Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫଟୋ କହୁଛି ବହୁତ କଥା… ଧର୍ମେନ୍ଦ୍ର ପ୍ରଧାନଙ୍କ ଶରଣରେ ପ୍ରଦୀପ ପାଣିଗ୍ରାହୀ !

ଭୁବନେଶ୍ଵର: ଗତକାଲି ଅର୍ଥାତ ଅକ୍ଟୋବର ୩୧ ତାରିଖରେ ରଘୁବର ଦାସ ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ନୂତନ ହଲରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସମାରୋହରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ ସମେତ ଅନେକ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ। ତେବେ ନୂତନ ରାଜ୍ୟପାଳଙ୍କ ଶପଥ ଗ୍ରହଣ ସମାରୋହ ଯେତିକି ଚର୍ଚ୍ଚା ସାଉଁଟି ନାହିଁ ସେତିକି ଚର୍ଚ୍ଚାରେ ରହିଛି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା ଏକ ଫଟୋ। ଏହି ଫଟୋ ଅନେକ କଥା କହୁଛି। ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ସଙ୍କେତ ମଧ୍ୟ ଦେଉଛି। ଆଉ ଏହାକୁ ନେଇ ରାଜ୍ୟ ରାଜନୀତି କରିଡରରେ ଅନେକ ମତ ପ୍ରକାଶ ପାଇଛି। ଆପଣମାନେ ଭାବୁଥିବେ ରାଜଭବନ ଭିତରେ ଏମିତି କେଉଁ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ନେଇ ଏତେ ଚର୍ଚ୍ଚା।

ନୂତନ ରାଜ୍ୟପାଳଙ୍କ ଶପତ ସମାରୋହ ଆଗ ଧାଡ଼ିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବସିଛନ୍ତି। ସେହି ଧାଡ଼ିରେ ବାଚସ୍ପତି ପ୍ରମିଳା ମଲ୍ଲିକ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଜେଡି ନେତା ଶଶିଭୂଷଣ ବେହେରା, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ, କଟକ ମେୟର ସୁବାସ ସିଂ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସମେତ ଆଉ କିଛି ବ୍ୟକ୍ତି ବିଶେଷ ବସିଛନ୍ତି। ତେବେ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ବସିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ସେମିତିରେ ପ୍ରଦୀପଙ୍କ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି। ଆଉ ଏବେ ଧର୍ମେନ୍ଦ୍ରଙ୍କ ନିକଟରେ ପ୍ରଦୀପ ବସିବାର ଦୃଶ୍ୟ ଏହାକୁ ଆହୁରି ଖୋରାକ ଯୋଗାଇଛି। ବିଜେଡିରୁ ବହିଷ୍କୃତ ପ୍ରଦୀପ ପାଣିଗ୍ରାହୀ ଗୋପାଳପୁର ସହ ଗଞ୍ଜାମର ଆଉ କିଛି ଆସନରେ ବିଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଜିଲ୍ଲାରେ ତାଙ୍କର ବେଶ ଜନାଧାର ଆଉ ଦବଦବା ରହିଛି। ତାଙ୍କର ନିଜସ୍ଵ ଭୋଟ ବ୍ୟାଙ୍କ ରହିଛି। ତଥାପି କେଉଁଠି ନା କେଉଁଠି ସେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଏମିତି ସ୍ଥିତିରେ ବିଜେପି ଏମିତି ଏକ ଦଳ ଯେଉଁଠି ସେ ନିଜକୁ ସୁରକ୍ଷିତ ମଣିବା ସହିତ ନିଜର ରାଜନୈତିକ କ୍ୟାରିୟରକୁ ଆହୁରି ଆଗକୁ ନେଇ ପାରନ୍ତି।

ଅନ୍ୟପଟେ ଦଳରେ ପ୍ରଦୀପଙ୍କ ଆଗମନ ହେଲେ ଗଞ୍ଜାମରେ ବିଜେପି ପାଇଁ ମଧ୍ୟ ବେଶ ଫାଇଦା ମିଳିପାରେ। ପ୍ରଦୀପଙ୍କ ଜରିଆରେ ଦଳ ବିଜେଡିକୁ ଗଞ୍ଜାମ ଜିଲ୍ଲାରେ ଅଡୁଆରେ ପକାଇପାରେ। ତେବେ ବିଜେଡିରୁ ବିଦା ହେବା ପରେ ପ୍ରଦୀପ ଶାସକ ଦଳ ପ୍ରତି କଠୋର ଆଭିମୁଖ୍ୟ ଆପଣେଇଛନ୍ତି। ଆଉ ବିଜେପି ପ୍ରତି ଢଳୁଥିବା ନଜିର ରହିଛି। ଆଉ ଏବେ ଏହି ଫଟୋ ଅନେକ କିଛି ଦର୍ଶାଉଛି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଧର୍ମେନ୍ଦ୍ରଙ୍କ ଶରଣରେ ପଶିଥିବା ଚର୍ଚ୍ଚା ଚାଲିଛି। ନିର୍ବାଚନ ପୂର୍ବରୁ କେଉଁ ସମୟରେ ବି ପ୍ରଦୀପ ବିଜେପିରେ ଯୋଗ ଦେଇ ପାରନ୍ତି।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନକୁ ଆଉ କେଇଟା ମାସ ବାକି ରହିଛି। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିର୍ବାଚନ ପ୍ରସ୍ତୁତିରେ ଲାଗି ପଡ଼ିଛି। କେଉଁ ଆସନରୁ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ଅଙ୍କକଷା ଚାଲିଛି। ତେବେ ବିଜେଡି ପାଇଁ ଗଞ୍ଜାମ ବିଜେଡି ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଗୋଟିଏ ଆସନରେ ଏକାଧିକ ପ୍ରାର୍ଥୀ ଥିବାରୁ ଦଳୀୟ କନ୍ଦଳ ବଢିବାରେ ଲାଗିଛି। ବିଶେଷ କରି ଏହି ସିଟରୁ ଦୁଇ ଥର ବିଧାୟକ ରହିଥିବା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି। ଗୋପାଳପୁର ତାଙ୍କୁ କେମିତି ଚେକ୍ ଦିଆଯିବ ସେ ନେଇ ବିଜେଡି ଅଙ୍କ କଷୁଛି। ଏମିତି ସ୍ଥିତିରେ ପ୍ରଦୀପ ବିଜେପିରେ ମିଶିଗଲେ ଏହା ତାଙ୍କ ପାଇଁ ଏବଂ ବିଜେପି ପାଇଁ ବିଶେଷ ଫଳପ୍ରଦ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି।