କଳାହାଣ୍ଡି, ୨୯/୦୯ (ଜଗନ୍ନାଥ ନାଏକ) : ଧର୍ମଗଡ଼ ଜିଲ୍ଲା ଗଠନ ଦାବୀ ଗଣଧାରଣା ର ଆଜି ୩୨ ତମ ଦିବସ ରେ ଧର୍ମଗଡ ଚେମ୍ବର ଅଫ କମର୍ସ ପକ୍ଷରୁ ଜିଲ୍ଲା ଦାବୀ କୁ ନୈତିକ ସମର୍ଥନ କରି ଦୁଇ ଘଣ୍ଟା ଦୋକାନ ସଟର ବନ୍ଦ କରି ରାଜ ରାସ୍ତାରେ ଗର୍ଜିଲେ ବ୍ୟବସାୟୀ ମାନେ। ଧର୍ମଗଡ ଚେମ୍ବର ଅଫ କମର୍ସ ର ସଭାପତି ବିଦ୍ୟାଧର ସାହୁଙ୍କ ନେତୃତ୍ଵରେ ଶତାଧିକ ବ୍ୟବସାୟୀ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲା ଦାବିର ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ସହର ପରିକ୍ରମା କରି ଧର୍ମଗଡ ସହ ଜିଲ୍ଲାପାଳ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ। ବ୍ୟବସାୟୀ ମାନେ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଅନିର୍ଦ୍ଦିଷ୍ଟ କାଳପାଇଁ ଚାଲିଥିବା ଗଣଧାରଣାରେ ବସି ସମଗ୍ର ଉପଖଣ୍ଡ ର ଭୌଗଳିକ ଆୟତନ, ଜନସଂଖ୍ୟା,ସାଂସ୍କୃତିକ ବିଭବ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଥିବା ଦୃଷ୍ଟିରୁ ଧର୍ମଗଡ ଉପଖଣ୍ଡ କୁ ରାଜ୍ୟ ର ୩୧ ନମ୍ବର ଜିଲ୍ଲା ଭାବେ ଘୋଷଣା କରିବାକୁ ଦାବି କରିଥିଲେ। ଧର୍ମଗଡ ସହର ସ୍ଥାନୀୟ ତଥା ପଡ଼ୋଶୀ ଜିଲ୍ଲା ତଥା ପଡ଼ୋଶୀ ଛତିଶଗଡ ରାଜ୍ୟ ସୀମାନ୍ତ ଅଞ୍ଚଳର ଜନ ସାଧାରଣ ଙ୍କ ପାଇଁ ଏକ ମୁଖ୍ୟ ବ୍ୟବସାୟିକ କେନ୍ଦ୍ର। ଶିକ୍ଷା, ସ୍ବାସ୍ଥ୍ୟ ଓ ଦୈନନ୍ଦିନ ଜୀବନ ଧାରଣର ଆବଶ୍ୟକତା ଦୃଷ୍ଟିରୁ ତଥା ବିଭିନ୍ନ ସରକାରୀ କାର୍ଯ୍ୟର ସମ୍ପାଦନ ପାଇଁ ଏ ଅଞ୍ଚଳର ଜନ ସାଧାରଣ ଏହି ସହର ଉପରେ ନିର୍ଭରଶୀଳ। ଏହି ଉପଖଣ୍ଡର ଆଭ୍ୟନ୍ତରୀଣ ଅଂଚଳରୁ ବର୍ତ୍ତମାନର ଜିଲ୍ଲା ସଦର ମହକୁମା ଶତାଧିକ ମାଇଲ ର ଦୁରତ୍ଵ ହେତୁ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ସଂପର୍କ ପାଇଁ ଅଧିକାଂଶ ଜନତା ପକ୍ଷରେ ସମ୍ଭବ ହୋଇ ପାରୁନାହିଁ ଫଳରେ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନାର ସଫଳତା ତଥା ଲୋକାଭିମୁଖୀ ପ୍ରଶାସନିକ ବ୍ୟବସ୍ଥାର ସୁଫଳ ଲାଭ ସୁଯୋଗରୁ ବଞ୍ଚିତ ହେବା ସ୍ଵାଭାବିକ ତେଣୁ ପ୍ରଶାସନିକ ବ୍ୟବସ୍ଥାର ଅଧିକ ବିକେନ୍ଦ୍ରିକରଣ ହେଲେ ଜନ ସାଧାରଣ ଅଧିକ ଉପକୃତ ହୋଇ ପାରିବେ ତେଣୁଧର୍ମଗଡ ଉପଖଣ୍ଡ କୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ର ଆବଶ୍ୟକତା ରହିଛି ବୋଲି ଗଣ ଧାରଣା ସ୍ଥଳରେ ବ୍ୟବସାୟୀ ମାନେ ପ୍ରକାଶ କରିଥିଲେ। ଚେମ୍ବର ଅଫ କମର୍ସ ର ସଂପାଦକ ଅରୁଣ କୁମାର ତାୟଲ, ଉପ ସଭାପତି ଯଶୋବନ୍ତ ମେହେର, ସୁବାସ ଅଗ୍ରୱାଲ, ସହ ସମ୍ପାଦକ ଅତୁଲ୍ୟ ମେହେର, ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ବୈଦନାଥ ବେହେରା, ଆଇନ ପରାମର୍ଶ ଦାତା ରାଜେନ୍ଦ୍ର ମୁନି, ହରେଶ ଅଗ୍ରୱାଲ, ଜଗନ୍ନାଥ ପୃଷ୍ଟି, ପଙ୍କଜ ଅଗ୍ରୱାଲ, ସୁରେନ୍ଦ୍ର ମୁନି ସମେତ ଶତାଧିକ ବ୍ୟବସାୟୀ ଧର୍ମଗଡ ଉପଖଣ୍ଡ ଜିଲ୍ଲା ଦାବୀ ଯଥାର୍ଥ ବୋଲି ଦାବୀ କରିଥିଲେ ନହେଲେ ଛାତ୍ର ଛାତ୍ରୀ ମାନେ ରାଜ ରାସ୍ତା କୁ ଓହ୍ଲାଇବ ବୋଲି ରାଜ୍ୟ ସରକାର ଙ୍କୁ ଚେତାବନୀ ଦେଇଥିଲେ। ଧର୍ମଗଡ ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟିର ଆବାହକ ବରିଷ୍ଠ ଓକିଲ ତୁଷାର ରଞ୍ଜନ ପଟ୍ଟଯୋଷୀ ସଭା ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟ ହୃଷୀକେଶ ମିଶ୍ର, ସୁବାସ ଚନ୍ଦ୍ର ପାଣିଗ୍ରାହି, ଲକ୍ଷ୍ମୀ କାନ୍ତ ବାଗ, ବିରଞ୍ଚି ନାରାୟଣ ଜାଲ, ବ୍ରଜେଶ୍ ପଣ୍ଡା ସନ୍ତୋଷ ପାଢ଼ୀ ,ଡାକେଶ୍ୱର ଲହଜଲ, ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।ସୂଚନା ଯୋଗ୍ୟ ଯେ, ଜିଲ୍ଲା ମାନ୍ୟତା ଦାବୀ ରେ ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଗାମୀ ଅକ୍ଟୋବର ୪ ତାରିଖ ୨୦୨୩ ଦିନ ଧର୍ମଗଡ ଉପଖଣ୍ଡ କୁ ୧୨ ଘଣ୍ଟିଆ ସଂପୂର୍ଣ୍ଣ ବନ୍ଦ ଡାକରା ଦିଆ ଯାଇଛି।
ଧର୍ମଗଡକୁ ଜିଲ୍ଲା ଦାବୀ ଗଣଧାରଣାରେ ୩୨ତମ ଦିବସ, ଦୋକାନ ବନ୍ଦ କରି ବିରାଟ ଶୋଭାଯାତ୍ରାରେ ସାମିଲ ହୋଇ ଗଣଧାରଣାରେ ବସିଲେ ବ୍ୟବସାୟୀ
