Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାନରେ ଟ୍ୟୁମର, ଚିକିତ୍ସା ଅପେକ୍ଷାରେ ଦଶ ବର୍ଷର ନରେନ୍ଦ୍ର

ଖଡ଼ିଆଳ : ବୟସ ଦଶ ବର୍ଷ, ହସିବା ଖେଳିବା ବୟସ। ଏ ବୟସରେ କିନ୍ତୁ ଜୀବନ ସହ ଲଢ଼ିବାକୁ ପଡୁଛି। ଆର୍ଥିକ ଅବସ୍ଥା ଖରାପ ଥିବାରୁ ଅସ୍ତ୍ରୋପଚାର ହୋଇ ପାରୁନି। ଖଡିଆଳ ବ୍ଲକ ସାନମହେଶ୍ୱର ଗ୍ରାମ ପଞ୍ଚାୟତର ବଡ ମହେଶ୍ୱର ଗ୍ରାମ। ଗ୍ରାମର ମଙ୍ଗଳୁ ହରିଜନ ଓ ବେଳମତି ହରିଜନଙ୍କ ପୁଅ ନରେନ୍ଦ୍ର। ବୟସ ଦଶ ବର୍ଷ, ଗାଆଁ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପଢୁଛି। ନରେନ୍ଦ୍ର ଏବେ ଅସହ୍ୟ ଯନ୍ତ୍ରଣାରେ ଦିନ କାଟୁଛି। ଟ୍ୟୁମର ପାଇଁ ତାହାର ଡାହାଣ କାନ ବଢ଼ିବାକୁ ଲାଗିଛି। ସେହି କାନରେ ଶୁଣି ପାରୁ ନାହିଁ। ଅସ୍ତ୍ରୋପଚାର କଲେ ସେ ଭଲ ହୋଇ ପାରନ୍ତା କିନ୍ତୁ ଆର୍ଥିକ ଅବସ୍ଥା ଖରାପ ଥିବାରୁ ଓ ସ୍ମାର୍ଟ୍ କାର୍ଡ ନଥିବାରୁ ଅସ୍ତ୍ରୋପଚାର କରା ଯାଇ ପାରୁନି। ନରେନ୍ଦ୍ର ଜନ୍ମ ପରେ ଜଣା ପଡିଲା ତାର ଡାହାଣ କାନରେ ଦୁଇ ଶହ ଗ୍ରାମର ଟ୍ୟୁମର ରହିଛି। ଗର୍ଭରେ ଥିବା ବେଳେ ଟ୍ୟୁମର ବଢ଼ିଥିବା ନୂଆପଡ଼ା ଡାକ୍ତର କହିଲେ। ତାଙ୍କୁ ସାଙ୍ଗେ ସାଙ୍ଗେ କଟକ ଶିଶୁ ଭବନରେ ଭର୍ତ୍ତି କରାଗଲା। ସେଠାରେ ଡାକ୍ତର ଅସ୍ତ୍ରୋପଚାର କରି ଟ୍ୟୁମର କାଢି ଦେଇଥିଲେ। ସେଦିନରୁ ନରେନ୍ଦ୍ର ଭଲ ଥିଲା ଓ କାନ ର ଅବସ୍ଥା ସ୍ଵାଭାବିକ ଥିଲା। ଏବେ କିନ୍ତୁ ତିନି ମାସ ହେଲା କାନ ବଢିବା ସହ ଭିତରେ ଗହ୍ଵର ବନ୍ଦ ହୋଇ ଯାଉଛି। ଫଳରେ ସେ ଆଉ ଶୁଣି ପାରୁନି। ମୋତେ ଅପରେସନ କରି ନିଅ ବୋଲି ବାପା ମାଁଙ୍କୁ ବାରମ୍ବାର କହୁଛି କିନ୍ତୁ ଆର୍ଥିକ ଅବସ୍ଥା ଏତେ ଖରାପ ଯେ ପୁଅର ଆକୁଳ ନିବେଦନକୁ ଛାତି ପଥର କରି ସହିବାକୁ ପଡୁଛି। ସରକାରୀ ସହଯୋଗ କଲେ ପୁଅର ଚିକିତ୍ସା କରାଇ ପାରିବେ ବୋଲି ସେମାନେ କହନ୍ତି। ମଙ୍ଗଳୁଙ୍କ ପରିବାର ବହୁତ ଗରିବ। ଜମିବାଡ଼ି ନାହିଁକି ଗାଆଁରେ କାମ ଧନ୍ଦାର ସୁବିଧା ନାହିଁ। ସେଥିପାଇଁ ପ୍ରତିବର୍ଷ ସେ ହାଇଦ୍ରାବାଦ ଦାଦନ ଖଟିବାକୁ ଯାଆନ୍ତି। ଦାଦନ ଯାଇଥିବା ବେଳେ ତାଙ୍କର ପ୍ରଥମ ପୁଅ, ଯାହାକୁ ତିନି ବର୍ଷ ହୋଇଥିଲା ସେ ପାଣିରେ ବୁଡି ମରି ଯାଇଥିଲା। ସେହି ପୁଅକୁ ଝୁରି ଝୁରି ଦିନ କାଟୁଥିବା ବେଳେ ନରେନ୍ଦ୍ରକୁ ଦେଖି ଦୁଃଖ ବୁଲୁଥିଲେ ଦୁଇ ପ୍ରାଣୀ। ଏବେ କିନ୍ତୁ ସେ ମଧ୍ୟ ଜୀବନ ଜୀଇଁବା ପାଇଁ ଲଢେଇ କରୁଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଙ୍କୁ ସ୍ମାର୍ଟ୍ କାର୍ଡ ମିଳି ନ ଥିବା ଜଣାପଡିଛି। ପୁଅର ଅସ୍ତ୍ରୋପଚାର ପାଇଁ ସ୍ବାମୀ ସ୍ତ୍ରୀ ସରକାରଙ୍କୁ ନିବେଦନ କରିଛନ୍ତି। ଏନେଇ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାକେନ୍ଦ୍ରର ଇନଚାର୍ଜ ଡାକ୍ତର ରଞ୍ଜିତ ରାଉତଙ୍କୁ ପଚାରିବାରୁ ନରେନ୍ଦ୍ରର ଚିକିତ୍ସା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ