Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରତ୍ନଭଣ୍ଡାର ଖୋଲିବା ଦାବି, ଗଜପତିଙ୍କୁ ଭେଟିଲେ ବିଜେପି ପ୍ରତିନିଧି ମଣ୍ଡଳ

ଭୁବନେଶ୍ଵର: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଦାବି ଜୋର ଧରିଛି। କଂଗ୍ରେସ ପରେ ବୁଧବାର ଗଜପତି ମହାରାଜାଙ୍କୁ ଭେଟିଛନ୍ତି ବିଜେପି ପ୍ରତିନିଧି ଦଳ। ଭୁବନେଶ୍ଵର ସହିଦନଗର ସ୍ଥିତ ଗଜପତି ମହାରାଜାଙ୍କ ବାସଭବନରେ ବିଜେପିର ପ୍ରତିନିଧି ଦଳ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଭେଟିରତ୍ନଭଣ୍ଡାର ଖୋଲିବା ନେଇ ଆଲୋଚନା କରିଛନ୍ତି।

ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ଵରେ ଗଜପତି ମହାରାଜାଙ୍କ ସହ ଆଲୋଚନା କରିଛନ୍ତି । ପ୍ରତିନିଧି ଦଳରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ, ପୁରୀ ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରି ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଉଲ୍ଲେଖନୀୟ ହାଇକୋର୍ଟ ରତ୍ନ ଭଣ୍ଡାର ଖୋଲିବା ପାଇଁ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ। ଏହି କ୍ରମରେ ବିଜେପି ଗଜପତି ମହାରାଜଙ୍କୁ ଭେଟିଛନ୍ତି ବିଜେପିର ପ୍ରତିନିଧି ମଣ୍ଡଳ। ହାଇକୋର୍ଟ ନିର୍ଦ୍ଦେଶ ପରେ ବି ଏପର୍ଯ୍ୟନ୍ତ କମିଟି ଗଠନ କାହିଁକି ହୋଇନି ବୋଲି ବିଜେପି ପ୍ରଶ୍ନ କରିଛି।

ଶ୍ରୀ ମନ୍ଦିର ପରିଚାଳନା କମିଟି ଅଗଷ୍ଟ ୪ ତାରିଖରେ ରିଜଲ୍ୟୁସନ କରି ସରକାର ଓ ହାଇକୋର୍ଟଙ୍କୁ ଅବଗତ କରିଥିଲେ ଯେ ରତ୍ନ ଭଣ୍ଡାର ଖୋଲିବା ଲାଗି କମିଟି ଗଠନ କରାଯିବ। କମିଟି ଗଠନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଲେ କିନ୍ତୁ କାହିଁକି ଏ ଯାଏଁ କମିଟି ହୋଇନି। ପୂର୍ବତନ ମୁଖ୍ୟ ବିଚାରପତି ଦୀପକ ମିଶ୍ର ଓ ଜି.ବି. ପଟ୍ଟନାୟକ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଉ ବୋଲି ବିଜେପି ଦାବି କରିଛି। ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଇ ଲୋକଙ୍କ ଦ୍ୱନ୍ଦ୍ଵ ଦୂର କରାଯାଉ ବୋଲି ବିଜେପି ଚହେଁ ବୋଲି ସମୀର ମହାନ୍ତି କହିଛନ୍ତି।

୪୫ ବର୍ଷ ଧରି ରତ୍ନଭଣ୍ଡାର ଖୋଲାଯାଇନି କି କୌଣସି ଇନଭେଣ୍ଟରି କରାଯାଇନାହିଁ। ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଇ ଲୋକଙ୍କ ଦ୍ୱନ୍ଦ୍ଵ ଦୂର କରାଯାଉ। ଗଜପତି ମଧ୍ୟ ବିଭିନ୍ନ ସମୟରେ ରତ୍ନ ଭଣ୍ଡାର ଖୋଲିବାକୁ କହୁଛନ୍ତି। ଶ୍ରୀ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜାଙ୍କୁ ବିଜେପି ଭେଟି ଏ ସମ୍ପର୍କରେ ଅବଗତ କରାଇଛି ବୋଲି ଦଳୀୟ ନେତା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ