ଭାଇ ଜିଉନ୍ତିଆ ଓଷା


ସମ୍ବଲପୁର : ସାରା ପଶ୍ଚିମ ଓଡିଶାରେ ପାଳିତ ହେଉଛି ଭାଇ ଜିଉନ୍ତିଆ ଓଷା । ଭାଇମାନଙ୍କ ମଙ୍ଗଳ ତଥା ଦୀର୍ଘାୟୁ କାମନା କରି ଭଉଣୀମାନେ ଅତି ନିଷ୍ଠାର ସହ ଏହି ଓଷା ପାଳନ କରିଥାନ୍ତି । ସମ୍ବଲପୁର ଜିଲ୍ଲା ର ଗାଁ ରୁ ସହର ଯାଏଁ ଏହି ଉଷା ପାଳନ କରାଯାଉଛି । ଆଧୁନିତାର ଛାପ ମଧ୍ୟରେ ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କକୁ ନେଇ ଏହା ପାଳିତ ହୋଇଥାଏ ପ୍ରତି ବର୍ଷ ।
ଜିଲ୍ଲାର ମାନେଶ୍ଵର ବ୍ଲକ ଅନ୍ତର୍ଗତ ସାହାସପୁରରେ ମଧ୍ୟ ପାଳିତ ହୋଇଛି ଏହି ଓଷା । ନିଷ୍ଠାର ସହ ଏଠାରେ ପାଳିତ ହୁଏ ଅନେକ ପର୍ବପର୍ବାଣୀ । ତାରି ଭିତରେ ଆଶ୍ୱୀନ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଭଉଣୀ ମାନେ ପାଳନ କରୁଥିବା ଭାଇ ଜିଉନ୍ତିଆ ଓଷା ଅନ୍ୟତମ ।
ଶାକ୍ତ ପରମ୍ପରାକୁ ବହନ କରୁଥିବା ଏହି ଓଷା କୁ ଭଉଣୀ ମାନେ ଅତି ନିଷ୍ଠାର ସହିତ ପାଳନ କରିଥାନ୍ତି । ଭାଇ ମାନଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି କାୟ ମନବାକ୍ୟରେ ମାଁ ଦୁର୍ଗାଦେବୀଙ୍କ ଶରଣାପନ୍ନ ହୋଇଥାନ୍ତି ଭଉଣୀମାନେ । ବିଶ୍ୱାସ ରହିଛି ଏହା ଦ୍ୱାରା ଭାଇର ସମସ୍ତ ରିଷ୍ଟ ଖଣ୍ଡନ ହେବା ସହ ଦୀର୍ଘାୟୁ ହୋଇଥାନ୍ତି ।
ପ୍ରତିଟି ଭାଇ ମାନଙ୍କ ପାଇଁ ୧୦୮ଟି ଅକ୍ଷତ ଦୂବ, ୧୦୮ ଟି ଅକ୍ଷତ ଅରୁଆ ଚାଉଳକୁ ଏକାଠି କରି ସାତ ପ୍ରକାର ଫଳ ଓ ସାତ ପ୍ରକାର ଫୁଲକୁନେଇ ଜୁଉଁନ୍ତିଆକୁ ବିଡାବାନ୍ଧି ସମର୍ପଣ କରିଥାନ୍ତି ଦୁର୍ଗାଦେବୀଙ୍କ ନିକଟରେ । ତା ପରଦିନ ସକାଳେ ସମର୍ପିତ ଦୂବ,ଚାଉଳ ବିଡାକୁ ନେଇ ଭାଇ କୁ ବନ୍ଦାଇଥାନ୍ତି ।
ଦେବୀ ଦୁର୍ଗାଙ୍କୁ ପ୍ରତିଷ୍ଠା କରି ନୀତିନିୟମ ଅନୁସାରେ ପୂଜାର୍ଚ୍ଚନା କରାଯାଇଥାଏ । ସଂନ୍ଧ୍ୟାରେ ପୋଖରୀ କିମ୍ବା ନଦୀରେ ସ୍ନାନ କରି ବାଲୁକା ପୂଜା କରାଯାଇଥାଏ l ରାତିରେ ନିଜ ପଡାର ପୂଜା ମଣ୍ଡପରେ ସମସ୍ତ ବ୍ରତଧାରୀମାନେ ଏକତ୍ରିତ ହୋଇଥାନ୍ତି ଓ ଧୂପ, ଦୀପ ନୈବେଦ୍ୟ ଦେଇ ପୁରାଣ ପାଠ ସହ ମାଁ ଦୁର୍ଗାଙ୍କୁ ଆରଧାନା କରିଥାନ୍ତି ଭଉଣୀ ମାନେ ନିଜ ଭାଇ ର ମଙ୍ଗଳ ପାଇଁ।
ଏହି ପୂଜା ନିଷ୍ଠାର ସହ ପାଳନ କରିବା ପାଇଁ ଭଉଣୀ ମାନେ ଦିନଯାକ ନିର୍ଜଳା ଉପବାସ କରି ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଗାଁ ରୁ ସହର ଯାଏଁ ଏହି ଓଷା ଏକ ଧାର୍ମିକ ଭାବନା ସୃଷ୍ଟି କରିବା ସହିତ ଭାଇ ଓ ଭଉଣୀ ର ନିବିଡ ସମ୍ପର୍କକୁ ଆହୁରି ସୁଦୃଢ କରୁଛି। ଏହି ଓଷା ସାମଜିକ ଓ ପାରିବାରିକ ବନ୍ଧନର ଭାବନାକୁ ଆହୁରି ମଜଭୁତ କରିଛି ।

ଗଜପତି ଜିଲ୍ଲାରେ ଆନ୍ଧ୍ର ଅଧିକାରୀମାନଙ୍କ ବେଆଇନ ପ୍ରବେଶକୁ ପ୍ରଶୟ ଦିଆଯିବ ନାହିଁ…. ଗଜପତି ଜିଲ୍ଲାପାଳ ପାରଳାଖେମୁଣ୍ଡି,୧୯/୭(ଗରୁଡ ଧ୍ୱଜ ଚୌଧୁରୀ) ଓଡ଼ିଶା ସୀମାରେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ କରି ଓଡ଼ିଶାର 3 ଗୋଟି ଗାଁକୁ ଆନ୍ଧ୍ରର ବୋଲି ଦାବି କରିବା ବ୍ୟର୍ଥ ଉଦ୍ୟମକୁ କେବେ ବି ସଫଳ କରି ଦିଆଯିବନାହିଁ. ଓଡିଶା ତଥା ଗଜପତି ଜିଲ୍ଲାର ପରିସୀମା ମଧରେ ଆନ୍ଧ୍ର ଅଧିକାରୀଙ୍କ ବେଆଇନ ପ୍ରବେଶ ଓ ବିଭିନ୍ନ ମିଥ୍ୟା ଓ ବିଭ୍ରାନ୍ତିକର ମନ୍ତବ୍ୟକୁ କେବେ ବି ପ୍ରଶୟ ଦିଆ ଯିବନାହିଁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଦୃଢତାର ସହ ପ୍ରକାଶ କରିଛନ୍ତି.ଏହି ଘଟଣା ନେଇ ଗଜପତି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ଆକସନ୍ ମୁଡ୍‌ରେ ରହିଥ‌ିବା ଜଣାପଡ଼ିଛି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧୀନ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା, ଆମରିଙ୍ଗି ଓ ବୁରୁସିଂ ଆଦି 3 ଗୋଟି ଗ୍ରାମକୁ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଓ ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର ପଣ୍ଡା ପହଞ୍ଚି ଲୋକଙ୍କ ସହ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଆନ୍ଧ୍ରର କୌଣସି ଅଧିକାରୀ ଆସିଲେ ଡରିବାର ନାହିଁ. ତୁରନ୍ତ ପ୍ରଶାସନକୁ ଜଣାଇବାକୁ ଜିଲ୍ଲାପାଳ ଗ୍ରାମବାସୀଙ୍କୁ କହିଛନ୍ତି. ଓଡ଼ିଶା ଜାଗା ଛାଡିବୁନି କି ଆନ୍ଧ୍ର ଜାଗା ମାଡ଼ିବୁ ନାହିଁ ବୋଲି ଜିଲ୍ଲାପାଳ ବିଜୟ କୁମାର ଦାସ ଗ୍ରାମବାସୀମାନଙ୍କୁ ଦୃଢତାର ସହ ପ୍ରକାଶ କରିଛନ୍ତି। ଏଥିସହ ମାଣିକପାଟଣାରେ ତିଆରି ହୋଇଥିବା ଆନ୍ଧ୍ରର ଅଙ୍ଗନବାଡ଼ି କେନ୍ଦ୍ରକୁ ବୁଲି ଦେଖୁବା ସହ ଉକ୍ତ କେନ୍ଦ୍ରର ସୀମା ଚିହ୍ନଟ ପାଇଁ ରାୟଗଡ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୀମାକୁ ନେଇ କୌଣସି ବିବାଦ ନାହିଁ ଉନ୍ନୟନ କାର୍ଯ୍ୟ ହୋଇଥିବା ଅଞ୍ଚଳ ଓଡ଼ିଶାର, ଓଡ଼ିଶା ସୀମା ଭିତରେ ହିଁ ରହିଛି. ଗତ କିଛି ଦିନ ତଳେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଏହି ଅଞ୍ଚଳ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିବା ପରେ ଯେଉଁ ରିପୋର୍ଟ ପ୍ରଦାନ କରିଛନ୍ତି ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାପାଳଙ୍କୁ ଚିଠି ଲେଖୁ ଜଣାଇ ଦିଆଯାଇଛି। ଏହି ଗସ୍ତ ସମୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ସିଡିପିଓ ବି. କାମଳାଙ୍ଗୀ, ଏସ୍‌ ଡିପିଓ ମାଧବାନନ୍ଦ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ମାୟାଧର ସାହୁ, ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ନିଶିକା ପ୍ରମୁଖଙ୍କ ସହ କେତେଜଣ ପ୍ରଶାସନିକ ଅଧିକାରୀ ଏହି 3 ଗୋଟି ଗ୍ରାମକୁ ଉପଜିଲ୍ଲାପାଳଙ୍କ ସହ ଗସ୍ତ କରି ସମସ୍ତ ଅନୁଧ୍ୟାନ କରିଥିଲେ। ମୋଟାମୋଟି ଭାବେ ଏହି ସମସ୍ତ ଅଞ୍ଚଳ କେବଳ ଓଡିଶାର ଏବଂ ଗଜପତି ଜିଲ୍ଲା ଅଧୀନରେ ରହିଥିବା ସ୍ପଷ୍ଟ ହୋଇଯାଇଛି. ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ଆହୁରି ଅନେକ ବିକାଶମୂଳକ ଜନ ହିତକର କାର୍ଯ୍ୟ କରାଯିବ. ତେଣୁ ଅଞ୍ଚଳବାସୀ ଆନ୍ଧ୍ରର କେତେକ ଅଧିକାରୀଙ୍କ ବିଭ୍ରାନ୍ତିମୂଳକ ଓ ଭୁଲ ତଥ୍ୟକୁ କୌଣସି ଭାବେ ଗୁରୁତ୍ୱ ନ ଦେଇ ଓଡିଶା ପ୍ରଶାସନର ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ନିଜ ନିଜକୁ ସାମିଲ କରି ଏହି ଅଞ୍ଚଳର ଉନ୍ନତି ଓ ବିକାଶ ପାଇଁ ସହଯୋଗ କରନ୍ତୁ ବୋଲି ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ନିବେଦନ କରିଛନ୍ତି.