Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡାରେ ଗାନ୍ଧୀଜୟନ୍ତୀ ସହ ପ୍ରତିଭା ବିକାଶ ସମାରୋହ; ପୁରସ୍କୃତ ହେଲେ ୫୯ ଛାତ୍ରଛାତ୍ରୀ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଦୁଇ ଦିବସ ବ୍ୟାପୀ ଆନ୍ତଃଶ୍ରେଣୀ ପ୍ରତିଭା ଚୟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୁଚିଣ୍ଡା ସହର ଓ କୁଚିଣ୍ଡା ବ୍ଲକ ଅଞ୍ଚଳସ୍ଥ ୧୧ଟି ସ୍କୁଲର ପ୍ରାୟ ୨୦୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଉଦଯାପନ ସମାରୋହ ତଥା ପୁରସ୍କାର ବିତରଣ ସଭାରେ ପ୍ରତିଭା ବିକାଶ ଅଭିଯାନର ବ୍ଲକ ସଭାପତି ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏସଡିଏମଓ ଡା:ସୁବୋଧ କୁମାର ନାୟକ ମହାତ୍ମା ଗାନ୍ଧୀଙ୍କ ଅହିଂସା ଓ ଜୀବନଚର୍ଯ୍ୟା ସଂକ୍ରାନ୍ତରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶାନ୍ତନୁ ସାହୁ ଓ ଅବସର ପ୍ରାପ୍ତ ଆରଆଇ ଜଗନ୍ନାଥ ପାଣିଗ୍ରାହୀ ମଞ୍ଚାସିନ ରହି ଅନ୍ୟଅତିଥିଙ୍କ ସହ ୫୯ ଜଣ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ପ୍ରାରମ୍ଭରେ ଭୋଜପୁର କଲେଜର କ୍ରୀଡା ଶିକ୍ଷକ ଦେବେନ୍ଦ୍ର ନାୟକ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ଅଭିଯାନର ସଂଯୋଜକ ରମେଶ କିସାନ ବିବରଣୀ ପାଠ କରିଥିବା ବେଳେ ଆବାହକ ପ୍ରଭାତ ବେହେରା ଅନୁଷ୍ଠାନ ଓ ଏହାର ପାଠାଗାର ଆନ୍ଦୋଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ଅଭିଯାନ ୨୧ ବର୍ଷରେ ଉପନୀତ ହୋଇଛି ବୋଲି କହିଥିଲେ। ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀଙ୍କ ସହ ଅଭିଭାବକ, ଅଭିଭାବିକା ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉତ୍ସବରେ ଉପସ୍ଥିତ ଥିଲେ। ତାଙ୍କ ମଧ୍ୟରେ ବେଶ ଉସ୍ୱାହ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିଗଣ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ। ସ୍ବର୍ଗତ ଶୁଭମ ଗଡ଼ତିଆ, ଭାଗଚନ୍ଦ ଅଗ୍ରୱାଲ, ସୁବୋଧ ଶର୍ମା, ତାପସ ନାଏକ, ଅଶୋକ ନାୟକ ପ୍ରମୁଖଙ୍କ ସ୍ମୃତିରେ କୃତୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅଭିଯାନର କର୍ମକର୍ତ୍ତା ସୁଗତ ପଟେଲ, କଲ୍ୟାଣୀ ପଟେଲ, ଅତୁଲ ଅଗ୍ରୱାଲ, ବିଜୁ ସାହୁ, ପ୍ରଧାନ ଶିକ୍ଷକ ରଣଜିତ ବରିହା, ସ୍ବେଚ୍ଛାସେବୀ ମାନସୀ ବଗର୍ତ୍ତି, ତନୟା ହଂସ, ସୁଧୀର ପଟେଲ, ଗୀତାଞ୍ଜଳି ପ୍ରମୁଖ ଶିକ୍ଷାବିତ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ଅଭିଯାନର ବରିଷ୍ଟ ସଦସ୍ୟ ସୁଗଥ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।