Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତର ପ୍ଲେଇଙ୍ଗ XIରେ ହେବ ପରିବର୍ତ୍ତନ, ଦଳକୁ ଫେରିବେ ଏହି ବୋଲର

ନୂଆଦିଲ୍ଲୀ: ରବିବାର ଏସିଆ କପର ସୁପର-୪ ମୁକାବିଲାର ଏକ ମୁକାବିଲାରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଓ ପାକିସ୍ତାନ। କଲୋମ୍ବୋରେ ଖେଳା ଯିବାକୁ ଥିବା ଏହି ମ୍ୟାଚରେ ଭାରତର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ହେବ। ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ଚୂଡ଼ାନ୍ତ ଏକାଦଶକୁ ପ୍ରତ୍ୟାବର୍ତ୍ତନ ଘଟିବ। ବୁମରା ନିଜର ପୁତ୍ର ସନ୍ତାନ ଜନ୍ମ ପାଇଁ ଭାରତ ଯାଇଥିଲେ। ଏହି କାରଣରୁ ସେ ନେପାଳ ବିପକ୍ଷ ମୁକାବିଲା ଖେଳି ପାରି ନ ଥିଲେ। ଏବେ ସେ ଦଳରେ ଯୋଗ ଦେଇ ସାରିଛନ୍ତି। ଏଥିସହ ଭାରତ ଅକ୍ଷର ପଟେଲଙ୍କୁ ମଧ୍ୟ ସୁଯୋଗ ଦେଇପାରେ।

ଭାରତୀୟ ଦଳ ପାକିସ୍ତାନ ବିପକ୍ଷ ମ୍ୟାଚରେ ଅକ୍ଷର ପଟେଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରିପାରେ। ଅକ୍ଷର ବୋଲିଂ ସହିତ ଉପଯୋଗୀ ବ୍ୟାଟିଂ ମଧ୍ୟ କରିବାକୁ ସମର୍ଥ। ଯଦି ଅକ୍ଷରଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳେ ତେବେ ଶାର୍ଦ୍ଦୁଳ ଠାକୁରଙ୍କୁ ବିଶ୍ରାମ ଦିଆଯାଇପାରେ। ପାକିସ୍ତାନ ବିପକ୍ଷରେ ବୁମରା ଓ ମହମ୍ମଦ ସିରାଜ ବୋଲିଂ ଆକ୍ରମଣର ମୁଖ୍ୟ ଅଙ୍ଗ ହୋଇ ପାରନ୍ତି। ଦ୍ରୁତ ବୋଲର ଅଲରାଉଣ୍ଡର ହିସାବରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ରହିଛନ୍ତି। ସେହି ଦୃଷ୍ଟରୁ ଭାରତର ଚୂଡ଼ାନ୍ତ ଏକାଦଶରେ ତିନି ଦ୍ରୁତ ବୋଲର ଓ ଦୁଇ ସ୍ପିନର ରହି ପାରନ୍ତି। କୁଲଦୀପ ଯାଦବ ପ୍ରଥମ ସ୍ପିନର ଥିବା ବେଳେ ଅକ୍ଷର ପଟେଲ ଦ୍ଵିତୀୟ ସ୍ପିନର ହିସାବରେ ଦଳରେ ସୁଯୋଗ ମିଳିପାରେ।

ସୂଚନାଯୋଗ୍ୟ, ଏସିଆ କପ ୨୦୨୩ର ଗ୍ରୁପ ପର୍ଯ୍ୟାୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ୍ ହୋଇଥିଲା। ପାଲ୍ଲିକଲରେ ଖେଳା ଯାଇଥିବା ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୬୬ ରନରେ ଅଲଆଉଟ୍ ହୋଇଥିଲା। ଏହା ପରେ ବର୍ଷା ଯୋଗୁଁ ପାକିସ୍ତାନ ଇନିଂସରେ ଗୋଟିଏ ବି ବଲ୍ ପଡ଼ି ପାରି ନ ଥିଲା। ଫଳରେ ମ୍ୟାଚ୍ ରଦ୍ଦ ଘୋଷଣା କରାଯାଇଥିଲା।

ଏବେ ଭାରତ ଓ ପାକିସ୍ତାନ ମ୍ୟାଚ୍ ପାଇଁ ରିଜର୍ଭ ଡେର ବ୍ୟବସ୍ଥା କରାଯାଇଛି। ଯଦି ମୁକାବିଲା ବର୍ଷା ଯୋଗୁଁ ସଂପୂର୍ଣ୍ଣ ନ ହୁଏ ତେବେ ସେପ୍ଟେମ୍ବର ୧୧ ତାରିଖରେ ଅସଂପୂର୍ଣ୍ଣ ମ୍ୟାଚ୍ ଖେଳାଯିବ। ଅନ୍ୟ କୌଣସି ମ୍ୟାଚ୍ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେଲେ ତାକୁ ରଦ୍ଦ କରାଯିବ। ଏଥିସହ ଫାଇନାଲ୍ ପାଇଁ ମଧ୍ୟ ରିଜର୍ଭ ଡେର ବ୍ୟବସ୍ଥା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ