବା ସହ ଏଲ-ଏଣ୍ଡ-ଟି କମ୍ପାନୀର କୌଣସି ଅଧିକାରୀ ଆସି ଅଭିଯୋଗ ଦିଅନ୍ତୁ ବୋଲି ପରାମର୍ଶ କରିଥିଲେ । ସେପଟେ ସିକ୍ୟୁରିଟି ଗାର୍ଡ ଏନେଇ ଏଲ-ଏଣ୍ଡ-ଟି କମ୍ପାନୀର ଅଧିକାରୀଙ୍କୁ ଜଣାଇଥିଲେ । ମାତ୍ର ଏଲ-ଏଣ୍ଡ-ଟି କମ୍ପାନୀର କୌଣସି ଅଧିକାରୀ ଅଭିଯୋଗ ଦେବାକୁ ମନା କରିବା ସହ ଶ୍ରୀ ପାଣିଗ୍ରାହୀଙ୍କୁ ଚାକିରିରୁ ନିଳମ୍ବିତ କରିବା ସଙ୍ଗେ ଦୁଇ ମାସର ଦରମା ଦେଉନାହାନ୍ତି । ଏନେଇ ଏଲ-ଏଣ୍ଡ-ଟି କମ୍ପାନୀର କୌଣସି ଅଧିକାରୀଙ୍କ ସହ ଯୋଗାଯୋଗ ହୋଇ ପାରିନାହିଁ । ସେପଟେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡାଙ୍କୁ ଏନେଇ ପଚାରିବାରୁ ପୁଲିସର ଏଭଳି ପଦକ୍ଷେପକୁ ସମର୍ଥନ କରିବା ସହ ଜଣେ ସିକ୍ୟୁରିଟି ଗାର୍ଡଙ୍କ ଅଭିଯୋଗକୁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ପ୍ରକାଶ କରିଛନ୍ତି । ଏଥିସହ ଦାୟିତ୍ୱରେ ଥିବା ସୁପରଭାଇଜର , ଷ୍ଟୋର କିପର , ମ୍ୟାନେଜର କିମ୍ବା ଅନ୍ୟ କେହି ଅଧିକାରୀ ଆସି ଅଭିଯୋଗ କଲେ ଏତଲା ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ । ପୁଲିସ ବିଭାଗର ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।