ସମ୍ବଲପୁର:ସମାଜରୁ ନାରୀ ନିର୍ଯାତନା ବିରୁଦ୍ଧରେ ସଚେତନତା ସହିତ ନାରୀ ସଶକ୍ତିକରଣ ବାର୍ତ୍ତା ନେଇ ସ୍ବେଚ୍ଛାସେବୀ ଅନୁଷ୍ଠାନ “ପତଙ୍ଗ” ର ସ୍ବେଚ୍ଛାସେବୀମାନେ ଯୁଯୋମୁରା ବ୍ଲକ ଅନ୍ତର୍ଗତ ଖଇରମାଳ ଗ୍ରାମରୁ ନୂଆଁ ବରଙ୍ଗାମାଲ ପଞ୍ଚାୟତର ସମସ୍ତ ଗ୍ରାମକୁ ସାଇକେଲ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଆଜି ଅପରାହ୍ନରେ ଖଇରମାଳ ଅଙ୍ଗନବାଡ଼ି କେନ୍ଦ୍ରରେ ଗ୍ରାମର ଗ୍ରାମବାସୀଗଣ ସହିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପତଙ୍ଗ ପକ୍ଷରୁ ସସ୍ମିତା ଭୋଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସ୍ବେଚ୍ଛାସେବୀ ସପ୍ନା ଭୋଇ , ସରିତା ଭୋଇ , ବିଶ୍ବଜିତ ସେଠ , ରାହୁଲ ସେଠ୍ , ଆଲିଶା ମିର୍ଦ୍ଧା , ପ୍ରମୁଖ ଯୋଗଦାନ କରି ନାରୀ ନିର୍ଯାତନା ବିରୁଦ୍ଧରେ ଗ୍ରାମବାସୀଙ୍କୁ ସଚେତନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଡଃ ପ୍ରଦୀପ କୁମାର ପଣ୍ଡା ଯୋଗ ଦେଇ ନାରୀ ନିର୍ଯାତନାର ବିଭିନ୍ନ ଦିଗ ଏବଂ ସମସ୍ୟାର ସମାଧାନ ଉପରେ ଆଲୋକପାତ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଥିଲେ ନାରୀମାନେ ଶିକ୍ଷିତ ଓ ସ୍ବାବଲମ୍ବୀ ହେଲେ ନାରୀ ନିର୍ଯାତନା ଅନେକ ପରିମାଣରେ କମିଯିବ । ମାତୃଜାତିର ସମ୍ମାନ ରକ୍ଷା କରିବା ଆମ ସମସ୍ତଙ୍କର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ । ଏଥିପାଇଁ ବ୍ୟକ୍ତି ,ଜାତି ଏବଂ ସମାଜ ସବୁବେଳେ ସଚେତନ ରହିବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ ।ଏହି ଅବସରରେ ଡଃ ପଣ୍ଡା ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟାର ଉତ୍ତର ଦେଇଥିଲେ । ସଚେତନତା ପାଇଁ ସାଇକେଲ ଯାତ୍ରାରେ ବାହାରିଥିବା ସମସ୍ତ ସ୍ବେଛାସେବୀଙ୍କୁ ଖଇରମାଳ ଗ୍ରାମରେ ଜୋରଦାର ସ୍ବାଗତ କରାଯାଇଥିଲା । ମୁଖ୍ୟ ଅତିଥି ଡ଼ଃ ପଣ୍ଡା ସମସ୍ତ ସ୍ବେଛାସେବୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆନୁଷ୍ଠାନିକ ଭାବରେ ପତାକା ଦେଖାଇ ସାଇକେଲ ଯାତ୍ରାର ଶୁଭାରମ୍ଭ କରିଥିଲେ । ଶେଷରେ ମାମୁନି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।
ନାରୀ ନିର୍ଯାତନା ବିରୁଦ୍ଧରେ ସଚେତନତା ପାଇଁ ସାଇକେଲ ଯାତ୍ରା
