ବେଲଗୁଣ୍ଠା,10/10, ସାମ୍ପ୍ରତିକ ପରିସ୍ଥିତିରେ ଦେଶର ଯୁବ ପିଢିଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ,ବରିଷ୍ଠ ନାଗରିକ ସାଇବର୍ ଅପରାଧର ଶିକାର ହୋଇ ଅର୍ଥ ଏବଂ ସମ୍ମାନ ହରାଇବା ସହିତ ବେଳେ ବେଳେ ସାଇବର୍ ଅପରାଧୀଙ୍କ ଚକ୍ରାନ୍ତରେ ଅତିଷ୍ଠ ହୋଇ ଆତ୍ମହତ୍ୟା ଭଳି ପଦକ୍ଷେପ ମଧ୍ଯ ଗ୍ରହଣ କରିବାକୁ ପଛାଉ ନାହାଁନ୍ତି I ବର୍ତ୍ତମାନ ସାଇବର୍ ଅପରାଧର ଅଧିକ ଶିକାର ହେଉଛନ୍ତି ଅଳ୍ପ ସମୟ ମଧ୍ୟରେ ଧନୀ ହୋଇଯିବାର ସ୍ଵପ୍ନ ଦେଖୁଥିବା ଯୁବଗୋଷ୍ଠୀ ଏବଂ ଅନ୍ ଲାଇନ୍ ମାଧ୍ୟମରେ ପ୍ରେମରେ ପଡ଼ୁଥିବା ପ୍ରେମିକ ପ୍ରେମିକା I ତେଣୁ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ସାଇବର୍ ଅପରାଧ ସମ୍ପର୍କରେ ସଚେତନ ହେବା ଜରୁରୀ ହୋଇପଡ଼ିଛି I ଏହାକୁ ଦୃଷ୍ଟିରେ ରଖି
ରଖି ଓଡ଼ିଶା ପୋଲିସ ପକ୍ଷରୁ ସାଇବର୍ ସୁରକ୍ଷା ଅଭିଯାନ କରି ସାଇବର୍ ରଥ ସାହାଯ୍ୟରେ ଜନସାଧାରଣଙ୍କୁ ସଚେତନତା କରାଯାଉଥିବା ବେଳେ ଆଜି ଏହି ରଥକୁ ଗାଙ୍ଗପୁର ଠାରେ ଗାଙ୍ଗପୁର ଥାନା ସମେତ ବିଭିନ୍ନ ଅନୁଷ୍ଠାନ, ସଙ୍ଗଠନ ତଥା ବ୍ୟକ୍ତିବିଶେଷଙ୍କ ଦ୍ବାରା ସ୍ୱାଗତ କରାଯାଇଛି । ଆଜି ଏହି ରଥ ପ୍ରଥମେ ଗାଙ୍ଗପୁର ଥାନା ସମ୍ମୁଖରେ ପହଞ୍ଚିବା ପରେ ଗାଙ୍ଗପୁର ଭାରପ୍ରାପ୍ତ ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟଙ୍କ ନେତୃତ୍ୱରେ ଗାଙ୍ଗପୁର ପୋଲିସ୍ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହାକୁ ଭବ୍ଯ ସ୍ୱାଗତ କରାଯାଇଥିଲା I ଏହା ପରେ ଏହି ରଥ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ପରିସରରେ ଏକ ସାଇବର୍ ଅପରାଧ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା I ଅନୁଷ୍ଠାନ ଅଧ୍ୟକ୍ଷ ହରିଶଙ୍କର ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ କୁମାର ପୃଷ୍ଟି ଯୋଗ ଦେଇ ସାଇବର୍ ଅପରାଧରୁ ରକ୍ଷା ପାଇବାକୁ ହେଲେ କୌଣସି ଅଜଣା ଫୋନ୍ କଲ୍ ପାଇଲା ପରେ ଓଟିପି ନ ଦେବା,ଅନ୍ ଲାଇନ୍ ରେ ଲୋଭର ବଶବର୍ତ୍ତୀ ନ ହୋଇ କୌଣସି ପ୍ରକାରର ବ୍ୟକ୍ତିଗତ ତଥ୍ୟ ନ ଦେବା ଏବଂ କୌଣସି ପ୍ରକାରର ତଦନ୍ତ ନ କରି ଅଜଣା ସଂସ୍ଥାରେ ଅର୍ଥ ନ ଲଗାଇବା ସହିତ ଅନ୍ ଲାଇନ୍ ଲଟେରୀ,ଗେମ୍ ଉପରେ ବିଶ୍ୱାସ ନ କରିବା ପାଇଁ ସଚେତନତା କରାଇଥିଲେ । କୌଣସ ବ୍ୟକ୍ତି ସହିତ ଏପରି ଘଟଣା ଘଟିଲେ ତୁରନ୍ତ ଥାନାରେ ଜଣାଇବାକୁ ପରାମର୍ଶ ଦେଇଥିଲେ । ସେହିପରି ସମ୍ମାନୀତ ଅତିଥି ରୂପେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଶ୍ୱମିତ୍ରା ହରପାଲ୍,ଗାଙ୍ଗପୁର ଭାରପ୍ରାପ୍ତ ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ,ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ର ଶାଖା ପରିଚାଳକ ଦେବେନ୍ଦ୍ର ବେହେରା, କ୍ଷତ୍ରିୟବରପୁର ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ, ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ I ଏହି ଅବସରରେ ସେଠାରେ ଗଞ୍ଜାମ ସାଇବର୍ ଅପରାଧ ସମ୍ପର୍କରେ ଏକ ସଚେତନ ଧର୍ମୀ କ୍ଷୁଦ୍ର ନାଟକ ମଞ୍ଚସ୍ଥ ହୋଇଥିଲା । ସାଇବର୍ ଏକ୍ସପର୍ଟ ଅକ୍ଷୟ କୁମାର ଜେନା ସାଇବର ର ବିଭିନ୍ନ ଦିଗ ଉପରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ । ଏହି ଅବସରରେ ସାଇବର୍ ଅପରାଧ ଉପରେ ପ୍ରଶ୍ନୋତ୍ତର ପ୍ରତିଯୋଗିତା ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଏନବିସି ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ କୁନା ସୁନା ସଂଯୋଜନା କରିଥିଲେ I ଗାଙ୍ଗପୁର ଥାନାର ସମସ୍ତ ପୋଲିସ୍ କର୍ମଚାରୀ ସହଯୋଗ କରିଥିଲେ I ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ଧନ୍ୟବାଦ ଜ୍ଞାପନ କରିଥିଲେ I
ଗାଙ୍ଗପୁର ଥାନା ପକ୍ଷରୁ ସାଇବର କ୍ରାଇମ ସଚେତନତା ରଥକୁ ସ୍ୱାଗତ ଓ ସଚେତନତା କାଯ୍ୟକ୍ରମ
