Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏବେ ଭାରତୀୟ ନ୍ୟାୟ ସଂହିତାର ପାଳି, ସମାପ୍ତ ହେବ IPC ଓ CRPC, ଶୀତ ଅଧିବେଶନରେ ଆଗତ ହେବ ବିଧେୟକ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ପୂର୍ବରୁ ଡିସେମ୍ବର ୨ ତାରିଖରେ ସର୍ବଦଳୀୟ ବୈଠକ ଡକାଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଏହି ବୈଠକରେ ଶୀତକାଳୀନ ଅଧିବେଶନ କେମିତି ସୁରୁଖୁରୁରେ ଚାଲିବ ସେ ନେଇ ଡକାଯାଇଛି। ସାଧାରଣତଃ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଏ। ମାତ୍ର ଏଥର ୫ ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଡିସେମ୍ବର ୩ ତାରିଖରେ ହେବ। ଆଉ ନିର୍ବାଚନ ଫଳାଫଳର ସ୍ଵର ସଂସଦରେ ଶୁଣିବାକୁ ମିଳିପାରେ।

ସରକାର ଏହି ଅଧିବେଶନରେ ଗୁରୁତ୍ଵପୂର୍ଣ୍ଣ ବିଧେୟକ ମଧ୍ୟ ଗୃହୀତ କରାଇବାକୁ ଚାହିଁବେ। ପାଞ୍ଚ ରାଜ୍ୟର ନିର୍ବାଚନ ପରିମାଣ ଦଳ ସପକ୍ଷରେ ଆସିଲେ ଏହା ଶାସକ ଦଳକୁ ଆହୁରି ଶକ୍ତି ପ୍ରଦାନ କରିବ। ଅନ୍ୟପଟେ କଂଗ୍ରେସକୁ ଫାଇଦା ମିଳିଲେ ସଂସଦର ଚିତ୍ରରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ। କେବଳ ଏତିକି ନୁହେଁ ଶୀତକାଳୀନ ଅଧିବେଶନରେ ମହୁଆ ମୈତ୍ରଙ୍କ ଉପରେ ସଂସଦୀୟ ଏଥିକ୍ସ କମିଟିର ରିପୋର୍ଟ ମଧ୍ୟ ଉପସ୍ଥାପନ କରାଯିବ। ଏହି ରିପୋର୍ଟ ସଂସଦରେ ସ୍ଵୀକାର କରାଯିବା ପରେ ମହୁଆଙ୍କୁ ସଂସଦରୁ ବହିଷ୍କାର ଉପରେ ମୋହର ବାଜିପାରେ।

ଏହା ସହିତ ଏହି ଅଧିବେଶନରେ ଭାରତୀୟ ନ୍ୟାୟ ସଂହିତା ସମେତ ତିନି ଗୁରୁତ୍ଵପୂର୍ଣ୍ଣ ବିଧେୟକ ମଧ୍ୟ ଆଗତ କରାଯିବ। ଏହି ବିଧେୟକ ଆଇପିସି, ସିଆରପିସି ଓ ଏଭିଡେନ୍ସ ଆକ୍ଟର ସ୍ଥାନ ନେବ। ଅର୍ଥାତ ଭାରତୀୟ ଆଇନ ବ୍ୟବସ୍ଥାରୁ ସିଆରପିସି, ଆଇପିସିର ପରିସମାପ୍ତି ଘଟିବ। ଏହା ବାଦ୍ ମୁଖ୍ୟ ନିର୍ବାଚନ ଆୟୋଗ ଓ ଅନ୍ୟ ଆୟୋଗଙ୍କ ନିଯୁକ୍ତି ସଂପର୍କିତ ବିଧେୟକ ମଧ୍ୟ ସଂସଦରେ ମଞ୍ଜୁରୀ ମିଳିପାରେ। ଏହି ବିଧେୟକକୁ ନେଇ କଂଗ୍ରେସ ସମେତ ଅନେକ ବିରୋଧୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।