Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ଓବିସି ଜନ ଜାଗରଣ ରଥକୁ ବିପୁଳ ସ୍ୱାଗତ

ଜମନକିରା : ପଛୁଆ ବର୍ଗ (ଓବିସି)ଙ୍କ ସାମ୍ବିଧାନିକ ନାର୍ଯ୍ୟ ହକ ଅଧିକାର ନେଇ ବ୍ରଜରାଜନଗର ରାମଚଣ୍ଡୀ ମନ୍ଦିର ଠାରୁ ଆରମ୍ଭ ହୋଇଥିବା ଓବିସି ଜନ ଜାଗରଣ ରଥ ସମଗ୍ର ପଶ୍ଚିମ ଓଡିଶା ପରିକ୍ରମା କରୁଛି। ଏହି ଯାତ୍ରାରେ ହଜାର ହଜାର ସଂଖ୍ୟାରେ ପୁରୁଷ, ମହିଳା, ଯୁବକ ଛାତ୍ର ସାମିଲ ହେଉଛନ୍ତି। ଏହି ଜନ ଜାଗରଣ ରଥ ଆଜି ସମ୍ବଲପୁରରେ ପହଞ୍ଚିବା ପରେ ବିପୁଳ ସଂଖ୍ୟାରେ ମଞ୍ଚର ସମ୍ବଲପୁର ଜ଼ିଲ୍ଲା ଶାଖା ପକ୍ଷରୁ ସ୍ୱାଗତ କରାଯାଇଥିଲା। ଶିକ୍ଷା, ଚାକିରୀ, ରାଜନୀତି କ୍ଷେତ୍ରରେ ଓବିସି ମାନଙ୍କୁ ୫୨ ପ୍ରତିଶତ ଆରକ୍ଷଣ ଦିଆଯିବା ଦାବି ସମ୍ପର୍କରେ ଓବିସି ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଚାଲିଥିବା ଏହି ଜନ ଜାଗରଣ ଯାତ୍ରା ଆଜି ୨୧ ଦିନରେ ପହଞ୍ଚିଛି। ଜନସଂଖ୍ୟା ଅନୁପାତରେ ଓଡ଼ିଶାରେ ୭୬ ବିଧାୟକ ଓ ୧୧ ସାଂସଦ ଓବିସି ସମାଜରୁ ହେବା କଥା ବୋଲି ଓବିସି ମଞ୍ଚର ରାଜ୍ୟ ମହାସଚିବ ସୁବାସଚନ୍ଦ୍ର ନାୟକ ଓ ସଭାପତି ଶଙ୍କର ପାତ୍ର ପ୍ରକାଶ କରିଥିଲେ। ଅଇଁଠାପାଲି ଠାରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ରାଜ୍ୟ ସଭାପତି ଶ୍ରୀ ପାତ୍ର ଉଦବୋଧନ ଦେଇ ଓବିସି ମାନଙ୍କ ହକ ଓ ଅଧିକାର ପ୍ରତି ସରକାର ସଚେତନ ନ ଥିବାରୁ ଜନ ଅସନ୍ତୋଷ ବ୍ୟାପକ ହେଉଛି ବୋଲି ବକ୍ତବ୍ୟ ଦେଇଥିଲେ। ଆଗାମୀ ନିର୍ବାଚନରେ ଯେଉଁ ଦଳ ଓବିସି ଙ୍କୁ ଅଗ୍ରାଧିକାର ଦେବ ସିଏ ଓବିସି ଙ୍କ ସମର୍ଥନ ପାଇବା ବୋଲି କହିଥିଲେ। ଶନିବାର ଅପରାହ୍ନ ୩ ଟା ସମୟରେ ଏହି ରଥ ସମ୍ବଲପୁର ଜ଼ିଲ୍ଲା ପ୍ରବେଶ କରିବା ପରେ ଗୋଶାଳା ରେ ବିଶିଷ୍ଟ ଓବିସି କର୍ମୀ ତଥା ନାରୀନେତ୍ରୀ, କଳାମାଟି ସରପଞ୍ଚ ଡ଼. ସୁଷମା ସାହୁଙ୍କ ପକ୍ଷରୁ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ରଥକୁ ଓବିସି କର୍ମୀ ମାନେ ଗୋଶାଳା ଛକରୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ନେଲସନ ମଣ୍ଡେଲା ଛକ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆଣିଥିଲେ। ନେଲସନ ମଣ୍ଡେଲା ଛକରେ ଜ଼ିଲ୍ଲା ବାରିକ ସମାଜ ପକ୍ଷରୁ ହୀରାଲାଲ ବେହେରା ଏବଂ ଅର୍ଣ୍ଣପୂର୍ଣ୍ଣା ବାରିକଙ୍କ ନେତୃତ୍ୱରେ ବିପୁଳ ସ୍ୱାଗତ କରାଯାଇଥିଲା। ଏହାପରେ ଓବିସି କର୍ମୀଗଣ ପଦଯାତ୍ରାରେ ରଥକୁ ମୁନସିପାଲିଟି ଛକ, ଗୋଲ ବଜାର ଛକ, ଲଷ୍ମୀ ଟକିଜ ଛକ, ଜିଏମ କଲେଜ ଛକ, ଶାନ୍ତି ନଗର ଛକ, ବୁଢ଼ାରଜା, ଅଇଁଠାପାଲି ଛକ ପର୍ଯ୍ୟନ୍ତ ଆଣିଥିଲେ। ଏହି ରଥକୁ ଜ଼ିଲ୍ଲାରେ ବସବାସ କରୁଥିବା ବାରିକ ସମାଜ, ଯାଦବ ସମାଜ, ମେହେର (ଭୁଲିଆ) ସମାଜ, ଅଘରିଆ ସମାଜ, ଜ଼ିଲ୍ଲା ବିଶ୍ୱକର୍ମା ସମିତି, ଡ଼ୁମାଲ ସମାଜ, ତେଲି ସମାଜ, ଚଷା ସମାଜ, ବାଣାୟତ ଚଷା ସମାଜ, କୁଲତା ସମାଜ ଆଦି ପ୍ରାୟ ୨୮ ଟି ଅନ୍ୟନ୍ୟା ପଛୁଆ ବର୍ଗର ଜାତି ସମାଜ ପକ୍ଷରୁ ବିଭିନ୍ନ ଛକ ମାନଙ୍କରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହା ସହିତ ଏହି ଜନ ଜାଗରଣ ରଥ କୁ ବିଜେପି ଜ଼ିଲ୍ଲା ସଭାପତି ଗିରିଶ ପଟେଲ, ବିଜେଡି ପକ୍ଷରୁ ପ୍ରଦ୍ୟୋଷ ମହାନ୍ତି ଏବଂ ସମାଜବାଦୀ ପାର୍ଟି ପକ୍ଷରୁ ଅନିଲ ଯାଦବ ସ୍ୱାଗତ କରିଥିଲେ। ମଞ୍ଚର ଜ଼ିଲ୍ଲା ଆବାହକ ସରୋଜ ସାହୁଙ୍କ ପରିଚାଳନା ତଥା କୁଲତା ସମାଜର ସଭାପତି ଯଶୋବନ୍ତି ନାୟକଙ୍କ ସଭାପତିତ୍ବରେ ଅଇଁଠାପାଲି ଠାରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ମଂଚର ସାଧାରଣ ସମ୍ପାଦକ ସୁବାସଚନ୍ଦ୍ର ନାୟକ ଓବିସି ଜନ ଜାଗରଣ ଯାତ୍ରାର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ। ସଭାରେ କୋଷାଧ୍ୟକ୍ଷ ପରଦେଶୀ ବିଶ୍ଵାଳ, ପ୍ରବକ୍ତା ବିରଞ୍ଚି ସାହୁ, ବିଶିଷ୍ଟ ଓବିସି କର୍ମୀ ଡ଼. ସୁଷମା ସାହୁ, ଅର୍ଣ୍ଣପୂର୍ଣ୍ଣା ବାରିକ, ସୁରେନ୍ଦ୍ର ବିଶ୍ୱାଳ, ସୁଧାଂଶୁ ଶେଖର ମହାରଣା, ହୀରାଲାଲ ବେହେରା ପ୍ରମୁଖ ବକ୍ତବ୍ୟ ଦେଇ ସବୁ କ୍ଷେତ୍ରରେ ଓବିସି ମାନଙ୍କୁ ଅବହେଳା କରାଯାଉଛି ବୋଲି ମତ ପ୍ରକାଶ କରିଥିଲେ। ସମଗ୍ର ପଶ୍ଚିମ ଓଡିଶା ପରିକ୍ରମା କରୁଥିବା ଏହି ଜନ ଜାଗରଣ ଯାତ୍ରା ସମୟରେ ଓବିସି ମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ପରିଲକ୍ଷିତ ହେଉଥିବା ବେଳେ ଆସନ୍ତାକାଲି ସୁନ୍ଦରଗଡ଼ ଜ଼ିଲ୍ଲାରେ ଏହି ରଥ ପରିକ୍ରମା କରିବ ବୋଲି ମଞ୍ଚର ରାଜ୍ୟ ପ୍ରବକ୍ତା ବିରଞ୍ଚି ସାହୁ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ