Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିିନ୍ତାରେ ଭୂସ୍ଖଳନ ପୀଡିତ ୧୦୦ ପରିବାର: କାର୍ଯ୍ୟାଦେଶ ମିଳିଛି ହେଲେ ଚିହ୍ନଟ ହୋଇପାରୁନି ଜାଗା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ଅନେକ ଭୂସ୍ଖଳନ ସ୍ଥାନ ମଧ୍ୟରୁ ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ହାତୀମୁଣ୍ଡା ପଂଚାୟତର କୁମ୍ଭାରିପଦର ଗ୍ରାମ ହେଉଛି ଅନ୍ୟତମ। ଗତ ତିତିଲି ସମୟରେ ସେଠାରେ ପ୍ରଥମେ ସୃଷ୍ଟି ହୋଇଥିଲା ଭୂସ୍ଖଳନ। ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ଦିନକୁ ଦିନ ଉକ୍ତ ଅଞ୍ଚଳ ଲୋକଙ୍କ ପାଇଁ ବିପଦ ସୃଷ୍ଟି ହେବାରୁ ଗତ ଦିନରେ ଜିଲା ଓ ବ୍ଳକ ପ୍ରଶାସନ ପକ୍ଷରୁ ସେହି ଗ୍ରାମର ଅନେକ ଅଞ୍ଚଳକୁ ନିଷିଧାଞ୍ଚଳ ଭାବେ ମଧ୍ୟ ଘୋଷଣା କରାଯାଇଛି। ବିଶେଷ କରି ବର୍ଷାଦିନ ଆସିଗଲେ ସେଠାରେ ବସବାସ କରୁଥିବା ପ୍ରାୟ ୧୦୦ ପରିବାର ମଧ୍ୟରେ ଚିନ୍ତା ବଢ଼ିଯାଉଛି। ଗତ ୨୦୨୨ ମସିହା ସେପ୍ଟେମ୍ବର ମାସରେ ପ୍ରବଳ ଲଘୁଚାପ ଯୋଗୁଁ ଭୂସ୍ଖଳନ ବ୍ୟାପକ ହୋଇଥିଲା। ଇତି ମଧ୍ୟରେ ବର୍ଷାଦିନ ହେଉ କିମ୍ବା ଲଘୁଚାପ ଜନିତ ସତର୍କ ସୁୂଚନା ଆସିଲେ ବ୍ଳକ ପ୍ରଶାସନ ପକ୍ଷରୁ ସେମାନଙ୍କ କୁମ୍ଭାରିପଦର ଗ୍ରାମରୁ ସ୍ଥାନାନ୍ତରିତ କରାଯାଇ ପ୍ରାୟ ୧ କିଲୋମିଟର ଦୂର ତାମାଙ୍ଗି ହାଇସ୍କୁଲ ରିଲିଫ୍‌‌ କେନ୍ଦ୍ରରେ ଥଇଥାନ କରାଯାଉଛି। ତେବେ ଦିନକୁ ଦିନ ସେହି ଅଞ୍ଚଳ ବିପଦପୂର୍ଣ୍ଣ ହେବା ଯୋଗୁଁ ଏ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ ବିଶେଷଜ୍ଞ ପଠାଇ ମଧ୍ୟ ତାହାର ତଦାରଖ କରାଯାଇଥିଲା। ଯେଉଁଥିରେ ଆଗକୁ ଆହୁରି ଅଧିକ ବିପଦ ଅଛି ବୋଲି ମଧ୍ୟ ସତର୍କ କରିଦିଆଯାଇଛି। ଜିଲା ପ୍ରଶାସନ ଓ ବ୍ଳକ ପ୍ରଶାସନ ପକ୍ଷରୁ ଗତ ଦିନରେ ନିଷ୍ପତି ନିଆଯାଇ ସେହି ଗ୍ରାମରେ ବାସବାସ କରୁଥିବା ୧୦୦ ପରିବାରକୁ ଅନ୍ୟସ୍ଥାନରେ ଅବସ୍ଥାପିତ କରିବାକୁ ନିଷ୍ପତି ନିଆଯାଇଛି।ଇତି ମଧ୍ୟରେ କୁମ୍ଭାରିପଦର ଗ୍ରାମରେ ବସବାସ କରୁଥିବା ୧୦୦ ପରିବାରକୁ ବ୍ଳକ ପ୍ରଶାସନ ପକ୍ଷରୁ ବିଜୁ ପକ୍କାଘର ଯୋଜନାରେ ସାମିଲ୍‌‌ କରାଯାଇ ଇତି ମଧ୍ୟରେ କାର୍ଯ୍ୟାଦେଶ ମଧ୍ୟ ପ୍ରଦାନ କରାଯାଇଛି। କିନ୍ତୁ କାର୍ଯ୍ୟାଦେଶ ପ୍ରଦାନକୁ ଇତି ମଧ୍ୟରେ ୫ ମାସ ବିତିଗଲାଣି ଆଜି ପର୍ଯ୍ୟନ୍ତ ସେହି ବ୍ୟକ୍ତି ମାନେ କେଉଁ ସ୍ଥାନରେ ଗୃହ ନିର୍ମାଣ କରିବେ ସେ ନେଇ ଜାଗା ଦେଖାଯାଉନାହିଁ ବୋଲି ଅଭିଯୋଗ କରି ଗ୍ରାମର କିଛି ବ୍ୟକ୍ତି ଜିଲାପାଳଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ପ୍ରକାରେ , ଆବାସ ଯୋଜନାରେ ପ୍ରଦାନ କରାଯାଉଥିବା ୧ ଲକ୍ଷ ୩୦ ହଜାର ଟଙ୍କାରେ ଘର କରିବା ଉକ୍ତ ପରିବାର ଗୁଡ଼ିକ ସକ୍ଷମ ହୋଇନଥିବା ଯୋଗୁଁ ଗତ ଦିନରେ ବ୍ଳକ ପ୍ରଶାସନ ଉପସ୍ଥିତିରେ ହିତାଧକାରୀ ଏବଂ ଜନୈକ ଠିକାଦାରଙ୍କ ମଧ୍ୟରେ ଏକ ଚୁକ୍ତିନାମା ମଧ୍ୟ ହୋଇଛି। ଚୁକ୍ତିନାମା ପ୍ରକାରେ ତିନିମାସ ମଧ୍ୟରେ ଠିକାଦାର ଜଣକ ସମସ୍ତ ଗୃହ ନିର୍ମାଣ କରିବାକୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି। ତେବେ ଇତି ମଧ୍ୟରେ ୫ ମାସ ବିତିଯାଇଥିବା ବେଳେ ମାତ୍ର ୧୧ ହିତାଧିକାରୀଙ୍କ ପାଇଁ ଅନ୍ୟଏକ ସ୍ଥାନରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଯେଉଁଥିରେ ଆଜି ପର୍ଯ୍ୟନ୍ତ ମାତ୍ର ଫାଉଣ୍ଡେସନ ପଡ଼ିବା ସକ୍ଷମ ହୋଇଛି। କିନ୍ତୁ କେଉଁ ଘର କାହାର ତାହାର କୌଣସି କାଗଜପତ୍ର ନାହିଁ। ଆଜି ପର୍ଯ୍ୟନ୍ତ ଉକ୍ତ ପିଡ଼ିତ ପରିବାର ମାନଙ୍କ ପାଇଁ କୌଣସି ପ୍ରକାର ନିର୍ଦ୍ଧିଷ୍ଟ ଜାଗା ଚିହ୍ନଟ ହୋଇନଥିବାରୁ ପୀଡିତ ପରିବାର ଗୁଡିକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ପ୍ରକାଶ କରିଛନ୍ତି । ବ୍ଳକ ପ୍ରଶାସନ ଉପସ୍ଥିତିରେ ଚୁକ୍ତିନାମା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଚୁକ୍ତିନାମାର କୌଣସି କାଗଜପତ୍ର ମଧ୍ୟ ହିତାଧିକାରୀ ମାନଙ୍କୁ ଦିଆଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି। ତେବେ ନିଷିଦ୍ଧାଞ୍ଚଳରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ଦୀର୍ଘଦିନ ହେଲା ବନ୍ଦ ହୋଇଥିବା ବେଳେ ଗ୍ରାମର ଏକ କୋଠାଘରେ ଅଙ୍ଗନୱାଡ଼ି ଚାଲିଥିବାର ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଭୁଷ୍ପଳନ ଗ୍ରାମ ଠାରୁ ପ୍ରାୟ ୩ କିଲୋମିଟର ଦୂର କଷପଙ୍କା ଠାରେ ନୂତନ ଭାବେ ୧୧ ଜଣଙ୍କର ଫାଉଣ୍ଡେସନ ପଡ଼ିଥିବାର ଜଣାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ୧୦୦ ପରିବାର ମଧ୍ୟରୁ ୪୦ ପରିବାରକୁ କାର୍ଯ୍ୟାଦେଶ ମିଳିଥିବା ବେଳେ ଅନ୍ୟ ପରିବାର ମଧ୍ୟ କେବେ କାର୍ଯ୍ୟାଦେଶ ମିଳିବ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଜାଗା ଚିହ୍ନଟ କରିବା ସହିତ କାର୍ଯ୍ୟାଦେଶ ପ୍ରଦାନ ଓ ବାସଗୃହ ନିର୍ମାଣ ଦାବି କରି ଗ୍ରାମର ସୁନିଲ୍‌‌ ବଳିଆରସିଂ, ପ୍ରବିଟ୍‌‌ ବଳିଆରସିଂ, ରୁଦ୍ର ବଳିଆରସିଂ, ବିକ୍ରମ ବଳିଆରସିଂ, ରଂଜନ ବଳିଆରସିଂ, ସୁକାନ୍ତ ବଳିଆରସିଂ, ବିମଳ ବଳିଆରସିଂ ଓ ଅରୁଣ ନାୟକ ଓ ଅନ୍ୟମାନେ ଜିଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲାପାଳ ଦାବିପତ୍ର ଗ୍ରହଣ ସହିତ ତୁରନ୍ତ ଏନେଇ ବ୍ଳକ ପ୍ରଶାସନ ଓ ତହସିଲ୍‌‌ଦାରଙ୍କ ସହିତ ଆଲେଚାନା କରି ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିବା ଜଣାଇଛନ୍ତି। ପ୍ରକାଶ ଯେ, ଉକ୍ତ ଗ୍ରାମର ୭୦ ଭାଗ ପରୁଷ ଲୋକ ଦାଦନ ଖଟିବାକୁ କେରଳ ଓ ଅନ୍ୟ ରାଜ୍ୟରେ ଥିବା ବେଳେ ବାରମ୍ବାର ଭୂସ୍ଖଳନ ଯୋଗୁଁ ସେମାନେ ପରିବାର ପାଇଁ ଚିନ୍ତାରେ ଏବେ ରୋଜଗାରକୁ ମଧ୍ୟ ଯାଇପାରୁନଥିବା ବେଳେ ତୁରନ୍ତ ପ୍ରଶାସନ ଦୃଷ୍ଟିଦେବାକୁ ମଧ୍ୟ ନିବେଦନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories