ଆଜି ନିର୍ଣ୍ଣାୟକ ଟି-୨୦: ଟିମ୍ ଇଣ୍ଡିଆରେ ହୋଇପାରେ ୨ ବଡ ପରିବର୍ତ୍ତନ, ଏମିତି ହୋଇପାରେ ପ୍ଲେଇଙ୍ଗ XI


ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଆଜି ଜୋହାନ୍ସବର୍ଗରେ ଖେଳାଯିବ । ପ୍ରଥମ ଟି-୨୦ ବର୍ଷାରେ ଧୋଇ ହୋଇ ଯାଇଥିବା ବେଳେ ୨ୟ ଟି-୨୦ରେ ଭାରତ ପରାଜିତ ହୋଇଛି । ଫଳରେ ଘରୋଇ ଦକ୍ଷିଣ ଆଫ୍ରିକା ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ଟିମ୍ ଇଣ୍ଡିଆ ଆଜିର ମ୍ୟାଚ୍ ଜିତି ସିରିଜ ୧-୧ କରିବାକୁ ଲକ୍ଷ୍ୟ ରଖିଛି । ଘରୋଇ ଦଳ ଭ୍ରମଣକାରୀ ଦଳକୁ ହରାଇ ସିିରିଜ ଜିତିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ।

ଆଜିର ମ୍ୟାଚରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ ଦୁଇଟି ପରିବର୍ତନ ହୋଇପାରେ । ଶୁଭମନ ଗିଲ୍ ଓ କୁଲଦୀପ ଯାଦବଙ୍କୁ ଆଜିର ମୁକାବିଲାରେ ବାହାରେ ବସିବାକୁ ପଡିପାରେ । ଋତୁରାଜ ଗାଏକୱାଡଙ୍କ ଅନୁପସ୍ଥିତିରେ ଗିଲ ଦ୍ୱିତୀୟ ଟି-୨୦ରେ କିଛି ଖାସ୍ ପ୍ରଦର୍ଶନ କରି ପାରି ନ ଥିଲେ । ସେ ଖାତା ବି ଖୋଲି ପାରି ନ ଥିଲେ । ଏମିତିରେ ୩ୟ ମ୍ୟାଚରେ ଗାଏକୱାଡଙ୍କ ଚୂଡାନ୍ତ ଏକାଦଶକୁ ଫେରିବା ସ୍ପଷ୍ଟ । ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ତୃତୀୟ ମ୍ୟାଚରେ ଋତୁରାଜ ଶତକୀୟ ଇନିଂସ ଖେଳିଥିଲେ । ତାଙ୍କର ଦମଦାର ଫର୍ମକୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଅଣଦେଖା କରି ପାରିବେ ନାହିଁ ।

ସେହିପରି ବର୍ତମାନ ଟି-୨୦ ଅନ୍ତର୍ଜାତୀୟରେ ଏକ ନମ୍ବର ବୋଲର ରବି ବିଷ୍ଣୋଇଙ୍କୁ ମଧ୍ୟ ଦ୍ୱିତୀୟ ମ୍ୟାଚରେ ଖେଳା ଯାଇ ନ ଥିଲା । ତାଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିଥିଲା । କୁଲଦୀପ ୩ ଓଭରରେ ୨୬ ରନ ଦେଇ ଗୋଟିଏ ମାତ୍ର ୱିକେଟ୍ ନେଇଥିଲେ । ତେଣୁ ଆଜି ନିର୍ଣ୍ଣାୟକ ମୁକାବିଲାରେ କୁଲଦୀପଙ୍କ ସ୍ଥାନରେ ବିଷ୍ଣୋଇଙ୍କ ଖେଳିବା ପ୍ରାୟତଃ ନିଶ୍ଚିତ ଲାଗୁଛି ।

୩ୟ ଟି-୨୦ ପାଇଁ ଭାରତୀୟ ଦଳର ସମ୍ଭାବିତ ଏକାଦଶ

ଯଶସ୍ୱୀ ଜୟସୱାଲ, ଶୁଭମନ ଗିଲ/ଋତୁରାଜ ଗାଏକୱାଡ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ରିଙ୍କୁ ସିଂମ ତିଜେଶ ଶର୍ମା(ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ/ରବି ବିଷ୍ଣୋଇ, ମହମ୍ମଦ ସିରାଜ, ଅର୍ଶଦୀପ ସିଂ, ମୁକେଶ କୁମାର ।