ପ୍ରଥମ ଦିନିକିଆ ଖେଳିବେନି ଋତୁରାଜ ଗାଏକ୍ୱାଡ, ୩ ଖେଳାଳି କରିବେ ଡେବ୍ୟୁ ! ଏମିତି ହୋଇପାରେ ଚୂଡାନ୍ତ ଏକାଦଶ


ନୂଆଦିଲ୍ଲୀ: ବିଶ୍ୱକପ୍ ୨୦୨୩ ଫାଇନାଲ୍ ପରାଜୟ ପରେ ଭାରତୀୟ ଦଳ ଦିନିକିଆରେ ଆଜି ନୂତନ ଆରମ୍ଭ କରିବାକୁ ଯାଉଛି । ବିଶ୍ୱକପ୍ ପରେ ପ୍ରଥମ ଥର ଦଳ ଦିନିକିଆ ସିରିଜ୍ ଖେଳିବ । ଆଜିଠୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ । ଭାରତୀୟ ସମୟ ଅପରାହ୍ଣ ୧ଟା ୩୦ରେ ମ୍ୟାଚ୍ ଜୋହାନ୍ସବର୍ଗରେ ଖେଳାଯିବ । ତେବେ ଆସନ୍ତୁ ଜାଣିବା ଆଜିର ମ୍ୟାଚରେ କେମିତି ରହିପାରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶ ।

କ୍ରିକବଜର ରିପୋର୍ଟ ଅନୁଯାୟୀ, ଓପନିଂ ବ୍ୟାଟର ଋତୁରାଜ ଗାଏକ୍ୱାଡ ପ୍ରଥମ ଦିନିକିଆ ଖେଳିବେ ନାହିଁ । ତାଙ୍କୁ ଜ୍ୱର ହେଉଥିବାରୁ ପ୍ରଥମ ଦିନିକିଆ ଖେଳି ପାରିବେ ନାହିଁ ବୋଲି ଜଣା ପଡିଛି । ତେଣୁ ଗାଏକ୍ୱାଡଙ୍କ ସ୍ଥାନରେ ରଜତ ପାଟିଦାରଙ୍କୁ ଦଳରେ ସୁଯୋଗ ମିଳିପାରେ । ଏହା ସହିତ ତିନି ଭାରତୀୟ ଖେଳାଳି ଆଜି ଦିନିକିଆ ପଦାର୍ପଣ କରି ପାରନ୍ତି । ଏଥିରେ ଅଛନ୍ତି ତାରକା ଫିନିସର ରିଙ୍କୁ ସିଂ, ଓପନର ସାଇ ସୁଦର୍ଶନ ଓ ରଜତ ପାଟିଦାର । ଏହି ତିନି ଖେଳାଳି ଆଜି ଦିନିକିଆରେ ପଦାର୍ପଣ କରି ପାରନ୍ତି ।

ପ୍ରଥମ ଦିନିକିଆ ପୂର୍ବରୁ ଅଧିନାୟକ କେଏଲ ରାହୁଲ ସ୍ପଷ୍ଟ କରି ଦେଇଛନ୍ତି ଯେ, ସେ ୱିକେଟ୍ କିପିଂ କରିବେ । ଏହା ମଧ୍ୟ ସଙ୍କେତ ଦେଇଛନ୍ତି ଯେ, ସଞ୍ଜୁ ସାମସନ ମଧ୍ୟକ୍ରମରେ ବ୍ୟାଟିଂ କରିବେ । ଏମିତି ସ୍ଥିତିରେ ରାହୁଲ ଚାରି ଓ ସାମସନ ପାଂଚ ନମ୍ବରରେ ବ୍ୟାଟିଂ କରିବେ । ସାଇ ସୁଦର୍ଶନ ଓ ରଜତ ପାଟିଦାର ଓପନିଂ କରି ପାରନ୍ତି । ଏହା ପରେ ତିନି ନମ୍ବରରେ ଶ୍ରେୟସ ଆୟର ଓ ଚାରି ନମ୍ବରରେ କେଏଲ ରାହୁଲ ଖେଳିବା ନିଶ୍ଚିତ । ପଂଚମରେ ସଞ୍ଜୁ ସାମସନ, ଷଷ୍ଠରେ ରିଙ୍କୁ ସିଂଙ୍କୁ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିପାରେ ।

ବୋଲିଂ ଉପରେ ନଜର ପକାଇଲେ ଅକ୍ଷର ପଟେଲ୍ ଓ କୁଲଦୀପ ଯାଦବ ସ୍ପିନ ବୋଲିଂ ମୋର୍ଚ୍ଚା ସମ୍ଭାଳିବେ । ଦ୍ରୁତ ବୋଲିଂ ହିସାବରେ ମୁକେଶ କୁମାର, ଅଭେଶ ଖାନ ଓ ଅର୍ଶଦୀପ ସିଂଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇପାରେ ।

ପ୍ରଥମ ଦିନିକିଆ ପାଇଁ ଭାରତୀୟ ଦଳର ସମ୍ଭାବିତ ଏକାଦଶ

ସାଇ ସୁଦର୍ଶନ, ରଜତ ପାଟିଦାର, ଶ୍ରେୟସ ଆୟର, କେଏଲ ରାହୁଲ(ଅଧିନାୟକ ଓ ୱିକେଟ୍ କିପର), ସଞ୍ଜୁ ସାମସନ, ରିଙ୍କୁ ସିଂ, ଅକ୍ଷର ପଟେଲ୍‌, କୁଲଦୀପ ଯାଦବ, ମୁକେଶ କୁମାର, ଅଭେଶ ଖାନ ଓ ଅର୍ଶଦୀପ ସିଂ ।