ଅନୁଭବଙ୍କ ଆବେଦନ ଗ୍ରହଣ କଲେ ହାଇକୋର୍ଟ, ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ୍ ଜାରି


କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଦ୍ଵାରା ଦାଖଲ ଛାଡ଼ପତ୍ର ଆବେଦନକୁ ଗ୍ରହଣ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଏହି ମାମଲାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ୍ ଜାରି କରାଯାଇଛି। ଆସନ୍ତା ୯ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।  ତଳ କୋର୍ଟର ରେକର୍ଡ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେବେ। ନଭେମ୍ବର ୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ଛାଡ଼ପତ୍ର ଆବେଦନକୁ କଟକ ପରିବାର ଅଦାଲତ ଖାରଜ କରିଥିବା ବେଳେ ଏହି ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ପହଞ୍ଚିଛନ୍ତି ସାଂସଦ। ଏହି ମାମଲାରେ ଅନୁଭବ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବି ପକ୍ଷଭୁକ୍ତ କରିଛନ୍ତି।

୨୦୨୩ ସେପ୍ଟେମ୍ବର ୨୨ରେ ପରିବାର ଅଦାଲତ ଅନୁଭବଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରିଥିଲେ। ବିବାହ ଉଚ୍ଛେଦ ପାଇଁ ଅନୁଭବଙ୍କ ପକ୍ଷରୁ ଦର୍ଶାଯାଇଥିବା କାରଣ ଗ୍ରହଣୀୟ ନୁହେଁ ବୋଲି ପରିବାର ଅଦଲତ କହିଥିଲେ। ପରିବାର ଅଦାଲତ ଯେଉଁ ରାୟ ଦେଇଛନ୍ତି ତାହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଅନୁଭବ ଦର୍ଶାଇଛନ୍ତି। ଏହି ମାମଲାରେ ଅନୁଭବ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବି ପକ୍ଷଭୁକ୍ତ କରିଛନ୍ତି। କଟକ ପରିବାର ଅଦାଲତ ଅନୁଭବଙ୍କ ଛାଡ଼ପତ୍ର ଆବେଦନ ସହିତ ଦାମ୍ପତ୍ୟ ଜୀବନ ପୁନଃସ୍ଥାପନ ପାଇଁ ବର୍ଷା ପ୍ରିୟଦର୍ଶିନୀ ରୁଜୁ କରିଥିବା ମାମଲାକୁ ବି ଖାରଜ କରିଥିଲେ।

ସୂଚନାଯୋଗ୍ୟ,୨୦୧୪ ଫେବ୍ରୁଆରୀ ୮ରେ ଅନୁଭବ ଓ ବର୍ଷା ମଧ୍ୟରେ ବିବାହ ହୋଇଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ପାରିବାରିକ ବିବାଦ ଦେଖା ଦେଇଥିଲା। ଅନୁଭବ ୨୦୨୦ରେ ଦିଲ୍ଲୀର ପଟିଆଲା ହାଉସ୍‌ ଅଦାଲତରେ ଛାଡ଼ପତ୍ର ପାଇଁ ପିଟିସନ୍ ଦାଖଲ କରିଥିଲେ। ଛାଡ଼ପତ୍ର ପାଇଁ ଅନୁଭବ ଦାୟର କରିଥିବା ଆବେଦନକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଏହା ପରେ ଦୀର୍ଘ ସମୟ ଧରି ପରିବାର ଅଦାଲତରେ ଶୁଣାଣି ଚାଲିଥିଲା।