ରାୟଗଡ଼ା: ଆନ୍ଧ୍ରପ୍ରଦେଶର କଣ୍ଟକପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ରବିବାର ରାତିରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୪ ଛୁଇଁଛି । ମୃତକଙ୍କ ମଧ୍ୟରେ ଲୋକୋ ପାଇଲଟ୍ ଓ ଗାର୍ଡ ରହିଛନ୍ତି। ୧୪ ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ପରିଚୟ ମିଳିଛି। ଦୁର୍ଘଟଣାରେ ୫୦ ଜଣ ଆହତ ହୋଇଛନ୍ତି। ବିଜୟନଗରମ ଏସପି ଦୀପିକା ଏହାର ସୂଚନା ଦେଇଛନ୍ତି। ବିଶାଖାପାଟଣା-ରାୟଗଡାର ଲୋକୋ ପାଇଲଟ୍ ଓ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ଗାର୍ଡଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।
ରାଜସ୍ଵ ବିଭାଗ ଅନୁଯାୟୀ, ବିଶାଖାପାଟନା – ପଲାସା ପାସେଞ୍ଜେର ଟ୍ରେନର ୧୧ଟି କୋଚକୁ ପରବର୍ତ୍ତୀ ଷ୍ଟେସନ ଆଲମଣ୍ଡା ଷ୍ଟେଟସନରେ ପହଞ୍ଚାଇ ଦିଆଯାଇଛି। ସେହିପରି ବିଶାଖାପାଟନା – ରାୟଗଡ଼ା ପାସେଞ୍ଜେର ଟ୍ରେନର ୯ଟି ବଗି ପୂର୍ବ ଷ୍ଟେସନ କଣ୍ଟକପାଲିକୁ ଫେରାଇ ନିଆଯାଇଛି। ଅବଶିଷ୍ଟ ଲାଇନଚ୍ୟୁତ କୋଚ୍ ଓ ପ୍ରଭାବିତ କୋଚ ଦୁର୍ଘଟଣାସ୍ଥଳରେ ରହିଛି।
ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ସନ୍ଧ୍ୟାରେ କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ଠାରୁ ୨୦୦ ମିଟର ଦୂରରେ ଛିଡ଼ା ହୋଇଥିବା ପଲାସା ପାସେଞ୍ଜର ସେହି ଟ୍ରାକ୍ରେ ଆସୁଥିବା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍ଟି ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଅନେକ ଟ୍ରେନ ବାତିଲ୍ କରାଯାଇଥିବା ବେଳେ ଅନେକ ଟ୍ରେନର ଗତି ପଥ ବଦଳାଯାଇଛି।