ନୂଆଦିଲ୍ଲୀ: ସଂସଦ ଭବନର ସୁରକ୍ଷାରେ ବଡ ଧରଣର ତ୍ରୁଟି ମାମଲାରେ ରାଜସ୍ଥାନ କନେକ୍ସନ ସାମ୍ନାକୁ ଆସିଛି । ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ ଅଭିଯୁକ୍ତମାନଙ୍କ ଫୋନ ରାଜସ୍ଥାନର ନାଗୋର ଜିଲ୍ଲାରେ ପୋଡା ହୋଇଥିବା ଅବସ୍ଥାରେ ମିଳିଛି । ମୁଖ୍ୟ ଅଭିଯୁକ୍ତ ଲଳିତ ଝାର ବୟାନ ଆଧାରରେ ପୋଲିସ ନିଆଁରେ ଜଳା ଯାଇଥିବା ଫୋନ ଜବତ କରିଛି । ଆଗାମୀ ତଦନ୍ତ ପ୍ରକ୍ରିୟା ଜାରି ରହିଛି ।
ଗତ ଅନେକ ଦିନରୁ ଦିଲ୍ଲୀ ପୋଲିସ ଅଭିଯୁକ୍ତମାନଙ୍କ ମୋବାଇଲ୍ ଫୋନ ବିଷୟରେ ତଥ୍ୟ ସଂଗ୍ରହ କରୁଥିଲା । ଦିଲ୍ଲୀ ପୋଲିସ ମୁଖ୍ୟ ଅଭିଯୁକ୍ତ ସାଗର ଝାର ବୟାନକ୍ରମେ ନାଗୋର ଜିଲ୍ଲାରେ ପହଂଚିଥିଲା । ହେଲେ ପୋଲିସ ସେଠାରେ ଜଳି ସାରିଥିବା ଫୋନ ହିଁ ମିଳିଛି । ମିଳିଥିବା ଫୋନର ଟୁକୁଡାକୁ ପୋଲିସ ପ୍ରମାଣ ଆଧାରରେ ରଖିଛି । ଲଳିତ ପାଖରେ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ ଥିଲା । ପ୍ରଥମେ ସେ ମୋବାଇଲକୁ ଭାଙ୍ଗିଥିଲା ଏବଂ ପୁଣି ନିଆଁରେ ଜଳାଇ ଦେଇଥିଲା । ଅଭିଯୁକ୍ତମାନଙ୍କ ରାଜସ୍ଥାନ ସହ କଣ କନେକ୍ସନ ରହିଛି, ସେମାନଙ୍କୁ ନାଗୋର ଜିଲ୍ଲାରେ କିଏ ସାହାଯ୍ୟ କରୁଥିଲା, ପୋଲିସ ସବୁ ଦିଗରୁ ତଦନ୍ତ ଚଳାଇଛି । କୁହାଯାଉଛି ମୋବାଇଲର ଫରେନ୍ସିକ ଯାଂଚ ପରେ ଅନେକ ଖୁଲାସା ହୋଇପାରେ ।
ସୂଚନାଯୋଗ୍ୟ, ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣର ୨୨ ବର୍ଷ ପୂର୍ତି ଦିନ ଲୋକସଭାରେ ଗୃହକାର୍ଯ୍ୟ ଚାଲିଥିବା ବେଳେ ଅଚାନକ ଦୁଇ ଜଣ ଦର୍ଶକ ଗ୍ୟାଲେରୀରୁ ସାଂସଦଙ୍କ ଉପରକୁ ଡେଇଁଥିଲେ । ଦୁଇ ଜଣ ଯୁବକ ଗୃହ ଭିତରେ ଆତଙ୍କ ଖେଳାଇଥିଲା । ସୁରକ୍ଷାକର୍ମୀମାନେ ସାଂସଦଙ୍କ ସହାୟତାରେ ଉଭୟଙ୍କୁ କାବୁ କରିଥିଲେ । ସେହି ସମୟରେ ସଂସଦ ବାହାରେ ଜଣେ ଯୁବକ ଓ ଜଣେ ଯୁବତୀ ନାରାବାଜି ଦେଇଥିଲେ । ଚାରି ଜଣଙ୍କୁ ପୋଲିସ ଗିରଫ କରିବା ସହ ଗତକାଲି କୋର୍ଟଙ୍କ ନିଷ୍ପତିକ୍ରମେ ୭ ଦିନିଆ ରିମାଣ୍ଡରେ ପଠାଇ ଦିଆଯାଇଛି ।