ଭୁବନେଶ୍ଵର: ଗୁମର ଫିଟାଇଲା ରାଜ୍ୟପାଳଙ୍କ ଚିଠି । ରାଜ୍ୟରେ କେମିତି ଉନ୍ନତି ଚାଲିଛି ରାଜ୍ୟପାଳଙ୍କ ଚିଠିରୁ ତାର ନିଚ୍ଛକ ସତ୍ୟ ପଦାକୁ ଆସିଛି । ଆଉ ଏହାକୁ ନେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ସେ କହିଛନ୍ତି ସରକାରୀ ସେବା ଠିକ୍ ଦିଆଯାଉ ନ ଥିବା ରାଜ୍ୟପାଳ ଅନୁଭବ କରିଛନ୍ତି । ମଦ ବ୍ୟବସାୟୀଙ୍କଠାରୁ କୋଟି କୋଟି ଟଙ୍କା ବାହାରୁଛି, ତାହା ବହୁତ ବଡ ଆଶ୍ଚର୍ଯ୍ୟକର କଥା । ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ଗସ୍ତ ପରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି।
ଜୟନାରାୟଣ କହିଛନ୍ତି, ୫ଟି ଅଧ୍ୟକ୍ଷ ବିଭିନ୍ନ ଜିଲ୍ଲା ବୁଲି ସମସ୍ୟା ନେଇ ଅଭିଯୋଗ ଆଣୁଥିଲେ । କିନ୍ତୁ ସମସ୍ୟା କିଭଳି ସମାଧାନ ହୋଇଛି ତାହା ରାଜ୍ୟପାଳଙ୍କ ଚିଠିରୁ ସ୍ପଷ୍ଟ ହୋଇଛି । ରାଜ୍ୟରେ କି ପ୍ରକାର ଉନ୍ନତି ହୋଇଛି ତାହା ଲୋକେ ଜାଣିବାକୁ ଚାହୁଁଛନ୍ତି । ନବୀନ ଓଡିଶାମାନେ ଦାରିଦ୍ର୍ୟ, ଦୁର୍ନୀତି, ବ୍ୟଭିଚାର କି ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରାୟଣ । ସେ କହିଛନ୍ତି ଓଡିଶା ପରି ରାଜ୍ୟରେ ମଦ ବ୍ୟବସାୟୀଙ୍କଠୁ ପୁଳା ପୁଳା ଟଙ୍କା ଜବତ ହେଉଛି । ଏହା ବିନା ସରକାରୀ ସହାୟତାରେ ଜଣେ ଏତେ କଳା ଟଙ୍କା କୁଆଡୁ ପାଇବ । ମଦ ବ୍ୟବସାୟୀଙ୍କ ସହ ରାଜ୍ୟ ସରକାରଙ୍କ ମଧୁର ସଂପର୍କର ଚିତ୍ର ସାମ୍ନାକୁ ଆସିଛି । ଆଉ ରାଜ୍ୟରେ କିଭଳି ବିକାଶ ଚାଲିଛି ତାହା ବର୍ତମାନ ରାଜ୍ୟପାଳଙ୍କ ଚିଠିରୁ ଜଣା ପଡିଛି । ଜନତାଙ୍କୁ ଠିକରେ ସରକାରୀ ସେବା ମିଳୁ ନ ଥିବା ରାଜ୍ୟପାଳ ହୃଦବୋଧ କରିଛନ୍ତି ବୋଲି ଜୟ ନାରାୟଣ କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟପାଳ ରଘୁବର ଦାସ ଡିସେମ୍ବର ୫ ରୁ ୭ ତାରିଖ ଯାଏ ଢେଙ୍କାନାଳ ଓ ଅନୁଗୁଳ ଗସ୍ତରେ ଯାଇଥିଲେ। ଏହି ସମୟରେ ସେ ସେଠାକାର ଲୋକଙ୍କ ସହ ଆଲୋଚନା କରିଥିଲେ। ସ୍ଥାନୀୟ ଲୋକେ ରାଜ୍ୟପାଳଙ୍କୁ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଜଣାଇଥିଲେ । ଏସବୁ ସମସ୍ୟାଗୁଡ଼ିକୁ ତୁରନ୍ତ ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିରେ କହିଛନ୍ତି ରାଜ୍ୟପାଳ। ଆଉ ଚିଠିକୁ ନେଇ ବର୍ତମାନ ରାଜନୀତି ସରଗରମ । ଯଦି ଏତେ ବିକାଶ ହୋଇଥିବା ରାଜ୍ୟ ସରକାର ଦିଣ୍ଡିମ ପିଟୁଛନ୍ତି ତେବେ ରାଜ୍ୟପାଳଙ୍କୁ କାହିଁକି ଚିଠି ଲେଖିବାକୁ ପଡିଲା ବୋଲି ବିରୋଧୀ ଦଳ ବିଜେପି ପ୍ରଶ୍ନ କରିଛି ।