Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶାର ହରିଲୁଟ ଅର୍ଥ ଗୋଟି ଗୋଟି କରି ଅସୁଲ କରାଯିବ:ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି- ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର:ଓଡ଼ିଶାର ଜନତାଙ୍କ ଠାରୁ ହରିଲୁଟ ହେଉଥିବା ଅର୍ଥ ଗୋଟି ଗୋଟି କରି ଅସୁଲ କରାଯିବ, ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସହ ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ କିଛି ଦିନ ହେବ ଗଣମାଧ୍ୟମରେ ଶହ ଶହ କୋଟି ଟଙ୍କା ଜବତ ହେବା ଖବର ମୋତେ ବିସ୍ମିତ କରିଛି । କେନ୍ଦ୍ରୀୟ ସଂସ୍ଥାର ଚଢାଉ ଦ୍ୱାରା ଓଡ଼ିଶା ଭଳି ରାଜ୍ୟରୁ ଏକାସାଙ୍ଗରେ ଏତେ ପରିମାଣରେ ବେନାମୀ ଅର୍ଥ ଜବତ ହେବା ଚିନ୍ତାର ବିଷୟ । ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଭଳି ରାଜ୍ୟର କିଛି ବ୍ୟକ୍ତିଙ୍କ ଏହି ଟଙ୍କା ସହ ସମ୍ପର୍କ ଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି ।
ଓଡ଼ିଶାରେ ଏପରି ଘଟଣା କେବେ ଦେଖାଯାଇନଥିଲା । ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ବେନାମୀ ଧନର ମୂଳ ଉତ୍ସ କେଉଁଠି ? ଘଟଣାର ସତ୍ୟାସତ୍ୟ କଣ ? ଏହି ଟଙ୍କା କାହାର ? ଟଙ୍କା କେମିତି ଉପାର୍ଜନ ହେଲା ? ଓଡ଼ିଶାର ଅବକାରୀ ନୀତି ସହ ସମ୍ପର୍କ ଅଛି ନା ନାହିଁ ? ଏ ସବୁ ତଦନ୍ତ ସାପେକ୍ଷ । ଜବତ ହେଉଥିବା କଳାଧନ ସହ ଓଡ଼ିଶାର କିଛି ମୁଷ୍ଟିମେୟ ଲୋକମାନଙ୍କର ସମ୍ପର୍କ ଅଛି କି? ସଚ୍ଚୋଟତାର ଡିଣ୍ଡିମ ପିଟୁଥିବା କିଛି ଲୋକମାନେ ଏହି ଘଟଣାରେ ଚୁପ୍ କାହିଁକି ? ନୈତିକତାର କଥା କହୁଥିବା କିଛି ରାଜନୈତିକ ଦଳର ନେତାମାନେ ଏହି ଘଟଣାରେ ନୀରବ ଥିବାରୁ ସାଧାରଣ ଜନତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତି ଯେଉଁ ରାଜନୈତିକ ଦଳର ବୋଲି ଖବର ଆସୁଛି, ସେହି ଦଳ ଦେଶରେ ସଚ୍ଚୋଟତାର କୁମ୍ଭୀର କାନ୍ଦଣା କାନ୍ଦେ । ଗଣମାଧ୍ୟମ ପଚାରୁଥିବା ପ୍ରଶ୍ନର ଉତ୍ତର ତାଙ୍କ ପାଖରେ ନାହିଁ ।
ଏବେ ଓଡ଼ିଶା ସମେତ ଦେଶର ଜନସାଧାରଣ ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଭରସା କରୁଛନ୍ତି । ମୋଦି ସରକାରରେ ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଗୋଟି ଗୋଟି କରି ଜନତାଙ୍କ ଠାରୁ ହରିଲୁଟ୍ ହୋଇଥିବା ଅର୍ଥ ଅସୁଲ କରାଯିବା ସହ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ, ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି ବୋଲି ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ