Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗ୍ରାମାଞ୍ଚଳରେ ଏବେ ଚୋରା ବିଦେଶୀ ମଦର ସମ୍ପ୍ରସାରିତ କାଉଣ୍ଟର

ଭବାନୀପାଟଣା, ୨୮/୦୯ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଗ୍ରାମାଞ୍ଚଳମାନଙ୍କରେ ଲୋକଙ୍କ ହାତ ପାହାନ୍ତାରେ ଚୋରା ବିଦେଶୀ ମଦ ଉପଲବ୍ଧ ହେଉଛି । ଆଉ ଏହି ଚୋରା ମଦ କାରବାରର କାର୍ପଟଦାର ସାଜିଛନ୍ତି ବ୍ଲକର ଲାଇସେନ୍ସପ୍ରାପ୍ତ ମଦ ଦୋକାନୀ । ମଦ ଦୋକାନଠାରୁ ଦୂର ଦୂରାନ୍ତ ଅଞ୍ଚଳରେ ଏମାନେ ଏକ ପ୍ରକାର ସମ୍ପ୍ରସାରିତ କାଉଣ୍ଟର ଖୋଲିଛନ୍ତି ବୋଲି କୁହାଯାଇପାରେ । ନିଜ ନିଜର କୋଟା ପୂରଣ ସହିତ ଆୟ ବୃଦ୍ଧି ପାଇଁ ବ୍ୟବସାୟୀମାନେ ଏଭଳି ପନ୍ଥା ଆପଣାଉଛନ୍ତି । ବ୍ଲକରେ ରହିଥିବା ସ୍କୁଲ ପାଖ, ରାସ୍ତାକଡର କିଛି ହୋଟେଲ, ଢାବା, ପାନ ଦୋକାନ, ଏପରିକି ଗଳିକନ୍ଦିରେ ଅବାଧରେ ଛୋଟ ଛୋଟ ବାର୍ କରିଥିବା ଓ ଦୁଇଗୁଣା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୁଏ। ତେବେ ଗାଁ ଗଣ୍ଡାରେ ଚାଲିଥିବା ଚୋରାମଦ ବିକ୍ରି ସଂକ୍ରାନ୍ତରେ ସ୍ଥାନୀୟ ଅବକାରୀ ଓ ପୁଲିସ୍‍ ପ୍ରଶାସନ ଯେ ଅବଗତ ନାହାନ୍ତି ତାହା ନୁହେଁ, ମଝିରେ ମଝିରେ ଚଢାଉ ସହିତ କିଛି ସାମଗ୍ରୀ ଜବତ ଓ ମାମଲା ବି ହେଉଛି । ବେପାରୀଙ୍କୁ ସୁହାଇଲା ଭଳି ମାମଲା ରୁଜୁ ହେଉଛି ଯେ ଅଳ୍ପଦିନ ପରେ ଜେଲ୍‍ ଯାଉଥିବା ମଦବେପାରୀଙ୍କ ମଧ୍ୟରୁ ଅଧିକାଂଶ ଜାମିନ୍‌ରେ ଆସି ନିଜ ନିଜ କାରବାର ସମ୍ଭାଳିବାରେ ଲାଗୁଛନ୍ତି । ଏହି ଚୋରା ଚାଲାଣ ରାତି ଅଧରେ ହେଉଥିବା ବେଳେ ନାଇଟ ଡ୍ୟୁଟିରେ ରହୁଥିବା ହୋମଗାର୍ଡଙ୍କ ଦାୟିତ୍ୱହୀନତା ଯୋଗୁଁ ଏକପ୍ରକାର ଏହି ଗୋରଖ ଧନ୍ଦାକୁ ପ୍ରଶ୍ରୟ ଦେଉଛି ବୋଲି ଲୋକେ କୁହାକୁହି ହେଉଛନ୍ତି। ଏହି ବେଆଇନ୍ କାରବାର ଦ୍ୱାରା ଯୁବପିଢି ବିଶେଷ ଭାବେ ବିପଥଗାମୀ ହେଉଥିବାବେଳେ ସାମାଜିକ ସନ୍ତୁଳନ ନଷ୍ଟ ହେବାରେ ଲାଗିଛି । ଏହାସହ ସ୍କୁଲକୁ ଲାଗି ରହିଥିବା କେତେକ ମଦ ଦୋକାନ ସ୍କୁଲ ପିଲାଙ୍କ ପାଇଁ ଏକ ପ୍ରକାର ବିପଦ ସୃଷ୍ଟି କରିଛି । ଅବକାରୀ ବିଭାଗର ଉଦାସୀନତା ଯୋଗୁଁ କୋକସରା ବ୍ଲକ ଏବେ ବେଆଇନ୍ ନିଶା ବ୍ୟବସାୟୀଙ୍କ ଭୂସ୍ୱର୍ଗରେ ପରିଣତ ହୋଇଥିବା କୁହାଯାଉଛି । ଅଞ୍ଚଳରେ ଏବେ ଚୋରା ବିଦେଶୀ, ଦେଶୀମଦଠାରୁ ଆରମ୍ଭ କରି ଗଞ୍ଜେଇ ପରି ଉତ୍କଟ ନିଶା ଦ୍ରବ୍ୟର କାରବାରର ପେଣ୍ଠସ୍ଥଳୀ ପାଲଟିଛି । ଏହି ବେଆଇନ୍ ବ୍ୟବସାୟରେ କମ୍ ପରିଶ୍ରମରେ ବହୁ ଅଧିକ ଲାଭ ମିଳୁଥିବାରୁ ଏହି କାରବାର ପ୍ରତି ବହୁ ଯୁବ ସଂପ୍ରଦାୟ ଆକୃଷ୍ଠ ହୋଇ ପଡୁଛନ୍ତି । ସେମାନଙ୍କୁ ନୈତିକ ସମର୍ଥନ ଯୋଗାଇ ଦେଉଛନ୍ତି ସହରର କେତେକ ନିଶା ମାଫିଆ । ଅବକାରୀ ବିଭାଗ ସହିତ ଏ ସମସ୍ତ ମାଫିଆଙ୍କ ଭଲ ସଂପର୍କ ରହିଥିବା ସାଧାରଣରେ ଅଭିଯୋଗ ହେଉଛି । କାରଣ ଏତେ ସବୁ ବେଆଇନ୍ କାରବାର ଚାଲିଥିଲେ ମଧ୍ୟ ଅବକାରୀ ବିଭାଗ ନୀରବତା ଅବଲମ୍ବନ କରୁଥିବାରୁ ଏପରି ଅଭିଯୋଗ ଅମୂଳକ ନୁହେଁ ବୋଲି କୁହାଯାଉଛି
କୋକସରା ବ୍ଲକ ଅନ୍ତର୍ଗତ ମାଝିଗୁଡା, କୋକସରା, ଝରିଆଗୁଡା, ଫୁଫଗାଁ, ଚିଲଡଙ୍ଗରି, ଚିକିଲି, ଟେମରା, ଭୁରଷାଗୁଡ଼ା, ବରାଡଙ୍ଗା, ସିଉନି, ଆମପାଣି ଚୋରା ବିଦେଶୀ ମଦ ବିକ୍ରି ହେଉଥିବା ଶୁଣିବାକୁ ମିଳୁଛି। ବିଶେଷ କରି ବଡ଼ ପୋଡାଗୁଡ଼ା ଅଞ୍ଚଳରେ ନକଲି ମଦ ମିଳୁଥିବା ଗ୍ରାହକ ଅଭିଯୋଗ କରିଛନ୍ତି । କୋକସରା ବ୍ଲକ ରେ ହେଉଥିବା ଏହି ବେଆଇନ ବ୍ୟବସାୟ ସଂପର୍କରେ ଅବକାରୀ ବିଭାଗ ପାଖରେ ସଠିକ୍ ସୂଚନା ରହିଛି । କେତେବେଳେ କେମିତି ଅଳ୍ପ ଦେଶୀ ମଦ କିମ୍ବା ଗଂଜେଇ ନେଇ ଯାଉଥିବା ଲୋକଙ୍କୁ ଗିରଫ କରି ଅବକାରୀ ବିଭାଗ ବାହାବା ନେବାକୁ ଉଦ୍ୟମ କରୁଛି । କେବଳ ବେଆଇନ୍ ନିଶା କାରବାର ସଂପର୍କିତ ମାମଲା ଟାର୍ଗେଟ ପୂରଣ କରିବାକୁ ଯାଇ ଅବକାରୀ ବିଭାଗ ଔପଚାରିକତା ଦୃଷ୍ଟିରୁ ରୁଟିନ୍ ଚଢଉ କରୁଛି । କିନ୍ତୁ ଉତ୍କଟ ନିଶାଦ୍ରବ୍ୟ କାରବାର କରୁଥିବା ବେପାରୀଙ୍କୁ ଆଜି ପର୍ଯ୍ୟନ୍ତ ଥରେ ମଧ୍ୟ ଧରିବାକୁ ଅବକାରୀ ବିଭାଗ ସକ୍ଷମ ହୋଇପାରିନାହିଁ । ଅବକାରୀ ବିଭାଗ ଏହାର ଟେର ମଧ୍ୟ ପାଉନି । ନିଶା ସେବନ କରିବାକୁ ଅର୍ଥର ଅଭାବ ହେଲେ ସେମାନେ ଅପରାଧିକ ଘଟଣା ଘଟାଇବାକୁ ପଛାଉ ନାହାନ୍ତି । ଏହା ଜିଲା ଅବକାରୀ ବିଭାଗର ବିଫଳତା ନା ପୁଲିସ ବିଭାଗର ନିଷ୍କ୍ରିୟତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।