ଭବାନୀପାଟଣା, ୧୫/୧୦ (ଜଗନ୍ନାଥ ନାଏକ) : ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଗ୍ରାମାଞ୍ଚଳକୁ ସବୁ ଦିନିଆ ରାସ୍ତା ଓ ପୋଲ ନଥିବାରୁ ଖଟିଆରେ ବୁହାହୋଇ ଡାକ୍ତରଖାନା ଯାଉଛନ୍ତି ରୋଗୀ l ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଶନିବାର କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଲଝାପୀ ପଞ୍ଚାୟତ ର ଖମନ ପଡା ଗ୍ରାମରେ
ଚନ୍ଦ୍ରିକା ଗଉଡ଼ ନାମ୍ନୀ ଜଣେ ବୃଦ୍ଧା ଆଜି ଅପରାହ୍ନରେ ପଡି ଯାଇଥିଲେ l ପଡିଯିବାପରେ ସେ ଅସୁସ୍ଥ ହୋଇ ଯାଇଥିଲେ l ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଲେ l ହେଲେ ଖମନ ପଡା ଗାଁକୁ ଯିବାପାଇଁ ସବୁଦିନିଆ ରାସ୍ତା ନାହିଁ କି ଗାଁ ମୁଣ୍ଡ ଦେଇ ପ୍ରବାହିତ ହେଉଥିବା ବାଲିଯୋର ନଦୀରେ ପୋଲ ନାହିଁ l ଯାହା ଫଳରେ ଆମ୍ବୁଲାନ୍ସ ଦେର୍ଲା ଛକ ନିକଟରେ ଅଟକି ରହିଲା l ପରିବାର ଓ ସମ୍ପର୍କୀୟ ମାନେ ଖଟିଆରେ କାନ୍ଧେଇ ଚନ୍ଦ୍ରିକା ଙ୍କୁ ବାଲିଯୋର ନଦୀ ପାର କରି ପ୍ରାୟ ପାଞ୍ଚ କିଲୋମିଟର ଆଣିଥିଲେ l ପରେ ଆମ୍ବୁଲାନ୍ସ ଯୋଗେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ l ଡାକ୍ତର ଦେଖି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଉଥିଲେ l ଆମ୍ବୁଲାନ୍ସ ଯୋଗେ ବୃଦ୍ଧା ଚନ୍ଦ୍ରିକାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି l କେବେ ବାଲିଯୋର ନଦୀରେ ସେତୁ ନିର୍ମାଣ ହେବ ଏବଂ କେବେ ଖମନପଡା ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣ ହେବ ତାକୁହିଁ ଗ୍ରାମବାସୀଙ୍କ ଅପେକ୍ଷା l
ରାସ୍ତା ନାହିଁ କି ପୋଲ ନାହିଁ ଖଟିଆ ରେ ବୁହା ହେଉଛନ୍ତି ରୋଗୀ
