Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚରେ ବର୍ଷା ସାଜିପାରେ ବାଧକ, ଜାଣନ୍ତୁ ରବିବାର କେମିତି ରହିବ ପାଗ

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ଵକପ ୨୦୨୩ର ହାଇ ଭୋଲଟେଜ୍ ମ୍ୟାଚ୍ ଖେଳାଯିବ। ଏହି ମୁକାବିଲା ହିମାଚଳ ପ୍ରଦେଶର ଧର୍ମଶାଳାରେ ଖେଳାଯିବ। ଦୁଇ ଦଳ ଅଦ୍ୟାବଧି ୪ଟି ମ୍ୟାଚ୍ ଖେଳି ସମସ୍ତ ମ୍ୟାଚ୍ ଜିତି ପଏଣ୍ଟ ଟେବୁଲରେ କ୍ରମଶଃ ପ୍ରଥମ ଓ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ତେବେ ଏହି ମ୍ୟାଚରେ ସ୍ପଷ୍ଟ ହୋଇଯିବ କିଏ ଶକ୍ତିଶାଳୀ ଦଳ। କିନ୍ତୁ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର ଯେ, ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ବର୍ଷା ହେବାର ସମ୍ଭାବନା ରହିଛି।

ବିଶ୍ଵକପର ୨୦୨୩ରେ ଏ ପର୍ଯ୍ୟନ୍ତ କୌଣସି ବି ମୁକାବିଲା ବର୍ଷାରେ ପ୍ରଭାବିତ ହୋଇ ନାହିଁ। ମାତ୍ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚରେ ବର୍ଷା ହେବାର ୪୨ ପ୍ରତିଶତ ସମ୍ଭାବନା ରହିଛି। ପଡିଆ ସଂପୂର୍ଣ୍ଣ ଭାବେ ବାଦଲରେ ଛାଇ ରହିବାର ୯୯ ପ୍ରତିଶତ ସମ୍ଭାବନା ରହିଛି। ଏମିତିରେ ବୋଲରଙ୍କୁ ପିଚରୁ ଅଧିକ ସହାୟତା ମିଳିବାର ଅଧିକ ସୁଯୋଗ ରହିଛି।

ଗୁଗଲ ଓ୍ଵେଦର ରିପୋର୍ଟ ଅନୁସାରେ ସକାଳ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ବର୍ଷା ହେବାର ଅଧିକ ସମ୍ଭାବନା ରହିଛି। ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ଭାରତୀୟ ସମୟନୁସାରେ ୨ଟାରେ ଆରମ୍ଭ ହେବ। ଯଦି ନିର୍ଦ୍ଧାରିତ ସମୟ ପୂର୍ବରୁ ବର୍ଷା ହୁଏ ତେବେ ମ୍ୟାଚ୍ ଆରମ୍ଭ ହେବାରେ ବିଳମ୍ବ ଘଟିପାରେ। ଅନ୍ୟପଟେ ୧ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବର୍ଷା ହେବାର ୧୮ ପ୍ରତିଶତ ସମ୍ଭାବନା ରହିଛି।

୨୦୧୯ ବିଶ୍ଵକପର ଗ୍ରୁପ ପର‌୍ୟ୍ୟାୟରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ମଧ୍ୟ ବର୍ଷା ହୋଇଥିଲା। ସେମି ଫାଇନାଲରେ ମଧ୍ୟ ବର୍ଷା ବାଧକ ସାଜିଥିଲା। କିନ୍ତୁ ସେମିରେ ରିଜର୍ଭ ଡେର ବ୍ୟବସ୍ଥା କରାଯାଇଥିଲା। ଏହା ବ୍ୟତୀତ ଭାରତ ବନାମ ନ୍ୟୁଜିଲାଣ୍ଡ ଆଇସିସି ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ମୁକାବିଲାରେ ମଧ୍ୟ ବର୍ଷା ହୋଇଥିଲା।